ବନ୍ଦ ହୋଇଯିବ କି ବିଏସକେୱାଇ ଯୋଜନା ?

Spread the love

ରାଜ୍ୟରେ ଆଉ ଚଳିବନି ବିଏସକେୱାଇ ଯୋଜନା । ଏଣିକି ଲାଗୁ ହେବ ଆୟୁଷ୍ମାନ ଯୋଜନା । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ’ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା କହିଛନ୍ତି । ଏଭଳି ବିବୃତ୍ତି ପରେ ରାଜ୍ୟ ତମାମ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଗତକାଲିର ନିର୍ବାଚନ ଫଳାଫଳ ପର ଠାରୁ ବିଏସକେୱାଇ କାର୍ଡ ହିତାଧିକାରୀ ଚିକିତ୍ସା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ଯେଉଁ ସ୍ୱାସ୍ଥ୍ୟ କାର୍ଡ ଲୋକଙ୍କୁ ସହାୟକ ହୋଇଥିଲା ତାହାକୁ ହସପିଟାଲ ଏବେ ବାରଣ କରୁଥିବା ବେଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସୁବିଧା ରାଜ୍ୟରେ ଏବେ ଲାଗୁ ହୋଇନାହିଁ। ଅବଶ୍ୟ ପରେ ନିଜ ପ୍ରତିକ୍ରିୟା ବଦଳାଇଛନ୍ତି ମନମୋହନ। ହସପିଟାଲ ରୋଗୀଙ୍କୁ ଫେରାଇବା ନୁର୍ଭାଗ୍ୟଜନକ । ସରକାର ପରିବର୍ତ୍ତନ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଦ୍ୱନ୍ଦ୍ୱ ସୃଷ୍ଟି କରା ନଯାଉ । ଏପରି କରାଯିବା ସାମାଜିକ ଓ ବୈଧାନିକ ଅପରାଧ ବୋଲି କହିଛନ୍ତି। ଏବଂ ଏଥିପ୍ରତି ପ୍ରଶାସନ ସଜାଗ ରହୁ ବୋଲି କହିଛନ୍ତି ।

ଅନ୍ୟପଟେ ନିର୍ବାଚନୀ ପ୍ରଚାର ବେଳେ ବିଜେଡି କହିଥିଲା ଯେ, ବିଜେପି ସରକାରକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ କରିଦେବ। ଯାହାକୁ ଖଣ୍ଡନ କରି ଭୁଲ ବାର୍ତ୍ତା ଦିଆଯାଉଛି ବୋଲି ବିଜେପି ସ୍ପଷ୍ଟ କରୁଥିଲା । ପ୍ରତି ଥର ବିଏସକେୱାଇ ଭଲ କି ଆୟୁଷ୍ମାନ ଯୋଜନା ଭଲ ତାକୁ ନେଇ ବିବାଦ, ବିତର୍କ ହୋଇଛି । ଓଡ଼ିଶା ଲୋକଙ୍କୁ ସୁବିଧା ମିଳୁ ଏକଥା ନବୀନ ସରକାର ଚାହୁଁନାହାଁନ୍ତି ବୋଲି ଅଭିଯୋଗ ଆସିଛି । ଏବେ ଯେତିକି ହିତାଧିକାରୀ ବିଏସକେୱାଇରେ ଅନ୍ତର୍ଭୁକ୍ତ ହୋଇଥିଲେ ସେ ସମସ୍ତେ ଆୟୁଷ୍ମାନ ଯୋଜନା ପାଇଁ ଯୋଗ୍ୟ ହେବେ କି ନାହିଁ ସେ ପ୍ରଶ୍ନ ଉଠିଛି । କେନ୍ଦ୍ର ଯୋଜନା ଇନସୁରାନ୍ସ କଥା କହୁଥିବା ବେଳେ ବିଏସକେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସୁରାନ୍ସ ଥିଲା ବୋଲି ଯୁକ୍ତି ଦିଆଯାଇଥିଲା । ଅନ୍ୟପଟେ ଆୟୁଷ୍ମାନ ଯୋଜନାରେ ହିତାଧିକାରୀ ଚୟନର ଯେଉଁ ମାପକାଠି ଦିଆଯାଇଛି ସେଥିରୁ ଅନେକ ଗରିବ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ବାଦ ପଡ଼ିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ବିଏସକେୱାଇର ବିକଳ୍ପ ଆୟୁଷ୍ମାନ ହେବ କି ନାହିଁ ଏ ପ୍ରଶ୍ନ ଉଠିଛି । ଏ ପରିପ୍ରେକ୍ଷୀରେ ଆୟୁଷ୍ମାନ ଯୋଜନାର ପରିବର୍ତ୍ତିତ ସ୍ୱରୁପ ନଆସିଲେ ଜନ ଅସନ୍ତୋଷ ନୂଆ ସରକାର ପାଇଁ ଆହ୍ୱାନ ହୋଇପାରେ ।

Leave a Reply

Your email address will not be published. Required fields are marked *