ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ସୁଟିଂ ସାରି ଆନ୍ଧ୍ର ଫେରି ଯାଇଛନ୍ତି ପୁଷ୍ପା-୨ର ଟିମ୍‌

Spread the love

ମାଲକାନଗିରି : ମାଲକାନଗିରି ମାଟିରେ ସରିଲା ପୁଷ୍ପା-୨ ସିନେମାର ସୁଟିଂ । ଆନ୍ଧ୍ର- ଓଡିଶା ସୀମା ପୋଲେରୁ ଗାଁ, ସିଲେରୁ ନଈ କୂଳରେ ଚାଲିଥିବା ପୁଷ୍ପା-୨ ସିନେମାର ସୁଟିଂ ଶେଷ ହୋଇଛି । ଦୀର୍ଘ ୧୦ ଦିନ ଧରି ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ସୁଟିଂ ସାରି ଆନ୍ଧ୍ର ଫେରି ଯାଇଛନ୍ତି ପୁଷ୍ପା-୨ର ଅଭିନେତା, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କ୍ରିୟୁ ମେମ୍ବର । ତେବେ ପୁଷ୍ପା-୨ର ୨ୟ ପର୍ଯ୍ୟାୟ ସୁଟିଂ ଆଗାମୀ ଜୁନ ମାସର ଶେଷ ଆଡକୁ ହୋଇପାରେ ବୋଲି ସୂଚନା ମିଳିଛି । ଯେଉଁଥିରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ସୁଟିଂ ରହିଛି । ଆଉ ସେ ମାଲକାନଗିରି ଆସୁଥିବା କୁହାଯାଉଛି । ସ୍ୱାଭିମାନ ଅଂଚଳର ହନ୍ତାଳଗୁଡା, ସାର୍କୁବନ୍ଧ ଝୁଲା ପୋଲ ଠାରେ ୨ ପର୍ଯ୍ୟାୟ ସୁଟିଂର ଜବରଦସ୍ତ ସିନ୍ ସବୁ ସୁଟ୍ ହେବାର ସୂଚନା ରହିଛି । ଯେଉଁଥିରେ ପୁଷ୍ପା ଚନ୍ଦନ କାଠ ତସ୍କରୀ କରିବ । ତେଣୁ ପୁଷ୍ପା-୨ର ଟିମ୍ ପୁଣି ଥରେ ମାଲକାନଗିରି ଆସିବେ । ତେବେ ମଇ ୫ ତାରିଖ ଦିନ ସିନେମାର ନିର୍ଦ୍ଦେଶକ ସୁକୁମାରଙ୍କ ସମେତ ଅନ୍ୟ ମେମ୍ବର ମାନେ ଆସି ସ୍ଥାନ ଦେଖିଥିଲେ । ୮ ତାରିଖ ଦିନ ଲାଲ ଚନ୍ଦନ ପରି ଦିଶୁଥିବା ନକଲି କାଠ ଟ୍ରକରେ ଆସି ସିଲେରୁ ନଦୀ କୂଳରେ ପହଂଚି ଥିଲା । ଆଉ ୧୦ ତାରିଖରୁ ସୁଟିଂ ଆରମ୍ଭ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟ ସୁଟିଂରେ ଜଙ୍ଗଲରୁ ରକ୍ତ ଚନ୍ଦନ କାଠ କାଟି ନଈ କୂଳକୁ ଅଣାଯାଇଛି । ଯାହା ବିଦେଶକୁ ଚୋରା ଚାଲାଣ ହେବ । ମାଲକାନଗିରିର ଘଂଚ ଜଙ୍ଗଲରେ ଚନ୍ଦନ କାଠ ଚାଲାଣ ହେଉଥିବା ଖବର ପାଇ ପୋଲିସ ସମସ୍ତଙ୍କୁ ଘେରାବନ୍ଦୀ କରିବାକୁ ଉଦ୍ୟମ କରିଛି । ଖୋଦ୍ ଏସପି ଭଁୱର ସିଂ ଶେଖାୱତ ମାଲକାନଗିରି ଜଙ୍ଗଲରେ ପହଂଚି ଥିଲେ । ଆଉ ପୁଷ୍ପାକୁ ଧରିବାକୁ ପୋଲିସ ଫୋର୍ସ ସହ ପଇଁତରା ମାରୁଥିବାର ସିନ୍ ସୁଟିଂ ସରିଛି । ତେବେ ଆଗକୁ କେଉଁ ସିନ୍ ସୁଟ୍ ହେଉଛି ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ପୁଷ୍ପା-୨ ସୁଟିଂ ବେଳେ ଅନେକ ଦର୍ଶକ ସୁଟିଂ ସେଟ ପାଖରେ ଫିଲ୍ମରେ ଅଭିନୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । କାଠ ବୁହା ସିନ୍ ହେଉ ପଛେ ତେଲୁଗୁ ମୁଭିରେ ଟିକେ ଚାନ୍ସ ପାଇବାକୁ ଲାଇନ ଲଗେଇଥିଲେ । ଅନେକଙ୍କୁ ସୁଯୋଗ ମିଳିଥିଲେ ହେଁ ଅନେକ ନିରାଶ ହୋଇଥିଲେ । ଆଉ ୟାରି ଭିତରେ ସିଲେରୁ ନଈ କୂଳରୁ କ୍ୟାମ୍ପ ଉଠାଇ ଫେରି ଯାଇଛି ପୁଷ୍କା ଟିମ୍ ।

Leave a Reply

Your email address will not be published. Required fields are marked *