ଦଳିତ ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ୱିତ

Spread the love

ଲକ୍ଷ୍ନୌ: ଶିକ୍ଷକଙ୍କ ଗାଡିରେ ହାତ ମାରିଦେବାରୁ ନିର୍ଦ୍ଧୁମ ମାଡ ହୋଇଛି ଦଳିତ ଛାତ୍ରଙ୍କୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର ନଗରା ଅଞ୍ଚଳର ଏକ ବିଦ୍ୟାଳୟରେ। ଏହି ଘଟଣାରେ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ତେବେ ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ ମଣିରାମ ସିଂ କହିଛନ୍ତି ଯେ, ଏହି ଖବର ପାଇବା ମାତ୍ରକେ ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପ୍ରାଥମିକ ଅନୁସନ୍ଧାନ କରାଯାଇଥିଲା ଏବଂ ଏହି ରିପୋର୍ଟରେ ଶିକ୍ଷକ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ କୃଷ୍ଣ ମୋହନ ଶର୍ମାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ୱିତ କରାଯାଇଛି। ଏହି ଘଟଣାରେ ପୋଲିସ ଶନିବାର ଶିକ୍ଷକ କୃଷ୍ଣଙ୍କ ବିରୋଧରେ  ମାମଲା ରୁଜୁ କରିଛି।

ପୋଲିସର ସୂଚନା ଅନୁସାରେ, ଜିଲ୍ଲା ନଗରା ଥାନା ଅଞ୍ଚଳର ଭୀମପୁର ନମ୍ୱର-୨ ଗାଁର ବାସିନ୍ଦା ବିବେକ ନଗରା ରନାପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର। ବିବେକ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଶୁକ୍ରବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ସ୍କୁଲ ଶିକ୍ଷକ କୃଷ୍ଣ ମୋହନ ଶର୍ମାଙ୍କ ବାଇକରେ ହାତ ରଖିଦେଇଥିଲେ।

ଏହାପରେ ଶିକ୍ଷକ ରାଗି ଯାଇ ବିବେକଙ୍କ କର୍ଲର ଧରି ତାଙ୍କୁ ଟାଣି ନେଇ ଏକ କ୍ଲାସ ରୁମରେ ବନ୍ଦ କରିଦେଇଥିଲେ। ତାପରେ ଶିକ୍ଷକ ବିବେକକୁ ଲୁହା ପାଇପ ଓ ଝାଡୁରେ ପିଟିବା ସହ ତାଙ୍କ ତଣ୍ଚି ଚିପି ଦେଇ ଅକଥନୀୟ ଅତ୍ୟାଚାର କରିଥିଲେ। ସ୍କୁଲର ଅନ୍ୟ ଶିକ୍ଷକ ଓ ଛାତ୍ରମାନେ ଆସି ଶିକ୍ଷକଙ୍କୁ ଅଟକାଇ ବିବେକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଘଟ ହେବାପରେ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ହୋହାଲା କରିଥିଲେ।

ଘଟଣା ସ୍ଥଳରେ ନଗରା ପୋଲିସ ଏବଂ ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ଆୟତ୍ତ କରିଲେ। ଛାତ୍ର ଜଣଙ୍କ ଦଳିତ ବର୍ଗର ହୋଇଥିବାରୁ ତାଙ୍କୁ ଏପରି ଅକଥନୀୟ ଅତ୍ୟାଚାର ଦିଆଯାଇଛି ବୋଲି ଛାତ୍ରର ମାଆ କୌଶୀଳା ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଏହାର ତଦନ୍ତ ଜାରି ରଖିଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *