ପାନ ମସଲା ବ୍ରାଣ୍ଡର ପ୍ରଚାରକୁ ମୃତ୍ୟୁ ବିକ୍ରି ସହିତ ତୁଳନା କଲେ ଜନ୍ ଆବ୍ରାହମ୍

ଜନ୍ ଆବ୍ରାହମ୍ ତାଙ୍କ ଶୃଙ୍ଖଳିତ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ଏକ ସୁସ୍ଥ ନିରାମୟ ଜୀବନଶୈଳୀ ବଜାୟ ରଖିବାରେ ଅଭିନେତା ବ୍ୟାୟାମ ଏବଂ କ୍ରୀଡ଼ାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରନ୍ତି । ନିକଟରେ ରଣବୀର ଆହ୍ଲାବାଦିଆଙ୍କ ସହ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ପୋଡକାଷ୍ଟରେ ଜନ୍ ‘ପାନ ମସଲା’ ବ୍ରାଣ୍ଡକୁ ସମର୍ଥନ କରୁଥିବା କଳାକାରମାନଙ୍କୁ ସମାଲୋଚନା କରିଥିଲେ । ସେ ‘ପାନ ମସଲା’ ବ୍ରାଣ୍ଡର ପ୍ରଚାରକୁ ‘ମୃତ୍ୟୁର ବିକ୍ରି’ ସହ ତୁଳନା କରିଛନ୍ତି ।

ଆଗକୁ ଆସୁଥିବା ଫିଲ୍ମ ‘ବେଦା’ର  ଅଭିନେତା ଜନ୍ କହିଛନ୍ତି ଯେ ସେ ଜଣେ ଆଦର୍ଶ ହେବାକୁ ଚାହାଁନ୍ତି ଏବଂ ସର୍ବଦା ସେ ଯାହା ଉପଦେଶ ଦିଅନ୍ତି ତାହା ଅଭ୍ୟାସ କରନ୍ତି । ସେ କହିଛନ୍ତି, ଯଦି ମୁଁ ମୋ ଜୀବନକୁ ସଚ୍ଚୋଟତାର ସହ ବଂଚୁଛି ଏବଂ ଯଦି ମୁଁ ଯାହା ଉପଦେଶ ଦେଉଛି ତାହା ଅଭ୍ୟାସ କରୁଛି, ତେବେ ମୁଁ ଜଣେ ଆଦର୍ଶ । କିନ୍ତୁ ଯଦି ମୁଁ ନିଜର ଏକ ନକଲି ସଂସ୍କରଣକୁ ସର୍ବସାଧାରଣରେ ଉପସ୍ଥାପନ କରୁଛି ଏବଂ ସେମାନଙ୍କ ପିଠି ପଛରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରି ଆଚରଣ କରୁଛି, ତେବେ ସେମାନେ ଏହା ବିଷୟରେ ମଧ୍ୟ ଜାଣିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି, “ଲୋକମାନେ ଫିଟନେସ୍ ବିଷୟରେ କଥା ହୁଅନ୍ତି ଏବଂ ସେହି ଲୋକମାନେ ପାନ ମସଲାକୁ ସମର୍ଥନ ମଧ୍ୟ କରନ୍ତି । ପାନ ମସଲା ଶିଳ୍ପର ବାର୍ଷିକ କାରବାର ୪୫,୦୦୦ କୋଟି ଟଙ୍କା ବୋଲି କହିବା ସହିତ ସେ ଏହା କହିଥିଲେ ଯେ , ସରକାର ମଧ୍ୟ  ଏହାକୁ ସମର୍ଥନ କରୁଛନ୍ତି ଏବଂ ସେଥିପାଇଁ ଏହା ବେଆଇନ ନୁହେଁ । କିନ୍ତୁ ତୁମେ ମୃତ୍ୟୁକୁ ବିକ୍ରି କରୁଛ । ତୁମେ ଏହା ସହିତ କେମିତି ବଞ୍ଚିପାରିବ? ଏଭଳି କହିବା ସହିତ ସେ କେବେ ବି ଏଭଳି ପ୍ରଚାରରେ ଭାଗ ନେବେ ନାହିଁ , କାରଣ ଏହା ତାଙ୍କ ନୀତି  ବିରୁଦ୍ଧ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ତାଙ୍କର ସମସ୍ତ ଅଭିନେତା ବନ୍ଧୁଙ୍କୁ ଭଲ ପାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ କାହାକୁ ଅସମ୍ମାନ କରନ୍ତି ନାହିଁ ।  ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେ ନିଜ ବିଷୟରେ କହୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *