ପତ୍ନୀକୁ ନିଜର ସାମଗ୍ରୀ ଭାବେ ବ୍ୟବହାର କରିପାରିବନି। ସ୍ୱାମୀ ଦ୍ୱାରା ଆଗତ ହେବିଅସ କର୍ପସ ପିଟିସନକୁ ଖାରଜ କରିବା ସହ ୨୫ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନିଜ ପତ୍ନୀ ଓ ପିଲାଙ୍କ କଷ୍ଟଡି ନେବାକୁ ଅପିଲ୍ କରିଥିଲେ ସ୍ୱାମୀ ଜଣକ। ବୈବାହିକ ବିବାଦରୁ ତାଙ୍କ ପତ୍ନୀ ନିଜ ଇଛାରେ ତାଙ୍କ କମ୍ପାନୀକୁ ଛାଡ଼ିସାରିଲେଣି। ଏହା ଜାଣିବା ସତ୍ତ୍ୱେ ସ୍ୱାମୀ ଏଭଳି ପିଟିସନ ପକାଇଥିବାରୁ ତୀବ୍ର ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଭବିଷ୍ୟତରେ ଏଭଳି ବିବାଦୀୟ ପିଟିସନର ପୁନରାବୃତ୍ତିକୁ ଏଡ଼ାଇବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମୁରାହାରି ଶ୍ରୀରଣମଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅର୍ଥ ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସ ଅଥୋରିଟିଙ୍କ ପାଖରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପତ୍ନୀକୁ ସ୍ୱାମୀ ନିଜର ଇଛାରେ ପରିଚାଳିତ ଲାଗି ବାଧ୍ୟ କରିପାରିବନି କି ପତ୍ନୀଙ୍କୁ ସାମଗ୍ରୀ ଭାବି ବ୍ୟବହାର କରିପାରିବେନି। ପ୍ରତିଟି ଲୋକର ଆତ୍ମସମ୍ମାନ ଅଛି। ଏହା ସେମାନଙ୍କର ମୌଳିକ ଅଧିକାର ଅଟେ। କୌଣସି ଲିଙ୍ଗଗତ ଭେଦଭାବରେ ଏହାକୁ ଦେଖାଯାଇପାରିବନି। ନିଜ ଜୀବନର ନିଷ୍ପତ୍ତି ସ୍ୱାଧୀନ ଭାବେ ନେଇପାରିବେ ପତ୍ନୀ। ସ୍ୱାମୀଙ୍କ କମ୍ପାନୀରେ ରହିବା ବା ଛାଡ଼ିବା ପତ୍ନୀଙ୍କ ଇଛା। କିନ୍ତୁ ସ୍ୱାମୀ ପତ୍ନୀଙ୍କୁ କମ୍ପାନୀରେ ରହିବାକୁ ବାଧ୍ୟ କରିବା, କୋର୍ଟ କ୍ଷମତାର ଅପବ୍ୟବହାର କରି ରିଟ୍ ହେବିଏଲ କର୍ପସ ଇସ୍ୟୁ କରିବା ଗ୍ରହଣୀୟ ନୁହେଁ। ସ୍ୱାମୀ ଜଣକ ରିଟ୍ ପିଟିସନରେ ଦର୍ଶାଇଥିଲେ ଯେ, ତାଙ୍କ ପତ୍ନୀ ଓ ନାବାଳକ ପିଲାର କଷ୍ଟଡି ତାଙ୍କ ଶାଳକ ପାଖରୁ ଫେରାଇ ଅଣାଯାଉ। ସେ ଏ ଦୁହିଁଙ୍କୁ ବେଆଇନ ଅଟକ ରଖିଛି ବୋଲି ଆରୋପ ଲଦିଥିଲେ। ଏପ୍ରିଲ ୩୦, ୨୦୨୫ରେ ପୁଲିସ କେମିତି ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ କହି ଏକ କପିକୁ ସଂଲଗ୍ନ କରିଥିଲେ ରିଟ୍ ପିଟିସନରେ। କିନ୍ତୁ କୋର୍ଟ ଏଭଳି ଦାବିକୁ ନେଇ କୌଣସି ପ୍ରମାଣ ପାଇନଥିଲେ। ସେଥିଲାଗି ଆବେଦନକାରୀଙ୍କ ପିଟିସନ ବିଶ୍ୱାସଯୋଗ୍ୟ ନୁହେଁ ଓ ଅଯଥାରେ ବିବାଦ କରିବାର ଉଦ୍ଦେଶ୍ୟକୁ ହୃଦବୋଧ କରିଛନ୍ତି ଖଣ୍ଡପୀଠ। ଖଣ୍ଡପୀଠ ସନ୍ଦେହ କରିଥିଲେ ଯେ, ଆବେଦନକାରୀ ନିଜ ଆଡ଼ୁ ଏକ ଅଭିଯୋଗପତ୍ର ତିଆରି କରିଥିଲେ। ଆଉ ରିଟ୍ ପିଟିସନରେ ଏହାକୁ ଯୋଡ଼ି ଦେଇଛନ୍ତି। ଯାହା ପୁଲିସ କର୍ତ୍ତୃପକ୍ଷଙ୍କ ଆଗରେ କେବେ ବି ଦାଖଲ ହୋଇନଥିଲା। ପର୍ସନାଲ ସ୍କୋର ହାସଲ ଲାଗି ଆଇନଗତ ପ୍ରକ୍ରିୟାର ଦୁରୁପଯୋଗ ଚାହୁଁଥିଲେ ସ୍ୱାମୀ ଜଣକ। ପିଟିସନ ଫାଇଲ ପରେ ପୁଲିସ ପତ୍ନୀଙ୍କ ସହ ଯୋଗାଯୋଗ କରି ଜାଣିବାକୁ ପାଇଥିଲା ଯେ, ସ୍ୱାମୀଙ୍କ ସହ ତାଙ୍କର ବୈବାହିକ ବିବାଦ ରହିଛି। କୋର୍ଟକୁ ଅବଗତ କରାଇବା ପରେ ଏହାକୁ କେମିତି ବ୍ୟକ୍ତିଗତ ଭାବେ ତୁଟାଇବେ। ସେଥିଲାଗି ପତ୍ନୀଙ୍କୁ ସାମଗ୍ରୀ ଭାବେ ବ୍ୟବହାର କରୁଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now