ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଦିନକୁ ଦିନ ବୃଦ୍ଧି ପାଇଚାଲିଛି

Spread the love

ଖୋର୍ଦ୍ଧା : ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍? ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି । ସବୁଠି ମାଙ୍କଡ଼ା ପଥର କଟାଚାଲିଛି । ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା ସହ ବଡ଼ ବଡ଼ ଗର୍ତ ସୃଷ୍ଟି ହେଉଛି । ପ୍ରତିବାଦ କଲେ ଖଣି ମାଫିଆମାନେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏନେଇ ସ୍ଥାନୀୟ ପୋଲିସଠାରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ବ୍ଲକ ପାଇକ ତିଗିରିଆ ଗ୍ରାମରୁ । ଏହି ଗ୍ରାମର ସରକାରୀ ଗୋଚର ଜମିରୁ ୫ କୋଟିରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଚୋରାଚାଲାଣ କରାଯାଇଥିବା ନେଇ ଖୋର୍ଦ୍ଧା ଉପଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେବ ମାଙ୍କଡ଼ା ପଥର ଖଣି ନିଲାମ ବନ୍ଦ ରହିଛି । ଏହାସତ୍ୱେ ଗ୍ରାମର ୫ ଏକର ବିଶିଷ୍ଟ ଗୋଚର ଜମି (ପ୍ଲଟ ନଂ.୧୩୪୭)ରୁ ୨୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର କରାଯାଇ ମାଙ୍କଡ଼ା ପଥର ଚୋରାଚାଲାଣ କରାଯାଉଛି । ଦୈନିକ ୩ଟି ପାୱାରଟିଲର, ଟ୍ରାକ୍ଟର, ଜେସିବି ଲଗାଇ ପଥର କାଟି ଚାଲାଣ କରୁଛନ୍ତି । ଖୋର୍ଦ୍ଧା ଥାନାର ଜଣେ ଏସ୍ଆଇ ଏବଂ ଭୁବନେଶ୍ୱରର ଏକ ଥାନାରେ କାର୍ଯ୍ୟରତ ଡ୍ରାଇଭରଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଅଂଚଳର ଅସାମାଜିକ ଯୁବକଙ୍କୁ ଧରି ଲୋକଙ୍କୁ ମିଥ୍ୟା ମାମଲାରେ ଥାନାରେ ପୂରାଇଦେବାକୁ ଧମକ ଦେଇ ଟ୍ରକ୍, ଟ୍ରାକ୍ଟରରେ ମାଙ୍କଡ଼ା ଚାଲାଣ କରୁଛନ୍ତି । ଉକ୍ତ ପ୍ଲଟ୍କୁ ଲାଗି ରହିଥିବା ଚାନ୍ଦପୁର ମୌଜାର ପ୍ଲଟ ନଂ.୩୦୫, ଯେଉଁଠାରୁ ରାଜପଥ କାର୍ଯ୍ୟ ପାଇଁ ମୋରମ ନିଆଯାଉଛି । ଗତ ୩ ତାରିଖରୁ ଦୈନିକ ୨୦ରୁ ୩୦ ଟ୍ରିପ୍? ଚୋରା ଚାଲାଣ ଚାଲିଛି । ଗୋଚାରଣ ଜମି ଖାଲଖମାରେ ପରିଣତ ହେବା ଯୋଗୁ ଗୋଚାରଣ ପାଇଁ ଆଉ ଜାଗା ନାହିଁ । ଖାଲଖମାରେ ପଡ଼ି ଗୋରୁଗାଈ, ଲୋକେ ଆହତ ହେଉଛନ୍ତି । ପରିବେଶ ନଷ୍ଟ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ, ଜଙ୍ଗଲ, ପାହାଡ଼ରୁ ଝରି ଆସୁଥିବା ବର୍ଷାଜଳ ଖୋଳାଯାଇଥିବା ଜମିରେ ଜମା ହେଉଛି । ମାଙ୍କଡା କଟାଯାଉଥିବା ନିକଟ ଚାଷଜମି ପଡ଼ିଆ ପଡ଼ିଲାଣି । ପ୍ରଶାସନିକ ଅଧିକାରୀ ଏହି ଅଂଚଳ ପରିଦର୍ଶନ କଲେ ଉପରୋକ୍ତ ସମସ୍ୟା ଉପରେ ଜାଣିପାରିବେ ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗର ସପ୍ତାହକ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ, ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *