ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ । ୫୦ ହଜାର ଟଙ୍କାର ଜରିମାନା ସହ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡ ଶୁଣାଇଲେ ସିଆଲଦା କୋର୍ଟ । ପୀଡ଼ିତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ମିଳିବ ୧୭ଲକ୍ଷ ଟଙ୍କା କ୍ଷତିପୁରଣ । ପରିବାର କହିଲା ନ୍ୟାୟ ଦରକାର । ଶନିବାର କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡ ଶୁଣାଇଛନ୍ତି । ତଦନ୍ତରେ ଅନିୟମିତତା ଯୋଗୁ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିନି ସିବିଆଇ । ଏହା ବିରଳରୁ ବିରଳତମ ଘଟଣା ନୁହେଁ କହିଥିଲେ କୋର୍ଟ । ତେବେ ସଜା ପୂର୍ବରୁ ତାକୁ ଫସାଇ ଦିଆଯାଇଛି କହିଥିଲା ସଞ୍ଜୟ ରାୟ । ଜୋରଜବରଦସ୍ତି ତା ଠାରୁ ଦସ୍ତଖତ ନିଆ ଯାଇଥିବା କୋର୍ଟ ପାଖେ ଅଭିଯୋଗ କରିଥିଲା। ସଞ୍ଜୟଙ୍କ ଓକିଲ ତଦନ୍ତରେ ତ୍ରୁଟି ଥିବା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ ଆଜୀବନ ନୁହେଁ ମୃତ୍ୟୁ ଦଣ୍ଡ ଆଶା କରିଥିଲୁ ।ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ଘଟିଥିବା ଅଘଟଣର ସିବିଆ ତଦନ୍ତ ସାକ୍ଷୀ ପ୍ରମାଣ ଆଧାରରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରାୟ ୧୬୭ ଦିନ ପରେ ଦଣ୍ଡ ଶୁଣାଣି ହୋଇଛି । ଆଜି ସକାଳ ସାଢେ ୧୦ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସଞ୍ଜୟଙ୍କୁ ସିଆଲଦା କୋର୍ଟକୁ ଅଣା ଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ପ୍ରାୟ ୫ଶହ ପୁଲିସକର୍ମୀ ମୁତୟନ ହୋଇଥିଲେ ।ତେବେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪, ୬୬, ୧୦୩(୧) ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି ।ସେପଟେ ଅଭୟାଙ୍କ ପରିବାର କହିଥିଲେ ଆମେ କ୍ଷତିପୁରଣ ନେବୁ ନାହିଁ ଆମକୁ ନ୍ୟାୟ ଦରକାର । ଡିଏନଏ ରିପୋର୍ଟରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଜାଣିବା ପରେ ୩୯ଟି ପ୍ରଶ୍ନର ଜବାବ ଦାବିରେ ପରିବାର ହାଇକୋର୍ଟ ଯାଇଛନ୍ତି । ଅନେକ ପ୍ରମାଣ ନଷ୍ଟ କରାଯାଇଛି । ଅନ୍ୟ ସ୍ଥାନରେ ଘଟଣା ଘଟିଛି ପରେ ସେମିନାର ହଲକୁ ଅଣାଯାଇଛି ବୋଲି ଦାବି କରାଯାଇଛି । ତେବେ ଗୋଟିଏ ମାମଲା ଉଚ୍ଚ ନ୍ୟାୟାଳୟରେ ଓ ଆଉ ଗୋଟିଏ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି ଯାହା ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ନେଇଥିଲେ ।
ଗତ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଅତ୍ୟନ୍ତ ବର୍ବର ଭାବେ ସେମିନାର ହଲରେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା । ଘଟଣାର ଅଳ୍ପ ସମୟ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ତଥା ପୁଲିସ ସ୍ୱେଛାସେବୀ ଭାବେ କାମ କରୁଥିବା ସଞ୍ଜୟ ରୟକୁ ଗିରଫ କରିଥିଲା । ଏବଂ ସେ ନିଜେ ମଧ୍ୟ ଦୋଷ ସ୍ୱୀକାର କରିଥିଲା । ସଞ୍ଜୟର ପୂର୍ବ ରେକର୍ଡ, ନିଶା ଅଭ୍ୟାସ, ଫୋନରୁ ଅଶ୍ଳୀଳ ଭିଡିଓ ମିଳିବା ଆଦି କଥା ସାମ୍ନାକୁ ଆସିଥିଲା ।
ତେବେ ଘଟଣାରେ ପରିବାର ଲୋକଙ୍କୁ ଖବର ଦେବାରୁ ଆରମ୍ଭ କରି ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ, ତରବରିଆ ସେହି ହସପିଟାଲ ରେ ପୋଷ୍ଟମର୍ଟମ କରିବା ଭଳି ଅନେକ କିଛି ହୋଇଥିଲା ଯାହା କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରରେ ଛିଡା କରିଥିଲା । ପରେ ହାଇକୋର୍ଟ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲା । ଯାହାକୁ ନେଇ ହସପିଟାଲରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ମେଡିକାଲ କ୍ୟାମ୍ପସରେ ରାତି ଡ୍ୟୁଟିରେ ସୁରକ୍ଷା କଥା ଉଠିଥିଲା । ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ରହିଥିଲା । ତଥ୍ୟ ପ୍ରମାଣ ନଷ୍ଟରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ବିରୋଧୀଙ୍କ ପ୍ରବଳ ସମାଲୋଚନାରେ ମମତା ସରକାରଙ୍କ ଗାଦି ଟଳମଳ ହୋଇଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now