ୟୁଟ୍ୟୁବର ଧୃବ ରାଠି ପୁଣି ବିବାଦରେ। ଶିଖ ଗୁରୁଙ୍କ ଉପରେ ଏଆଇର ବିବାଦୀୟ ଭିଡ଼ିଓ ପକାଇଥିଲେ ଧୃବ। ଏସଜିପିସି ମହାସଚିବ ଗୁରଚରଣ ସିଂ ଗ୍ରେଓ୍ୱାଲ ଶିଖ ଧର୍ମ ଓ ଗୁରୁଙ୍କ ବାବଦରେ ଭ୍ରାମକ ତଥ୍ୟ ପୋଷ୍ଟ ନେଇ କଡ଼ା ଆପତ୍ତି ଜାହିର କରିଥିଲେ। ଧୃବଙ୍କ ବିରୁଦ୍ଧରେ ପଞ୍ଜାବରୁ ନେଇ ଦିଲ୍ଲୀ ଯାଏ, ବିରୋଧ ଆରମ୍ଭ ହୋଇଥିଲା। ଲୋକଙ୍କର ରୋଷ ଓ ଧାର୍ମିକ ଭାବନାକୁ ଆଘାତ ହେଉଥିବା ଦେଖି ଶେଷରେ ଧୃବ ଏ ଭିଡ଼ିଓକୁ ଡିଲିଟ୍ କରିଛନ୍ତି। ଦି ରାଇଜ୍ ଅଫ ଶିଖ୍ ଶୀର୍ଷକ ଏଆଇ ଜେନେରେଟେଡ୍ ଭିଡ଼ିଓ କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଶିଖ୍ ଧର୍ମଗୁରୁଙ୍କ ଅପମାନ ବରଦାସ୍ତ କରାଯିବନି ବୋଲି ଚେତାଇ ଦିଆଯାଇଥିଲା। ଏଭଳି ଘୃଣ୍ୟ କାମ କରିଥିବା ଧୃବଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ଲାଗି ଦାବି ଜୋର୍ ଧରିଥିଲା। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ମଞ୍ଜିଦର ସିଂ ସିରସା ବି ସୋସିଆଲ ମିଡିଆରେ ଲମ୍ୱା ପୋଷ୍ଟ କରି ଏହାର କଡ଼ା ନିନ୍ଦା କରିଛନ୍ତି। ଶିଖ୍ ଯୋଦ୍ଧା ଯିଏ ମୋଗଲଙ୍କୁ ଭୟଭୀତ କରିଦେଲେ ଶୀର୍ଷକ ଭିଡିଓକୁ ନିନ୍ଦା କରିଛନ୍ତି ସିରସା। ଏହା କେବଳ ତଥ୍ୟାତ୍ମକ ରୂପରେ ତୃଟିପୂର୍ଣ୍ଣ ନୁହେଁ, ବରଂ ଶିଖ୍ ଇତିହାସ ଓ ଭାବନାକୁ ବି ଘୋର ଅପମାନ। ସାହାସ ଓ ଦିବ୍ୟତାର ଅବତାର ଶ୍ରୀଗୁରୁ ଗୋବିନ୍ଦ ସିଂଙ୍କୁ ଏକ ଛୋଟ ପିଲା ରୂପରେ କାନ୍ଦୁଥିବା ଦର୍ଶାଇବା ଶିଖ ଧର୍ମର ମୂଳ ଭାବନା ସହ ଖେଳିବା ଓ ଅସମ୍ମାନ କରାଗଲା। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ବା ଡିଏସଜିଏମସିର ଅଧ୍ୟକ୍ଷ ହରମିତ ସିଂ କାଲକା ବି ଧୃବଙ୍କ ଏଭଳି ଦାୟିତ୍ୱହୀନ ପୋଷ୍ଟ ଉପରେ ବର୍ଷିଥିଲେ। ଶିଖ୍ ସମ୍ପ୍ରଦାୟର ଭାବନାକୁ କୁଠାରଘାତ ଓ ପରମ୍ପରାକୁ ଚୋଟ୍ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଥିଲେ। ବିବାଦ ବଢ଼ିବା ଦେଖି ଧୃବ ସଫେଇ ଦେଇଛନ୍ତି ଯେ, ଏହା ଉପରେ ଲୋକଙ୍କ ମତାମତ ନିଆଯିବ ଆଉ ତା ପରେ ନିଷ୍ପତ୍ତି ହେବ। ଅନେକ ଲୋକଙ୍କୁ ଏହି ଭିଡ଼ିଓ ପସନ୍ଦ ଆସିଛି। କିନ୍ତୁ ଶିଖ୍ ସମୁଦାୟକୁ ଲାଗୁଛି ଯେ, ଆନିମେସନ ଜରିଆରେ ଶିଖ୍ ଗୁରୁଙ୍କୁ ଏଭଳି ଦେଖାଇବା ଭୁଲ୍। ଏମିତିରେ କୌଣସି ଶିଖ୍ ଗୁରୁଙ୍କ କାହାଣୀ ବିନା ଫଟୋ କି ଭିଡ଼ିଓରେ ତିଆରି କରିବା ସମ୍ଭବ ନୁହେଁ। ତେବେ ଶେଷରେ ଏହାକୁ ଡିଲିଟ୍ କରିଦେଇଛନ୍ତି ଧୃବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now