ପାକିସ୍ତାନ ଓ ପିଓକେରେ ଅପରେସନ ସିନ୍ଦୂରକୁ ନେଇ ପ୍ରେସମିଟରେ ପ୍ରଥମ ଥର ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ଦୁଇ ମହିଳା ଅଧିକାରୀ। ଜଣେ ହେଲେ କର୍ଣ୍ଣେଲ ସୋଫିଆ କୁରେସି ଓ ଅନ୍ୟ ଜଣେ ହେଲେ ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ। ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସ୍ତ୍ରୀଙ୍କ ସହ ପ୍ରେସମିଟରେେ ଏହି ଦୁଇ ମହିଳା ସେନା ଅଧିକାରୀ ନାରୀ ଶକ୍ତିର ପ୍ରତୀକ ସ୍ୱରୂପ ପାକିସ୍ତାନ ବିରୁଦ୍ଧରେ ଭାରତର ପ୍ରତିଶୋଧର ପ୍ରମାଣ ଦେଖାଇଥିଲେ। ତେବେ ଏହି ଦୁଇ ମହିଳା ଅଧିକାରୀଙ୍କ ବାବଦରେ ଜାଣନ୍ତୁ। ସୋଫିଆ ୧୭ ବର୍ଷ ବୟସରୁ ଭାରତୀୟ ସେନାରେ ସାମିଲ୍ ହୋଇଛନ୍ତି। ତାଙ୍କ ଜେଜେ ବାପା ବି ସେନାରେ ଥିଲେ। ମାର୍ଚ୍ଚ ୨୦୧୬ରେ ତତ୍କାଳୀନ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ ଏକମାତ୍ର ମହିଳା ଅଧିକାରୀ ଥିଲେ, ଯିଏ ପୁଣେରେ ଆୟୋଜିତ ବହୁରାଷ୍ଟ୍ରୀୟ ସେନା ଅଭ୍ୟାସ ଶିବିରରେ ସାମିଲ୍ ହୋଇଥିଲେ। ଏହି ଅଭ୍ୟାସ ଶିବିରରେ ୧୮ ଦେଶ ଯୋଗ ଦେଇଥିଲେ। ଚୀନ୍, ଜାପାନ, ଆମେରିକା, ଋଷ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ସାମିଲ ହୋଇଥିଲେ। ସୋଫିଆ ଶାନ୍ତି ସ୍ଥାପନା ଅଭିଯାନରେ ସକ୍ରିୟ ଥିଲେ। ୨୦୦୬ରେ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ମିଶନରେ ସୈନ୍ୟ ପର୍ଯ୍ୟବେକ୍ଷକ ରୂପରେ କାମ କରିଥିଲେ। ଆଉ ୨୦୧୦ରେ ଶାନ୍ତି ଅପରେସନ ସହ ଜଡ଼ିତ ଥିଲେ। ଗୁଜରାଟର ସୋଫିଆ ବାୟୋକେମିଷ୍ଟ୍ରିରେ ପିଜି କରିଛନ୍ତି। ଭାରତୀୟ ସେନାରେ ସର୍ଟସର୍ଭିସ କମିଶନ ଅନ୍ତର୍ଗତ ୧୯୯୯ରେ ସାମିଲ୍ ହୋଇଥିଲେ। ତାଙ୍କ ସ୍ୱାମୀ ମେକାନାଇଜିଡ୍ ଇନଫ୍ୟାଣ୍ଟ୍ରିରେ ଆର୍ମି ଅଫିସର ଅଛନ୍ତି। ସେପଟେ ବ୍ୟୋମିକା ସିଂ ୟୁପିଏସସି ଜରିଆରେ ଏୟାରଫୋର୍ସରେ ଏଣ୍ଟ୍ରି ମାରିଥିଲେ। ୧୩ ବର୍ଷ ପରେ ଓ୍ୱିଙ୍ଗ୍ କମାଣ୍ଡର ହେଲେ। ଷଷ୍ଠ ଶ୍ରେଣୀରୁ ଏୟାରଫୋର୍ସ ଯିବାକୁ ମନସ୍ଥ କରିଥିଲେ ବ୍ୟୋମିକା। ବ୍ୟୋମିକାଙ୍କୁ ଡିସେମ୍ୱର ୧୮, ୨୦୦୪ରେ ଭାରତୀୟ ବାୟୁସେନାରେ କମିଶନ କରାଯାଇଥିଲା। ବ୍ୟୋମିକାଙ୍କ ଯୁଦ୍ଧ ହେଲିକେପ୍ଟର ଉଡ଼ାଇବାରେ ବେଶ୍ ଅଭିଜ୍ଞତା ରହିଛି। ଡିସେମ୍ୱର ୧୮, ୨୦୧୭ରେ ଓ୍ୱିଙ୍ଗ୍ କମାଣ୍ଡର ହୋଇଥିଲେ। ୨୫ଶହରୁ ଅଧିକ ଘଣ୍ଟା ଫ୍ଲାଇଂ ଓଭର୍ସ ପୁରା କରିବାର ଅନୁଭବ ରହିଛି। ୨୦୨୧ରେ ମାଉଣ୍ଟ ମଣିରଙ୍ଗ ଚଢ଼ିଥିବା ବାୟୁସେନାର ମହିଳା ଓ୍ୱିଙ୍ଗରେ ବି ସାମିଲ୍ ହୋଇଥିଲେ ସେ। ଏନସିସିରେ ସାମିଲ୍ ହୋଇ ନିଜ ଲକ୍ଷ୍ୟକୁ ପିଛା କରି ନିଜର ଇଞ୍ଜିନିୟରିଂ କୋର୍ସ ପୂରଣ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now