ପବିତ୍ର ଜନ୍ମାଷ୍ଟମୀରେ ରକ୍ତର ହୋଲି ଖେଳିଥିଲେ ମାଓବାଦୀ। ଚକାପାଦସ୍ଥିତ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନିର୍ମମ ହତ୍ୟା କରିଥିଲେ ନକ୍ସଲ। ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ପରେ କନ୍ଧମାଳରେ ଭୟଙ୍କର ଦଙ୍ଗା ସୃଷ୍ଟି ହୋଇଥିଲା। ଏହା ପରଠୁ କୌଣସି ବର୍ଷ ଏହି ଦିନରେ ଯେଭଳି ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ ନ ହୁଏ ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ। ସେଥିଲାଗି ପୁରା ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜଲେଶପଟ୍ଟା କନ୍ୟାଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସାଙ୍ଗକୁ ବ୍ଲକିଂ, ଚେକିଂ ଓ ଫ୍ଲାଗମାର୍ଚ୍ଚ ହୋଇଛି। କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଧର୍ମାନ୍ତରୀକରଣକୁ ବିରୋଧ କରିଆସୁଥିଲେ ଲକ୍ଷ୍ମଣାନନ୍ଦ। ସ୍ୱାମୀଙ୍କ ୧୭ତମ ଶ୍ରାଦ୍ଧବାର୍ଷିକୀକୁ ବଳିଦାନ ଦିବସ ଭାବେ ପାଳନ କରାଯାଇଛି। ସ୍ୱାମୀଜୀଙ୍କ ସ୍ମୃତିଚାରଣ କରାଯାଇଥିଲା। ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ଓ କମିଶନ ରିପୋର୍ଟ ସାର୍ବଜନୀନ ଦାବି ଜୋର୍ ଧରିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ ବର୍ଷ ବିତିଗଲାଣି। କାହିଁକି ଆଜିଯାଏ ଏହାର ଫାଇଲ୍ ଖୋଲାଯାଉନି କହି ପ୍ରଶ୍ନ କରିଛି କଂଗ୍ରେସ। କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ସମସ୍ତେ ଜାଣନ୍ତି। ଦୁଇ ସମ୍ପ୍ରଦାୟ ଭିତରେ କିଏ ଲଢ଼େଇ କରାଇଥିଲା। ବିଜେପି ବିରୋଧୀ ଦଳରେ ଥିବା ବେଳେ ଫାଇଲକୁ ଖୋଲିବାକୁ ଦାବି କରୁଥିଲା। ଏବେ ଶାସନ ଚୌକିରେ ବସି କାହିଁକି ଖୋଲିପାରୁନି ବୋଲି ପଚାରିଛନ୍ତି ପିସିସି ସଭାପତି। ବିଜେଡି-ବିଜେପି ଏକ୍ ବୋଲି ଏହା ପ୍ରମାଣ କରୁଛି। ସମୟ ଆସିଲେ କଂଗ୍ରେସ ଗୁମର ଖୋଲିବ। ବିଜେଡି କହିଛି, ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଘଟଣାରେ ସରକାର ଭୂଆଁ ବୁଲାଉଛନ୍ତି। ମୋହନ ସରକାର ଇଲେକ୍ସନ ଷ୍ଟଣ୍ଟର ସରକାର। ନିର୍ବାଚନ ପ୍ରଚାରରେ କହୁଥିଲେ କଅଣ। ଆଉ ଆଜି କେମିତି ବ୍ୟକ୍ତିଗତ ଫାଏଦା ଓ ପଲିଟିକାଲ ଫାଏଦା ନେବା ଆଳରେ ଏହି ହତ୍ୟାକାଣ୍ଡ ଘଟଣାକୁ ଭୁଆଁ ବୁଲାଉଛନ୍ତି। କାଉଣ୍ଟରରେ ଶାସକ ଦଳ କହିଛି, ଚୋର କହୁଛି ଚୋରକୁ ଧରିବାକୁ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ସ୍ୱାଭିମାନ ଓ ଭାବନା ଉପରେ କୁଠାରଘାତ ଥିଲା। ରାଜ୍ୟ ସରକାର ଏହା ଉପରେ ଖୁବଶୀଘ୍ର ପଦକ୍ଷେପ ନେଉଛନ୍ତି। ଅନେକ ଦୋଷୀ ପୂର୍ବ ସରକାର ସମୟରେ ଥିଲେ। କେହି ଲୁଚିପାରିବେନି। ଗୋଟି ଗୋଟି କରି ପର୍ଦ୍ଦାଫାସ ହେବ। ସମସ୍ତେ ଜେଲ୍ ଯିବେ। ସ୍ୱାମୀ ଲକ୍ଷ୍ଣଣାନନ୍ଦ ହତ୍ୟାକାଣ୍ଡ ପରେ ଦଙ୍ଗାକୁ କେନ୍ଦ୍ର କରି ବିଜେପିଠୁ ଦୂରତା ବଢ଼ାଇଥିଲେ ନବୀନ। ଆଉ ଏହା ପରବର୍ଷ ଅର୍ଥାତ୍ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now