ସ୍କୁଲ ଫି ପୈଠ ନ କରିବାରୁ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦେଲେ ପ୍ରିନ୍ସିପାଲ

ସ୍କୁଲ ଫି ପୈଠ ନ କରିବାରୁ ପ୍ରିନ୍ସିପାଲଙ୍କ ନିର୍ଯାତନା। ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ଖରାରେ ବସାଇଦେଲେ। କେବଳ ଏତିକି ନୁହେଁ। ସେମାନଙ୍କ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଇବାକୁ ଗ୍ରୁପରେ ବି ଛାଡ଼ିଲେ। ଆଉ ଫି ନଦେଲେ ପିଲାଙ୍କୁ ସ୍କୁଲ ପଠାଅନି କହି ବାର୍ତ୍ତା ଦେବାକୁ ଏତେ ତଳକୁ ଖସିଗଲେ। ୟୁପିର ସିଦ୍ଧାର୍ଥନଗର ଜିଲ୍ଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲରୁ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ତଦନ୍ତ କରି ଆବଶ୍ୟକୀୟ ଆକ୍ସନ ନେବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି।

ସ୍କୁଲ ଗେଟ୍ ବାହାରେ ପିଲାଏ ବସିଛନ୍ତି ଖରାରେ। କିଏ ତଳକୁ ମୁଣ୍ଡ କରି ତ କିଏ ମୁହଁ ଲୁଚାଉଛି। ଖରାରେ ସ୍କୁଲ ୟୁନିଫର୍ମରେ ବସିଥିବା ଏଭଳି ଛାତ୍ରଛାତ୍ରୀଙ୍କ ଭିଡ଼ିଓ ନିଜେ ଉତ୍ତୋଳନ କରୁଛନ୍ତି ସ୍କୁଲର ପ୍ରିନ୍ସିପାଲ। ଫି ଦେଇନଥିବାରୁ ୟୁପିର ସିଦ୍ଧାର୍ଥନଗର ଜିଲ୍ଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ ସହ ଦଣ୍ଡ ଦେଇଛନ୍ତି ସ୍କୁଲ ପ୍ରିନ୍ସିପାଲ ଶୈଳେଶ କୁମାର ତ୍ରିପାଠୀ। ଭିଡ଼ିଓ ଉଠାଇଲେ। ଆଉ ଭିଡିଓକୁ ଅଭିଭାବକଙ୍କ ଗ୍ରୁପରେ ଛାଡ଼ି ଚେତାବନୀ ବି ଦେଇଥିଲେ। ଫି ନ ଭରିଲେ ପିଲାଙ୍କୁ ସ୍କୁଲ ନ ପଠାଇବାକୁ କହିଥିଲେ। ପଠାଇଲେ ଏମିତି ଦଣ୍ଡ ଭୋଗିବେ ପିଲାଏ। ଖରାରେ ବସିଥିବା ପିଲାଏ ଲଜ୍ଜାରେ ମୁହଁ ଲୁଚାଉଥିଲେ। ହେଲେ ପ୍ରିନ୍ସିପାଲଙ୍କ ସାମାମ୍ୟ ମାନବିକତା କି ନୈତିକତା ନଥିଲା। ଭିଡ଼ିଓ ଭାଇରାଲ ପରେ ଚାରିଆଡ଼େ ହଇଚଇ ଖେଳିଯାଇଥିଲା। ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ଏଭଳି ଘଟଣାକୁ ଲଜ୍ଜାଜନକ କହିଛି। ତଦନ୍ତ କରି ଆବଶ୍ୟକୀୟ ଆକ୍ସନ ନେବାକୁ ସ୍କୁଲ ଇନ୍ସପେକ୍ଟରଙ୍କୁ ନିର୍ଦେଶ ଦିଆଯାଇଛି।

ଯେଉଁ ପିଲାଏ ସ୍କୁଲ ଫି ପୈଠ କରିନଥିଲେ, ସେମାନଙ୍କୁ ସ୍କୁଲରୁ ବାହାର କରି ଗେଟ୍ ଆଗରେ ବସିବାକୁ ନିର୍ଦେଶ ଦେଇଥିଲେ ପ୍ରିନ୍ସିପାଲ। ଆଉ ଏଭଳି ଦଣ୍ଡ ଦେଇ ଭିଡ଼ିଆ ଭାଇରାଲ କରି ଚେତାବନୀ ବି ଦେଇଥିଲେ ଯେ, ବାଧ୍ୟ ହୋଇ ଶେଷ ଥର ଲାଗି ଏଭଳି ପଦକ୍ଷେପ ନେଉଛି। ଏଥିଲାଗି ପିଲାଙ୍କ ଅଭିଭାବକ ଦାୟୀ ରହିବେ। ସେ ନୁହେଁ। କାରଣ ତାଙ୍କ ଉପରେ ବ୍ୟାଙ୍କର ଋଣଭାର ରହିଛି। ଯଦି ଅଭିଭାବକ ପିଲାଙ୍କ ଫି ନଦେବେ, ତେବେ ସେ ସ୍କୁଲ କେମିତି ଚଳାଇବେ ବୋଲି କହିଥିଲେ ପ୍ରିନ୍ସିପାଲ। ପିଲାଙ୍କୁ ପଢ଼ାଇବାର ସଉକ ଅଛି ତ ପଢ଼ାନ୍ତୁ। କିନ୍ତୁ ପ୍ରତି ମାସ ୧୫ ତାରିଖ ସୁଦ୍ଧା ଫି ଭରିଦିଅ। କେବଳ ଏତିକି ନୁହେଁ। ନୂଆ ନିୟମ ବି ଜାରି କରିଥିଲେ ପ୍ରିନ୍ସିପାଲ। ଏଣିକି ଫି ପୈଠରେ ବିଳମ୍ୱ ହେଲେ। ଦୈନିକ ୫ଟଙ୍କା ଫାଇନ୍ ଭରିବାକୁ ପଡ଼ିବ। ଏହି ନିୟମ ଅନୁସାରେ ଯିଏ ପିଲାଙ୍କୁ ସ୍କୁଲ ଛାଡ଼ିପାରନ୍ତି। ନଚେତ ଘରେ ପିଲାଙ୍କୁ ରଖନ୍ତୁ। ଦୁଃଖର ସହ କହିବାକୁ ପଡ଼ୁଛି ବୋଲି କହିଥିଲେ ପ୍ରିନ୍ସିପାଲ୍। ବ୍ୟାଙ୍କ ପ୍ରିନ୍ସିପାଲଙ୍କୁ ଖିଲାଫି ଭାବେ ଘୋଷିତ କରିବାକୁ ଚାପ ପକାଉଛି। କାରଣ ତାଙ୍କ ମୁଣ୍ଡ ଉପରେ ୫୦ହଜାର ଟଙ୍କାର ଋଣଭାର ରହିଛି। ସଂପୃକ୍ତ ପ୍ରିନ୍ସିପାଲ ସଫେଇରେ କହିଛନ୍ତି, ବାରମ୍ୱାର ଅଭିଭାବକଙ୍କୁ କହିବା ସତ୍ତ୍ୱେ ଫି ପୈଠ ନେଇ କେହି ଶୁଣୁନାହାନ୍ତି। ୧୦ହଜାରରୁ ନେଇ ଏକ ଲକ୍ଷ ଟଙ୍କା ଯାଏ ସ୍କୁଲ ଫି ବାକି ରହିଛି। ଅଧିକାଂଶ ପିଲାଙ୍କ ଫି ଗଲା ୪ ବର୍ଷ ହେଲା ପୈଠ କରୁନାହାନ୍ତି ଅଭିଭାବକ। ପିଲାଙ୍କୁ କେବଳ ୨ ମିନିଟ ଖରାରେ ବସାଇ ସେ ଛୋଟ ଭିଡ଼ିଓ କରିଥିଲେ। ଅଭିଭାବକଙ୍କ ଉଦ୍ଦେଶ୍ୟରେ ଗ୍ରୁପରେ ଛାଡ଼ିଥିଲେ। କିନ୍ତୁ ଏହାକୁ ଭାଇରାଲ କରିଛନ୍ତି କିଛି ଅଭିଭାବକ। ପିଲାଙ୍କ ପ୍ରତି ଏଭଳି କରିଥିବାରୁ ସେ ଦୁଃଖିତ ଓ ବ୍ୟଥିତ। ସମସ୍ତ ଅଭିଭାବକଙ୍କୁ ସ୍କୁଲ ଡାକିବା ତାଙ୍କ ଲାଗି ସମ୍ଭବପର ନୁହେଁ।

ସ୍କୁଲ ନିରୀକ୍ଷକଙ୍କ ନଜରରେ ଏଭଳି ଭିଡ଼ିଓ ପଡ଼ିବା ପରେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସ୍କୁଲ ପଞ୍ଜୀକୃତ ବି ହୋଇନି। ଯଦିଓ ସ୍କୁଲଟି ସରକାରୀ ମାନ୍ୟତାପ୍ରାପ୍ତ ନୁହେଁ। ତଥାପି କେଉଁ ପରିସ୍ଥିତିରେ କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ କରାଗଲା, ଯାଞ୍ଚ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *