
() ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବଢୁଛି ସସପେନ୍ସ। ଏସଆଇଟି ତଦନ୍ତ ଦାବି କଲା ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ମାମଲାରେ ମୁଖ୍ୟ ଅଭିଯୁକ୍ତ କୋ-ଷ୍ଟାର ଶିଜାନ୍ ମହମ୍ମଦ ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ପୋଲିସର ପଚରାଉଚରା ବେଳେ ସବୁ ସତ ଓଗାଳିଛି ଶିଜାନ୍। ଅନ୍ୟପଟେ ଅଭିନେତ୍ରୀ ତୁନିଶାଙ୍କ ମାଆ ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି।
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଦାବି। ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଏସଆଇଟି ତଦନ୍ତ ଦାବି କରିଛି। ସିନେ ୱାର୍କର୍ସ ଆସୋସିଏସନ ଅଧ୍ୟକ୍ଷ ସୁରେଶ ଗୁପ୍ତା କହିଛନ୍ତି, ସେଟରେ କିଛି କିଛି ଅଭିନେତ୍ରୀ ଭୟଭୀତ ଅଛନ୍ତି ଏବଂ ସେମାନେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି। ତେଣୁ ସରକାର ଏ ପ୍ରସଙ୍ଗରେ ଧ୍ୟାନ ଦେବା ଉଚିତ୍। ସେପଟେ ଏହି ଘଟଣାରେ ୧୪ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ । ମାମଲାରେ ମୁଖ୍ୟ ଅଭିଯୁକ୍ତ କୋ-ଷ୍ଟାର ଶିଜାନ୍ ମହମ୍ମଦ ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ପୋଲିସର ପଚରାଉଚରା ବେଳେ ସବୁ ସତ ଓଗାଳିଛି ଶିଜାନ୍। ତୁନିଶାଙ୍କ ସହ ବ୍ରେକଅପ୍ ହୋଇଥିଲା ବୋଲି କହିଛି ଶିଜାନ୍। ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ବହୁ ଚାପରେ ଥିଲେ ତୁନିଶା। ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ହେତୁ ସେ ବିବ୍ରତ ହୋଇଯାଇଥିଲେ। ସେଥିପାଇଁ ବୟସ ଏବଂ ଧର୍ମକୁ ଦର୍ଶାଇ ମୁଁ ତୁନିଶାଙ୍କୁ ବିବାହ କରିବାକୁ ମନା କରିଥିଲି ଏବଂ ବ୍ରେକଅପ୍ କରିଥିଲି। ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତୁନିଶା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେତେବେଳେ ମୁଁ ତାଙ୍କୁ ଉଦ୍ଧାର କରିଥିଲି। ଏ ବିଷୟରେ ତାଙ୍କ ମାଆଙ୍କୁ ମଧ୍ୟ ଜଣାଇଥିଲି ବୋଲି କହିଛି ଶିଜାନ୍।
ଅନ୍ୟପଟେ ଅଭିନେତ୍ରୀ ତୁନିଶାଙ୍କ ମାଆ ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି। ତୁନିଶାଙ୍କ ଆତ୍ମହତ୍ୟା ପଛରେ ଶିଜାନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ତୁନିଶା ଗତ କିଛି ଦିନ ହେବ ସିଜାନଙ୍କ ପାଇଁ ଟେନସନ୍ରେ ରହୁଥିଲେ। ସୁଇସାଇଡ୍ ର ଗୋଟେ ଦିନ ପୂର୍ବରୁ ତୁନିଶା ଶିଜାନକୁ ଚାହୁଁଛି ବୋଲି କହିଥିଲା। ଶିଜାନ ତୁନିଶା ଜୀବନକୁ ପୁଣି ଫେରିଆସୁ ବୋଲି ଚାହୁଁଥିଲା କିନ୍ତୁ ଶିଜାନ୍ ତାହା ଶୁଣିବାକୁ ପ୍ରସ୍ତୁତ ନଥିଲା। ଶେଷରେ ତୁନିଶା ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଥିବା କହିଛନ୍ତି ତୁନିଶାଙ୍କ ମାଆ। ଶିଜାନ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ କରିଛନ୍ତି।
ସେପଟେ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ। ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି। ଏହା ଏକ ଲଭ୍ ଜିହାଦ ମାମଲା ଏବଂ ପୋଲିସ ଏହାର ତଦନ୍ତ କରୁଛି। ଏଭଳି ମାମଲା ଦିନକୁ ଦିନ ବଢ଼ୁଥିବା ଦେଖୁଛୁ ଏବଂ ଏହା ବିରୋଧରେ କଠୋର ଆଇନ୍ ଆଣିବା ଉପରେ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ବିଜେପି ନେତା ରାମ କଦମ କହିଥିଲେ, ଯେ ଯଦି ଲଭ୍ ଜିହାଦ ମାମଲା ସାମ୍ନାକୁ ଆସେ, ତେବେ ଏହାର ତଦନ୍ତ କରାଯିବ । କିନ୍ତୁ ମୁମ୍ୱାଇ ଏସପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ଏହି ମାମଲାରେ ସେଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ । ବ୍ରେକଅପ ଯୋଗୁଁ ତୁନିଶା ଡିପ୍ରେସନରେ ଥିଲେ, ଆଉ ଏହାକୁ ସହିନପାରି ସେ ଆତ୍ମହତ୍ୟା କରିଛନ୍ତି।
ତେବେ ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୨୪ ତାରିଖରେ ଅଭିନେତ୍ରୀ ଜଣକ ସୁଟିଂ ସେଟରେ ଆତ୍ମହତ୍ୟା କରିଥିଲେ। ମୁମ୍ୱାଇର ଟେଲି ସିରିଏଲ ଅଲ୍ଲି ବାବା, ଦାସତାଏଁ-ଏ-କାବୁଲର ସୁଟିଂ ଚାଲିଥିଲା ବେଳେ ସେଟରେ ହିଁ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ । ପୋଲିସ୍ ମଧ୍ୟ ଏହି ମାମଲାରେ ତଦନ୍ତ ଜୋରଦାର କରିଦେଇଛି। ଶିଜାନଙ୍କ ମେକଅପ ରୁମରେ ତୁନିଶା ଆତ୍ମହତ୍ୟା କରିଥିଲେ। ତେଣୁ ଶିଜାନଙ୍କ ମୋବାଇଲକୁ ପୋଲିସ ଜବତ କରିବା ସହ ଅଧିକ ଖୋଳତାଡ କରିଛି। ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ, ଶ୍ୱାସକ୍ରୀୟାରେ ବାଧା ଉପୁଜିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।
ପ୍ରେମଲତା ବାରିକଙ୍କ ରିପୋର୍ଟ