ଶିକ୍ଷକଙ୍କ ବର୍ବରତା, ପିଟିପିଟି ଭାଙ୍ଗିଦେଲେ ମେରୁଦଣ୍ଡ

Spread the love

ଜୟପୁର: ରାଜସ୍ଥାନରେ ପୁଣି ସରକାରୀ ସ୍କୁଲରେ ଶିକ୍ଷକଙ୍କ ବର୍ବରତାର ଭିଡିଓ ସାମ୍ନାକୁ ଆସିଛି। ଶିକ୍ଷକ ଜଣେ ଛାତ୍ରକୁ ଏମିତି ପିଟିଲେ କି ଛାତ୍ରର ମେରୁଦଣ୍ଡ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ୧୫ ବର୍ଷୀୟ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛି।

ଆହତ ଛାତ୍ରଙ୍କ ପିତା କହିଛନ୍ତି କି, ମଧ୍ୟାହ୍ନ ଭୋଜନ ସମୟରେ ପିଲାଟି କଥା ହେବାରୁ ଶିକ୍ଷକ ତାକୁ ଡାକି ନେଇ ନିର୍ଧୁମ ମାଡ ମାରିଥିଲେ। ପିଲାର ବେକକୁ ଧରି ଏକ ଧକା ଦେଇ ତଳେ ପକାଇ ଦେଇଥିଲେ ଓ ବେକରେ ଚଢିଯାଇ ତାକୁ ଆଖିବୁଜା ମାଡ ମାରିଥିଲେ। ଶିକ୍ଷକ ଜଣକ ସେହି ଛାତ୍ରକୁ ସେ ପର୍ଯ୍ୟନ୍ତ ମାଡମାରିଥିଲେ ଯେପର୍ଯ୍ୟନ୍ତ ସେ ବେହୋସ ନ ହୋଇଛି। ଏହା ଦେଖି ଅନ୍ୟ ପିଲାମାନେ ଭୟରେ ଚିଲେଇବାରୁ ଅନ୍ୟ ଶିକ୍ଷକମାନେ ସେଠାରେ  ପହଞ୍ଚି ଥିଲେ ଓ ସେମାନଙ୍କୁ ଚୁପ ରହିବାକୁ ଧମକ ଚମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ବାହାରେ କାହାକୁ ନ କହିବାକୁ ପିଲାଙ୍କୁ ଅନ୍ୟ ଶିକ୍ଷକମାନେ ଡରାଇଥିଲେ।

ତେବେ ଘଟଣାଟି ପଦକା ଆସିବା ପରେ ସେହି ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ନ ଥିଲା। ପୁଲିସ ଅନୁଯାୟୀ ପିଲାର ପିଠିରେ ଆଘାତ ଲାଗିଛି। ପିଲାର ଡାକ୍ତରୀ ମାଇନା ହୋଇଛି ଓ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୁଲିସ କହିଛି। ରିପୋର୍ଟ ଆସିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *