ଚୋର କୁ ଇଡି ଭାବି ଲୁଟ୍ ଦେଖୁଥିଲେ ପଡୋଶୀ

Spread the love

ପଶ୍ଚିମ ବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମସ୍ୟା ଥମିବାର ନାମ ନେଉନି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି। କୁବେର ଭଣ୍ଡାର ରହିଛି ପାର୍ଥଙ୍କ ପାଖରେ। ଏହାକୁ ଗୋଟିଏ ପରେ ଗୋଟିଏ ଠାବ କରି ପୁଳା ପୁଳା ଟଙ୍କା ମଧ୍ୟ ଜବତ ହୋଇଛି। ଏହାରି ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି। ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି ହୋଇଛି। ପାର୍ଥଙ୍କ ୨୪ ପ୍ରଗଣା ସ୍ଥିତ ଘରେ ଚୋରି ହୋଇଛି। ବୁଧବାର ରାତିରେ ଚୋରମାନେ ଘରେ ପଶି ଚୋରିକରି ବହୁ ଧନ ସମ୍ପତ୍ତି ଲୁଟି ନେଉଥିବା ବେଳେ କିନ୍ତୁ ଆଖପାଖର ଲୋକମାନେ ଦେଖି ଭାବିଥିଲେ କି, ଏ ଅନୁସନ୍ଧାନକାରୀ ଟିମ୍ ଆସି ତାଙ୍କ ଘରେ ଚଢାଉ କରୁଛି। ତେଣୁ ଚୋରଙ୍କୁ ଧରିବାକୁ ପୁଲିସକୁ ଖବର ଦେଇ ନ ଥିଲେ।

ଲୋକଙ୍କ କହିବା ଅନୁସାରେ, କିଛି ଚୋର ପାର୍ଥଙ୍କ ଘରର ତାଲା ଭାଙ୍ଗିଥିଲେ। ସେମାନଙ୍କ ହାତରେ ବଡ ବଡ ବ୍ୟାଗ ରହିଥିଲା। ଏହାପରେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ କିଛି ସମୟ ପରେ ବଡ ବ୍ୟାଗରେ ଭର୍ତ୍ତି କରି ସାମଗ୍ରୀ ଆଣି ବାହାରକୁ ବାହାରିଥିଲେ। ଏହି ଅଞ୍ଚଳର ଲୋକମାନେ ଭାବିଥିଲେ ଯେ, ଇଡି ଚଢାଉ ହେଉଛି। ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ଚୋରମାନେ ବ୍ୟାଗରେ ଟଙ୍କା ଫୁଲ୍ କରି ନେଇନାହାନ୍ତି ତ? ଏହା ଭାବିବା ସ୍ୱାବାବିକ ମଧ୍ୟ, କାରଣ ପାର୍ଥ ଏବଂ ତାଙ୍କ ସହଯୋଗୀଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଯେତେ ଖୋଜାଚାଲିଛି ସେତେ ଟଙ୍କା ମିଳୁଛି। ଘର ଠାରୁ ଆରମ୍ଭ କରି ଭଡା ଘର ପର୍ଯ୍ୟନ୍ତ ସବୁଜାଗାରୁ ବାହାରୁଛି ଗଦା ଗଦା ଟଙ୍କା ସହିତ ସୁନା ଅଳଙ୍କାର। ଏଯାଏଁ ଇଡି ୫୦ କୋଟି ନଗଦ ଟଙ୍କା ସହ ୫ କିଲୋ ସୁନା ଜବତ କରିସାରିଥିଲେ ମଧ୍ୟ ଟଙ୍କା ସରିନାହିଁ। ଯେତେ ଖୋଳତାଡ ହେଉଛି ସେତେ ମିଳୁଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *