୨୨ ବର୍ଷୀୟ ଆଇନ ଛାତ୍ରୀ ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଶର୍ମିଷ୍ଠା ପାନୋଲିଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି। ଶର୍ମିଷ୍ଠାଙ୍କୁ ଜାମିନ ଦେଲେନି କୋଲକାତା ହାଇକୋର୍ଟ। ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଉଚିତ ନୁହେଁ ବୋଲି କହିଛନ୍ତି କୋଲକାତା ହାଇକୋର୍ଟ। ଟିପ୍ପଣୀ ବେଳେ ସାବଧାନତା ଓ ସତର୍କତା ରହିବା ଜରୁରୀ। ଅପେକ୍ଷା କଲେ ସ୍ୱର୍ଗ ଛିଡ଼ିପଡ଼ିବନି। କାରଣ ଆମ ଦେଶରେ ବିଭିନ୍ନ ଧର୍ମ, ଜାତିର ଲୋକ ଏକାଠି ରହୁଛନ୍ତି ବୋଲି କହିଛନ୍ତି ଜଷ୍ଚିସ ପାର୍ଥ ସାରଥୀ ଚାଟାର୍ଜୀ। ଗଲା ମେ ୩୦ରେ ଗୁରୁଗ୍ରାମ ରୁ କୋଲକାତା ପୋଲିସ ଦ୍ୱାରା ଗିରଫ ହେବା ପରେ ଏବେ ଆଲିପୋର ଜେଲ୍ରେ ନ୍ୟାୟିକ ହିରାସତରେ ଅଛନ୍ତି। ସେ ଏକ ଇନ୍ଷ୍ଟାଗ୍ରାମ୍ ଭିଡିଓ ମାଧ୍ୟମରେ “ଅପରେସନ୍ ସିନ୍ଦୂର” ଉପରେ ଦିଆଯାଇଥିବା କଥାବାର୍ତ୍ତା ଦ୍ୱାରା ଧାର୍ମିକ ଉତ୍ତେଜନା ପ୍ରଚାର କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏବେ ସେ ୧୩ ଜୁନ ପର୍ଯ୍ୟନ୍ତ ଜେଲ୍ରେ ରହିବେ। ତାଙ୍କ ଆଇନଜୀବୀଙ୍କ କହିବା ଅନୁସାରେ ଶର୍ମିଷ୍ଠା ଗୁରୁତର କିଡନି ସମସ୍ୟା ଭୋଗୁଛନ୍ତି। ଜେଲ୍ରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସଫାଇକୁ ଯଥେଷ୍ଟ ଧ୍ୟାନ ଦିଆଯାଉନି। ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ର ଏହାକୁ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଆଘାତ ବୋଲି ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲୀ ବି ଶର୍ମିଷ୍ଠାଙ୍କ ସହିତ ଜେଲ୍ରେ ମିଳୁଥିବା ଅନ୍ୟାୟ ବ୍ୟବହାରକୁ ନିନ୍ଦା କରିଛନ୍ତି। ଏହି ମାମଲାର ଅନ୍ୟ ଦିଗକୁ ଦେଖିଲେ, ଶର୍ମିଷ୍ଠାଙ୍କ ବିରୋଧରେ ଏତଲା କରିଥିବା ଓ ତାଙ୍କ ଗିରଫର ପ୍ରଧାନ ଅଭିଯୋଗକାରୀ ୱାଜାହାତ୍ ଖାନଙ୍କ ବିରୁଦ୍ଧରେ ବି ଏବେ ଅନେକ ଧାର୍ମିକ ଉତ୍ତେଜକ ଓ ଘୃଣାପୂର୍ଣ୍ଣ ପୋଷ୍ଟ ସନ୍ଦର୍ଭରେ ମାମଲା ହୋଇଛି। କୋଲକାତା ପୋଲିସ୍ ତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ଦାଖଲ କରିଛି। ନିଜର ପୋଷ୍ଟକୁ ପରେ ହଟାଇଦେଇ କ୍ଷମା ମାଗିଥିଲେ ବି ଶର୍ମିଷ୍ଠାଙ୍କୁ ନିସ୍ତାର ମିଳିଲାନି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଜୁନ୍ ୫ରେ ହେବ। ଯେଉଁଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ ଓ ପୁଲିସ କେସ୍ ଡାଏରୀକୁ କୋର୍ଟରେ ଦାଖଲ କରିବ। ଜାମିନ ଶୁଣାଣୀ ଅବସରରେ କୋର୍ଟ କହିଥିଲେ, କାହାର ଧାର୍ମିକ ଭାବନାକୁ ଆଘାତ ଦେବା କାହାର ଅଧିକାର ନାହିଁ। ଯଦି ୭ ବର୍ଷରୁ କମ୍ ବି ସଜ୍ଜା ହୁଏ, ତା ସତ୍ତ୍ୱେ ପୁଲିସ କାହାକୁ ବି ଗିରଫ କରିବାର ଅଧିକାର ରହିଛି। ଯଦିଓ ଏହି ମାମଲାରେ ୭ ବର୍ଷରୁ କମ୍ ସଜ୍ଜାର ପ୍ରାବଧାନ ରହିଛି। ଏହାର ଅର୍ଥ ନୁହେଁ ଯେ, ପୁଲିସ ଗିରଫ କରିପାରିବନି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୫ ଅନୁସାରେ କୌଣସି ବି ସର୍ତ୍ତ ପୂରଣ ପରେ ପୁଲିସ ଚାହିଁବ ତ ଗିରଫ କରିପାରିବ। ଏହାର ପ୍ରାବଧାନ ପଢ଼ିବାକୁ ଶର୍ମିଷ୍ଠାଙ୍କ ଓକିଲଙ୍କୁ ପରାମର୍ଶ ଦେଇଛନ୍ତି ଅଦାଲତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now