କୋଉଠି ଅମ୍ରିତପାଲ ସିଂ?

Spread the love

()-ଖାଲିସ୍ତାନୀ ସମର୍ଥିତ ନେତା ଅମ୍ରିତପାଳଙ୍କୁ ଧରିବାକୁ ପଞ୍ଜାବ ପୁଲିସ ହେଲାଣି ନାକେଦମ୍। ଚାରିଆଡେ ହାଇଆଲର୍ଟ ଜାରି। ଘନ ଘନ ଚେକିଂ ଓ ଚଢ଼ାଉ ବି ଜାରି ରଖିଛି ପୁଲିସ। ସୁରକ୍ଷାକର୍ମୀମାନେ ରାଜ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ଆଇନଶୃଙ୍ଖଳା ସ୍ଥିତି ପାଇଁ ପଞ୍ଜାବର ଅନେକ ସ୍ଥାନରେ ଇଣ୍ଟରନେଟ୍ ଓ ଏସଏମଏସ ସେବା ବନ୍ଦ କରାଯାଇଛି। ସେପଟେ କୌଣସି ବି ପରିସ୍ଥିତିରେ ପଞ୍ଜାବର ଶାନ୍ତିକୁ ବିପର୍ଯ୍ୟସ୍ତ ହେବାକୁ ଦିଆଯିବନି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ।

କୁଆଡ଼େ ଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ। ସାରା ପଞ୍ଜାବରେ ଚାଲିଛି ଛାନଭିନ୍ ଓ ସର୍ଚ୍ଚ ଅପରେସନ। ସେପଟେ ପଞ୍ଜାବର କିଛି ଜିଲ୍ଲାରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କାରେ ଆଜି ବି ବାତିଲ କରାଯାଇଛି ଇଣ୍ଟରନେଟ ଓ ଏସଏମଏସ ସେବା । 2G, 3G, 4G, 5G, ସିଡିଏମଏ, ଜିପିଆରଏ, ବ୍ୟାଙ୍କିଙ୍ଗ ଓ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ପ୍ରକାର ମୋବାଇଲ ସେବାକୁ ବାତିଲ କରିଦିଆଯାଇଛି। ଉଭୟ ପଞ୍ଜାବ ଓ ହିମାଚଳପ୍ରଦେଶରେ ନିରାପତ୍ତା କଡ଼ାକଡ଼ି କରାଯାଇଛି। ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ୍ କହିଛନ୍ତି ଏହି ସମସ୍ତ ଘଟଣା ପଛରେ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୪ ଜଣଙ୍କୁ ଗିରଫ କରାଗଲାଣି। ଅମ୍ରିତପାଲକୁ ଧରିବା ଲାଗି ପଞ୍ଜାବ ପୋଲିସ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଛି। ପୋଲିସ ଆକ୍ସନ ପୂର୍ବରୁ ଅମ୍ରିତପାଲର ଦାଦା ହରଜିତ ଓ ଡ୍ରାଇଭର ହରପ୍ରୀତ ସରେଣ୍ଡର କରିଛନ୍ତି। ସାରା ରାଜ୍ୟରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ରହିଥିବା ବେଳେ ବର୍ଡର ଆଖପାଖ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି କହିଛି ପୋଲିସ।

ସେପଟେ, ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ପଳାତକ ଅମ୍ରିତପାଲ୍ ସିଂହ ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ ବଡ ବୟାନ ସାମ୍ନାକୁ ଆସିଛି। କୌଣସି ବି ପରିସ୍ଥିତିରେ ପଞ୍ଜାବର ଶାନ୍ତିକୁ ବିପର୍ଯ୍ୟସ୍ତ ହେବାକୁ ଦିଆଯିବନି। ପଞ୍ଜାବ ସବୁବେଳେ ଦେଶକୁ ଆଗେଇ ନେଇଛି। ସବୁଜ ବିପ୍ଳବ ହେଉ କିମ୍ୱା ସ୍ୱାଧିନତା ଆନ୍ଦୋଳନ ହେଉ। ପ୍ରତ୍ୟେକ ସଙ୍କଟରେ ପଞ୍ଜାବ ଦେଶକୁ ନେତୃତ୍ୱ ଦେଇଛି। ଯଦି କେହି ପଞ୍ଜାବର ଭାଇଚାରା, ଶାନ୍ତି ଏବଂ ପ୍ରେମ ଉପରେ ଖରାପ ଆଖି ପକାନ୍ତି , ତେବେ ଏଠାକୁ ସହ୍ୟ କରାଯିବନି। ଯେତେବେଳେ ବି କେହି ପଞ୍ଜାବରେ ପରିବେଶକୁ ଖରାପ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ପଞ୍ଜାବବାସୀ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।

ଗତ କିଛି ଦିନ ହେବ ପଞ୍ଜାବରେ ଲୋକମାନଙ୍କୁ ପୃଥକ କରିବା ସହ ଘୃଣ୍ୟ ଭାଷଣ ମାଧ୍ୟମରେ ପଞ୍ଜାବର ପରିବେଶ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିଲା ଯେଉଁମାନେ ପଞ୍ଜାବରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ଗିରଫ କରାଯିବ। ଲୋକମାନେ ପଞ୍ଜାବର ଆମ ଆଦମୀ ପାର୍ଟି ଉପରେ ଭରସା କରିଥିଲେ। ସେହି ବିଶ୍ୱାସ ଏବଂ ଭରସାକୁ ଆପ୍ କାଏମ ରଖିବ ଆମ୍ ଆଦମୀ ପାର୍ଟି ପଞ୍ଜାବରେ କାହାକୁ ଅରାଜକତା ବିସ୍ତାର କରିବାକୁ ଦେବ ନାହିଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଅମ୍ରିତପାଲ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ସମେତ କଂଗ୍ରେସ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଶିରୋମଣୀ ଅକାଳୀ ଦଳର ନେତା ହର୍ଷମିତ କୌର ବାଦଲ।

ତେବେ ପଳାତକ ଘୋଷଣା କରାଯାଇଥିବା ଖଲିସ୍ତନୀ ନେତା ଅମ୍ରିତପାଲ ସିଂ ଗିରଫ ହୋଇଛନ୍ତି ନା ଖସି ଯାଇଛନ୍ତି ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଅମ୍ରିତପାଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *