ଇଣ୍ଡିଗୋ ସଙ୍କଟ ଧୀରେ ଧୀରେ ସୁଧୁରୁଛି। ଟ୍ରାକକୁ ଫେରୁଛି ଇଣ୍ଡିଗୋ। ଇଛାକୃତ ତୃଟି ଲାଗି ଇଣ୍ଡିଗୋ ବିରୁଦ୍ଧରେ ସରକାର ବି କଡ଼ା କାର୍ଯାନୁଷ୍ଠାନ ନେଲେଣି। ୧୦ ପ୍ରତିଶତ ଫ୍ଲାଇଟ୍ ଉଡ଼ାଣ କାଟିବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି ସରକାର। ୨୩ଶହ ଫ୍ଲାଇଟରୁ ଆଜି ୧୯ଶହ ଫ୍ଲାଇଟ୍ ଉଡ଼ାଣ ଭରିଛି। ନବମ ଦିନ ସୁଦ୍ଧା ସର୍ଭିସ ପୁରା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ଇଣ୍ଡିଗୋ ସିଇଓ ପିଟର ଆଲବର୍ସଙ୍କୁ ମଙ୍ଗଳବାର ସଂଧ୍ୟାରେ ଅପଡେଟ୍ ଦେବାକୁ ମନ୍ତ୍ରାଳୟକୁ ଡକାଯାଇଥିଲା। ପିଟର ବି ଏଭଳି ସଙ୍କଟ ଲାଗି ହାତଯୋଡ଼ି କ୍ଷମା ମାଗିଛନ୍ତି। ଗଲା ସପ୍ତାହରେ କ୍ରୁ ରୋଷ୍ଟର, ଫ୍ଲାଇଟ୍ ସିଡ୍ୟୁଲ ଓ ଅପରେସନରେ ବିଫଳତାରୁ ଯାତ୍ରୀ ଫସିଯାଇଥିଲେ। ଇଣ୍ଡିଗୋ ସଂକଟ ଲାଗି ଯାତ୍ରୀ ଯେଉଁ ଦୁର୍ଦ୍ଦଶା ଭୋଗିଲେ, ତାକୁ ହାଲୁକା ଭାବେ ନେଇହେବନି ବୋଲି ସଫା ସଫା ଶୁଣାଇ ଦେଇଥିଲେ ସଂସଦର ଉଭୟ ସଦନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ। ଆଜି ଅର୍ଥାତ ବୁଧବାର ସୁଦ୍ଧା ଇଣ୍ଡିଗୋ ଏକ ସଂଶୋଧିତ ସମୟ ସାରଣୀ ତିଆରି କରି ଡିଜିସିଏକୁ ଦେବାକୁ କୁହାଯାଇଥିଲା। ପୂର୍ବରୁ ଇଣ୍ଡିଗୋ ସିଇଓ ପୁରା ସେବା ସ୍ୱାଭାବିକ ହେବାକୁ ଡିସେମ୍ୱର ୧୦ରୁ ୧୫ ତାରିଖ ଯାଏ ମହଲତ ମାଗିଥିଲେ। କିନ୍ତୁ ଆଜି ସୁଦ୍ଧା ସଞ୍ଚାଳନକୁ ସ୍ୱାଭାବିକ କରିଦିଆଯାଇଛି।

ଡିସେମ୍ୱର ୫ରେ କେବଳ ୭ଶହ ଉଡ଼ାଣ ଭରିଥିଲା ଇଣ୍ଡିଗୋ। ଏହା ପରେ ଧୀରେ ଧୀରେ ସୁଧାର ଆସିଥିଲା। ୬ ତାରିଖରେ ୧୫ଶହ, ୭ରେ ୧୬୫୦, ସୋମବାର ଓ ମଙ୍ଗଳବାର ୧୮ଶହ ଉଡ଼ାଣ ଭରିଥିଲା। ସୋମବାର ଇଣ୍ଡିଗୋ ଦାବି କରିଥିଲା ଯେ, ନିଜ ନେଟଓ୍ୱର୍କର ସମସ୍ତ ୧୩୮ ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିଥିଲା ଯାହାକି ଥିଲା ଅନ୍ ଟାଇମ୍। ଇଣ୍ଡିଗୋ ଅପରେସନକୁ ତଦାରଖ କରିବାକୁ ଡିଜିସିଏ ୮ ଜଣ ଫ୍ଲାଇଟ୍ ଅପରେସନ ଇନ୍ସପେକ୍ଚରଙ୍କୁ ନେଇ କମିଟି ଗଠନ କରିଛି। ଗୁରଗାଁଓର ଇଣ୍ଡିଗୋର କର୍ପୋରେଟ ଅଫିସରେ ଦୁଇ ଅଫିସରଙ୍କୁ ସ୍ଥାୟୀ ଭାବେ ରହିବାକୁ ନିର୍ଦେଶ ଦିଆଯାଇଛି। ଇଣ୍ଡିଗୋ ସଙ୍କଟ ନେଇ ଆଗତ ଜନସ୍ୱାର୍ଥ ମାମଲାରେ ଦିଲ୍ଲୀ ହାଇକୋର୍ଟ ବି ଉଭୟ କେନ୍ଦ୍ର ଓ ଇଣ୍ଡିଗୋ ଉପରେ ବର୍ଷିଛନ୍ତି। କେନ୍ଦ୍ର କଅଣ ଅସହାୟ କି। ଯାତ୍ରୀଙ୍କୁ କ୍ଷତିପୂରଣ ଦେଉ ଏୟାରଲାଇନ୍ସ। ଯଦିଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ସେପଟେ ଭୁବନେଶ୍ୱର ବିମାନ ବନ୍ଦରରେ ବି ଇଣ୍ଡିଗୋ ସେବା ସ୍ୱାଭାବିକ ହୋଇଛି। ବିମାନବନ୍ଦର ନିର୍ଦେଶକ କହିଛନ୍ତି, ସଙ୍କଟ ବେଳେ ବିମାନବନ୍ଦରରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇଛୁ। ଯେହେତୁ ସେବା ସ୍ୱାଭାବିକ ହୋଇଛି, ଆଉ ଯାତ୍ରୀ ହଇରାଣ ହେବେନି। ସିଆଇଏସଏଫ ବି ସୁରକ୍ଷା ପ୍ରତି ଯଥେଷ୍ଟ ଯତ୍ନବାନ୍ ଥିଲା। ଫ୍ଲାଇଟ୍ ବାତିଲ ଓ ଅହେତୁକ ବିଳମ୍ୱରୁ ଯାତ୍ରୀଙ୍କୁ ଆଗୁଆ ଫ୍ଲାଇଟ୍ ଷ୍ଟାଟସ ଚେକ୍ କରି ଘରୁ ବାହାରିବାକୁ କୁହାଯାଇଥିଲା। ଲୋକେ ପାଣି କି ଖାଦ୍ୟ ପାଇଁ ସମସ୍ୟାରେ ପଡ଼ିଥିଲା ବେଳେ ସହଯୋଗ କରାଯାଇଛି। ଯାତ୍ରୀଙ୍କୁ ଆଶ୍ୱସ୍ତ କରାଯାଇଛି, ଆଗକୁ ଯାତ୍ରା କେମିତି ସୁଗମ ହେବ, ଚେଷ୍ଟା କରିବୁ। ସ୍ପଟ୍ କ୍ୟାନସଲ ବ୍ୟବସ୍ଥାକୁ ହଟାଇଦିଆଯାଇଛି। ଏୟାରଲାଇନ୍ସ ଜରିଆରେ ବାତିଲର ବହୁ ପୂର୍ବରୁ ଜଣାଇ ଦିଆଯିବ। ସ୍ୱାଭାବିକ ଅବସ୍ଥା ଖୁବ ଶୀଘ୍ର ଫେରିବ। ସିକ୍ୟୁରିଟି ଚେକ୍ ଇନ୍ ଓ ଖାଦ୍ୟ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ଅତିରିକ୍ତ ମାନବସମ୍ୱଳ ଲଗାଯାଇଛି। ଲଗେଜ ଡେଲିଭରି ଅସୁବିଧା ଦୂର କରାଯିବ। କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଛି। ସିଡ୍ୟୁଲ୍ କଟ୍ ହେଲେ ଭୁବନେଶ୍ୱର ପ୍ରଭାବିତ ହେବ କି ନାହିଁ, ସ୍ପଷ୍ଟତା ଆସିନି। ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହେଲେ। ଇଣ୍ଡିଗୋର ବେପରୁଆ ମନୋଭାବ ଓ ମନମାନିରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା। ବଡ଼ ଏୟାରଲାଇନ୍ସ, ସମୟାନୁବର୍ତ୍ତିତାରେ ପରଫେକ୍ଟ ବୋଲି ଦାବି କରୁଥିବା ଇଣ୍ଡିଗୋର ଏଭଳ ଅକ୍ଷମଣୀୟ ଅପରାଧକୁ ନେଇ ସବୁଠି ଚର୍ଚ୍ଚା।
Naxatra News is now on Whatsapp
Join and get latest news update delivered to you via whatsapp
Join Now