ବଲିଉଡ୍ ସିଙ୍ଗର ସୋନୁ ନିଗମଙ୍କୁ ମାଡ଼

Spread the love

ମୁମ୍ୱାଇ: ସୋନୁ ନିଗମଙ୍କୁ ଆକ୍ରମଣ। ମୁମ୍ୱାଇର ଏକ କାର୍ଯ୍ୟକ୍ରମରେ ଗାୟକ ସୋନୁଙ୍କୁ ମାଡ଼ ମାରିଛନ୍ତି ଶିବସେନା ବିଧାୟକଙ୍କ ପୁଅ। ସୋନୁଙ୍କୁ ଆକ୍ରମଣ ନେଇ ଭିଡ଼ିଓ ଭାଇରାଲ ପରେ ଏବେ ତେଜିଲାଣି ରାଜନୀତି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା  ଓ ବିଜେପି ଭିତରେ ଏହି ଘଟଣାକୁ ନେଇ ପଲିଟିକାଲ ଓ୍ୱାର୍ ତେଜିଛି।

ସେଲଫିକୁ ନେଇ ବଲିଉଡ୍ ସିଙ୍ଗର ସୋନୁ ନିଗମଙ୍କୁ ମାଡ଼। ସୋନୁଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ବି ବାଦ୍ ପଡ଼ିଲେନି। ମୁମ୍ୱାଇରେ ସୋନୁଙ୍କ କାର୍ଯ୍ୟକ୍ରମରେ ଏଭଳି ହଙ୍ଗାମାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ। କାରଣ ସୋନୁଙ୍କ ସହ ସେଲଫି ନେବାକୁ ଆସି ଏଥିରେ ଫେଲ୍ ମାରିବାରୁ ସୋନୁଙ୍କୁ ଧକ୍କା ମାରି ସହଯୋଗୀଙ୍କୁ ମାଡ଼ ମାରିଥିବା ଯୁବକ ହେଉଛନ୍ତି ଜଣେ ବିଧାୟକଙ୍କ ପୁଅ। ତା ପୁଣି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସ୍ୱପ୍ନିଲ୍। ସେଥିଲାଗି ଏହି ମାମଲା ଏବେ ରାଜନୀତିକ ମୋଡ଼ ନେଇଛି। ସୋନୁ ବି ଏ ନେଇ ଚେମ୍ୱୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ତାଙ୍କର ବୟାନ ରେକର୍ଡ କରିଛି। ଅଭିଯୋଗ ଅନୁସାରେ ଅଭିଯୁକ୍ତ ବିଧାୟକଙ୍କ ପୁଅ ଜବରଦସ୍ତି ସେଲଫି ନେବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଅଟକାଇବାରୁ ସେ ସୋନୁଙ୍କ ଦୁଇ ସହଯୋଗୀଙ୍କୁ ମାଡ଼ ମାରିଥିଲେ। ବିଜେପି କହିଛି, ଏଭଳି ଗୁଣ୍ଡାଗର୍ଦ୍ଦି ଆଗରୁ ବି ହୋଇଛି। ଏହା ଆଗରୁ ଜଣେ ଭେଟେରାନ ବି ଏମିତି ଆକ୍ରମଣର ଶୀକାର ହୋଇଛନ୍ତି। ଅଭ୍ୟାସଗତ ଅପରାଧୀ ହିଂସା ଭିଆଇଲେଣି।

ଆଉ ପ୍ରିୟଙ୍କା ଚତୁର୍ବେଦୀ ସଫେଇରେ କହିଛନ୍ତି କି, ସେଲଫି ଲାଗି ବିଧାୟକଙ୍କ ପୁଅ ଯାଇଥିଲେ ମଞ୍ଚକୁ। କିନ୍ତୁ ସୋନୁଙ୍କ ବଡ଼ିଗାର୍ଡ ତାଙ୍କୁ ଅଟକାଇଥିଲେ। ଯେହେତୁ ସେମାନେ ତାଙ୍କ ପରିଚୟ ଜାଣିନଥିଲେ। ଅଭିଯୁକ୍ତ ସ୍ୱପ୍ନିଲଙ୍କ ଭଉଣୀ କହିଛନ୍ତି, ସୋନୁଙ୍କ ଫ୍ୟାନ୍ ବୋଲି ତାଙ୍କ ଭାଇ ସେଲଫି ନେବାକୁ ଚାହିଁଥିଲେ। ଏଭଳି ଘଟଣା ଲାଗି ସୋନୁଙ୍କୁ କ୍ଷମା ବି ମାଗିଛୁ। ମଞ୍ଚରୁ ପଡ଼ି ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ବି ନେଇଥିଲୁ। ଏହାକୁ ନେଇ କୌଣସି ରାଜନୀତିକରଣ କରିବା କଥା ନୁହେଁ। ସ୍ୱପ୍ନିଲ୍‌ ପୁଲିସକୁ ତଦନ୍ତରେ ସହଯୋଗ କରିବେ। ସ୍ୱପ୍ନିଲଙ୍କ ଭଉଣୀ ସୁପ୍ରଦା ବିଏମସିର ପୂର୍ବତନ କର୍ପୋରେଟର। ସେ ହସ୍ତକ୍ଷେପ କରିବା ପରେ ବଡ଼ିଗାର୍ଡ ଓ ତାଙ୍କ ଭାଇଙ୍କ ଭିତରେ କଳି ବନ୍ଦ ହୋଇଥିଲା।

ସୋମବାର ରାତିରେ ଲାଇଭ କନସର୍ଟ ସାରି ମଞ୍ଚରୁ ଓହ୍ଲାଉଥିଲା ବେଳେ ଏଭଳି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛନ୍ତି ସୋନୁ ନିଗମ। ସ୍ୱପ୍ନିଲ ବିରୁଦ୍ଧରେ ଦଫା ୩୨୩, ୩୪୧, ୩୩୭ରେ ମାମଲା ରୁଜୁ ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *