ଦ କାଶ୍ମୀର ଫାଇଲ ଅଶ୍ଳୀଳ !

Spread the love

ନୂଆଦିଲ୍ଲୀ: ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ବା ଆଇଏଫଏଫଆଇର ଜୁରୀ ପ୍ରମୁଖ ବହୁଚର୍ଚ୍ଚିତ ଫିଲ୍ମ ଦ କାଶ୍ମୀର ଫାଇଲକୁ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଫିଲ୍ମ କହିଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ଆଇଏଫଏଫଆର ଜୁରୀ ମୁଖ୍ୟ ତଥା ଇଜରାଇଲ ଫିଲ୍ମ ନିର୍ମାତା ନଦାବ ଲାପିଡ ଏକ ଦୁଷ୍ପ୍ରଚାର  ଓ ଅଶ୍ଳୀଳ ଫିଲ୍ମ କହିବା ସହ ଏପରି ଫିଲ୍ମର ପ୍ରଦର୍ଶନ ଏପରି ଏକ ପ୍ଲାଟଫର୍ମରେ ହେବାକୁ ସେ ନିନ୍ଦା କରିଛନ୍ତି।

ଗୋଆରେ ଅନୁଷ୍ଠିତ ୫୩ତମ ଆଇଏଫଏଫଆଇରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ବିବାଦ ଠିଆ ହୋଇଛି। ଜୁରୀ ପ୍ରମୁଖ ତଥା ଇଜରାଇଲ ଫିଲ୍ମ ନିର୍ମାତା ନଦାବ ଲାପିଡ ଏହି ଫିଲ୍ମକୁ ଏକ ଦୁଷ୍ପ୍ରଚାର ଓ ଅଶ୍ଳୀଳ ଫିଲ୍ମର ଆଖ୍ୟା ଦେଇଛନ୍ତି। ଏପରି ଫିଲ୍ମକୁ ଏହି ସମାରୋହରେ ପ୍ରଦର୍ଶନ କରିବାକୁ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ଏହି ଫିଲ୍ମକୁ ସେ ଭଲଗାର ବୋଲି ମଧ୍ୟ କହିଛନ୍ତି।

ଦ କାଶ୍ମୀର ଫାଇଲ ବିବେକ ଅଗ୍ନିହୋତ୍ରୀଙ୍କ ଲିଖିତ ଫିଲ୍ମ। ୯୦ ଦଶର କାଶ୍ମୀରକୁ ଅଗ୍ନିହୋତ୍ରୀ ତାଙ୍କ କାହାଣୀରେ ଉପସ୍ଥାପନ କରିଛନ୍ତି। କିପରି ଆତଙ୍କବାଦୀଙ୍କ ତାଡନାରେ ଅସହାୟ କାଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥିଲେ ତାକୁ ସେ ଚିତ୍ରଣ କରିଛନ୍ତି। ଯାହା ମାର୍ଚ୍ଚ ମାସରେ ରିଲିଜ ହୋଇଥିଲା ଓ ସେତେବେଳେ ଏହାକୁ କେନ୍ଦ୍ର ସରକାର କରମୁକ୍ତ କରିଦେଇଥିଲେ। ତେବେ ଏହି ଫିଲ୍ମକୁ ନେଇ ସେତେବେଳେ ଅନେକ ଆଲୋଚନା ଓ ସମାଲୋଚନା କରାଯାଇଥିଲା। ଫିଲ୍ମଟିକୁ ବିଜେପିର ପ୍ରୋପାଗଣ୍ଡା ବୋଲି ଆପ, କଂଗ୍ରେସ, ଟିଏମସି ପରି ବିଭିନ୍ନ ଦଳ ପକ୍ଷରୁ କୁହାଯାଇଥିଲା।  ତେବେ ଫିଲ୍ମକୁ ନେଇ ଥମିଯାଇଥିବା ବିବାଦ ପୁଣି ନୂଆ ରୂପରେ ମୁଣ୍ଡ ଟେକିଛି।

ନଦାବଙ୍କ ବୟାନକୁ ଅନେକ ସ୍ବାଗତ କରିଥିବା ବେଳେ ଅନେକ ଏହାକୁ ନିନ୍ଦା କରିବା ସହ ଏପରି ବୟାନ କାଶ୍ମୀର ପଣ୍ଡିତଙ୍କ ଅସହାୟତା ପ୍ରତି କଟାକ୍ଷ ବୋଲି କହିଛନ୍ତି ଫିଲ୍ମ ସହ ଜଡିତ କଳାକାର ଓ ଫିଲ୍ମ ନିର୍ମାତା। ଏବେ  ଏହାକୁ ନେଇ ବିବାଦ ଠିଆ ହୋଇଛି। ତେବେ ବିବାଦ ଉଠିବା ପରେ ଜୁରୀ ବୋର୍ଡ କିନ୍ତୁ ନିଜକୁ ଅଲଗା ରଖିବାକୁ ଚେଷ୍ଟା କରିଛି। ବିବାଦ ପରେ ମଙ୍ଗଳବାର ଦିନ ଏକ ତାଜା ବୟାନ ଜାରି କରିଛି ଜୁରୀ ବୋର୍ଡ। ଏଥିରେ କୁହାଯାଇଛି କି, ଜୁରୀ ପ୍ରମୁଖଙ୍କ ବୟାନ ବ୍ୟକ୍ତିଗତ ରାୟ। ଏହା ସହ ଜୁରୀ ବୋର୍ଡର କୌଣସି ଦବାନବା ନାହିଁ। ଆମେ ୪ ଜଣ ବୋର୍ଡରେ ଥୁଲୁ ଓ ଗଣମାଧ୍ୟମ ସହ କଥା ହୋଇଛୁ। ଆମେ କେବେ ନିଜ ପସନ୍ଦ/ନାପସନ୍ଦ ସମ୍ପର୍କରେ ଉଲ୍ଲେଖ କରିନାହୁଁ।

ଜୁରୀ ଭାବେ ଆମକୁ ଫିଲ୍ମର ବୈଷୟିକ କୌଶଳ, ଗୁଣବତ୍ତା, ସୌନ୍ଦର୍ଯ୍ୟ ଓ ସାମାଜିକ ସାଂସ୍କୃତିକ ପ୍ରାସଙ୍ଗିକତା ଉପରେ ନ୍ୟାୟ ଦେବା ପାଇଁ ନିଯୁକ୍ତ କରାଯାଇଛି। ଆମକୁ କୌଣସି ବି ଫିଲ୍ମ ଉପରେ କେବେରାଜନୈତିକ ଟପ୍ପଣୀ ଦେବାର ଅଧିକାର ନାହିଁ। ଜୁରୀ ମୁଖ୍ୟ ଯାହା ବୟାନ ଦେଇଛନ୍ତି ଏହା ଜୁରୀ ବୋର୍ଡର ମତ ନୁହେଁ, ସମ୍ପୂର୍ଣ୍ଣ ରୂପେ ତାଙ୍କ ବ୍ୟକ୍ତିଗତ ମତ ଓ ଚିନ୍ତାଧାରା ବୋଲି ଜୁରୀ ବୋର୍ଡ ପକ୍ଷରୁ କୁହାଯାଇଛି।

ସେପଟେ ନଦାବଙ୍କ ବୟାନ ଉପରେ ଭାରତରେ ନିଯୁକ୍ତ ଇଜରାଇଲ ରାଷ୍ଟ୍ରଦୂତ ନୌର ଗିଲୋନ ଏକ ଟ୍ବିଟ କରି କହିଛନ୍ତି, ମିଷ୍ଟର  ଲାପଡଙ୍କୁ ଲଜ୍ଜା ଲାଗିବା ଦରକାର। ଆପଣଙ୍କୁ ଆଇଏଫଏଫଆଇ ଗୋଆରେ ଜୁରୀ ପ୍ରମୁଖ କରାଗଲା। ଭାରତକୁ ଆମନ୍ତ୍ରଣ କରାଯିବା ଭରୋସା, ସମ୍ମାନ ଓ ଆତିଥ୍ୟ ପ୍ରଦାନ କରାଗଲା, ଯାହାର ଆପଣ ଦୁରୁପଯୋଗ କରିଛନ୍ତି। ଗିଲୋନ ଆହୁରି କହିଛନ୍ତି, ମୁଁ କୌଣସି ଫିଲ୍ମ ବିଶେଷଜ୍ଞ ନୁହେଁ, କିନ୍ତୁ ମତେ ଜଣା ଅଛି କି, ଐତିହାସିକ ଘଟଣାକ୍ରମକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ନ କରି ଏହା ଉପରେ ଆଲୋଚନା କରିବା ଅସମ୍ବେଦନଶୀଳ।

ଅନ୍ୟପଟେ ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇଥିବା ଅନୁପମ ଖେର କହିଛନ୍ତି କି, ଭଗବାନ ତାଙ୍କୁ ସଦ୍‌ବୁଦ୍ଧି ଦିଅନ୍ତି। ଯଦି ପ୍ରଳୟ ସତ୍ୟ ତେବେ କାଶ୍ମୀର ପଣ୍ଡିତଙ୍କ ପଳାୟନ ମଧ୍ୟ ସତ୍ୟ। ସତ୍ୟ ସର୍ବଦା ମିଥ୍ୟାଠାରୁ ବଡ ଓ ଗୁରୁତ୍ବ ବହନ କରିଥାଏ।  

Leave a Reply

Your email address will not be published. Required fields are marked *