କୋର୍ଟର ସ୍ୱାଧୀନତା ଓ ନିରପେକ୍ଷତା ବିପଦରେ ପଡ଼ିଛି। ଆମେରିକାର ପ୍ରଧାନ ବିଚାରପତି ଜୋନ୍ ରୋବର୍ଟସ ଏଭଳି କହିବା ପରେ ଆମେରିକାରେ ହଇଚଇ ଖେଳିଛି। ୨୦୨୪ ବର୍ଷର ଶେଷ ଦିନରେ ରୋବର୍ଟଙ୍କ ଏଭଳି ମନ୍ତବ୍ୟ କାହା ଉଦ୍ଦେଶ୍ୟରେ ଓ କାହିଁକି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ହାଇପ୍ରୋଫାଇଲ୍ ପ୍ରସଙ୍ଗରେ ବିବାଦୀୟ ରାୟକୁ ନେଇ ଏମିତିରେ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନ ବିଚାରପତି ରୋବର୍ଟସ। ନ୍ୟାୟାଳୟରେ ସେଥିଲାଗି ଯଥେଷ୍ଟ ସଂସ୍କାର ଜରୁରୀ ବୋଲି ମତ ଦେଇଛନ୍ତି ଜଷ୍ଟିସ ଜନ୍। ପୂର୍ବତନ ପ୍ରଧାନ ବିଚାରପତି ଓ୍ୱିଲିଅମ ରେଙ୍କ୍ୟୁଇଷ୍ଟ ୨୦୦୪ରେ ବି ଅନୁରୂପ ଟିପ୍ପଣୀ ଦେଇଥିଲେ। ବିଚାରପତିଙ୍କୁ ସମାଲୋଚନା ବେଶ୍ ଅଧିକ ବଢ଼ିଛି। ଯାହା କି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଚାରପ୍ରକ୍ରିୟାକୁ ପ୍ରଭାବିତ କରୁଛି ବୋଲି ଆଶଙ୍କା କରିଥିଲେ ଓ୍ୱିଲିଅମ୍। ରୋବର୍ଟ କହିଛନ୍ତି, ଦୁର୍ଭାଗ୍ୟବଶତଃ ସମସ୍ତେ ଗଠନମୂଳକ ସମାଲୋଚନା କରୁନାହାନ୍ତି। ବରଂ ରିମୋଟରେ ପରିଚାଳିତ ହେଉଛନ୍ତି। ହଜାରେରୁ ଅଧିକ ଗମ୍ଭୀର ଧମକ ବିଚାରପତିଙ୍କୁ ଆସିଲାଣି। ଗଲା ୫ ବର୍ଷରେ ଏହାର ତଦନ୍ତ କରି ପ୍ରାୟ ୫୦ ଲୋକଙ୍କ ବିରୁଦ୍ଧରେ ଅପରାଧିକ ଚାର୍ଜସିଟ୍ ହୋଇଛି। କୋର୍ଟ କ୍ରିଟିକ୍ସ କେମିତି କୋର୍ଟ କାମରେ ବାଧା ଦେଉଛନ୍ତି, ତାହାର ଅବତାରଣା କରିଛନ୍ତି ଚିଫ୍ ଜଷ୍ଟିସ ଜୋନ୍। ବିଚାରପତିଙ୍କ ଫୋନ ନମ୍ୱର, ଠିକଣାକୁ ସାର୍ବଜନୀନ କରି ହଇରାଣ କରିବାକୁ ନିରନ୍ତର ଚକ୍ରାନ୍ତ ହେଉଛି। କେବଳ ଏତିକି ନୁହେଁ। ସରକାରୀ ଅଫିସର ଓ ରାଜନେତା ବି ଏହି ଚକ୍ରାନ୍ତରେ ଅଂଶୀଦାର ସାଜିଛନ୍ତି। ରାଜନୈତିକ ପକ୍ଷପାତିତା କରି ରାୟ ଯେମିତି ସେମାନଙ୍କ ସପକ୍ଷରେ ଯିବ, ବିଚାରପତିଙ୍କ ଉପରେ ଚାପ ପକାଉଛନ୍ତି ଅଧିକାରୀ। ପବ୍ଲିକ ଅଫିସିଆଲ ବା ନିର୍ବାଚିତ ପ୍ରତିନିଧି କୋର୍ଟଙ୍କ କାମକୁ ସମାଲୋଚନା କରିବାର ଅଧିକାର ରହିଛି। କିନ୍ତୁ ସେମାନଙ୍କ ମାନସିକତା, ମନ୍ତବ୍ୟ କୌଣସି ବିଚାରପତିଙ୍କ ଜୀବନକୁ ଯେମିତି ବାଜିରେ ନ ପକାଏ, ସେଥିଲାଗି ବି ଯତ୍ନବାନ୍ ହେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ଜଷ୍ଟିସ ଜୋନ୍। ଗଲା କିଛି ବର୍ଷ ହେଲା, ଦଳମତ ନିର୍ବିଶେଷରେ ନିର୍ବାଚିତ ପ୍ରତିନିଧି କୋର୍ଟ ରୁଲିଂକୁ ନେଇ ଅସମ୍ମାନ କରିଚାଲିଛନ୍ତି। ୨୦୨୨ରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ପୋଡକାଷ୍ଟ ଇଣ୍ଟରଭ୍ୟୁରେ କହିଥିଲେ, ଯଦି ଟ୍ରମ୍ପ୍ ଆଉ ଥରେ ରାଷ୍ଟ୍ରପତି ହେବେ, ତା ହେଲେ ସେ କୌଣସି କୋର୍ଟ ନିର୍ଦେଶରେ ଛନ୍ଦି ହେବେନି।
ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଆମି କୋନୟ ବାରେଟ୍ ବି କହିଥିଲେ, ସେ ବୁଲେଟପ୍ରୁଫ୍ ପିନ୍ଧିକି କୋର୍ଟକୁ ଆସୁଛନ୍ତି। ଯଦିଓ ଏହା ପଛରେ ନିର୍ଦିଷ୍ଟ କାରଣକୁ କହିନାହାନ୍ତି। ଜୁନ୍ ୨୦୨୨ରେ ଜଣେ କାଲିଫର୍ଣ୍ଣିଆ ବ୍ୟକ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବ୍ରେଟ୍ କାଭାନାଫଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସଂପୃକ୍ତ ବ୍ୟକ୍ତିକୁ ବନ୍ଧୁକ ଓ ଛୁରୀ ସହ ବିଚାରପତିଙ୍କ ଆବାସିକ ଭବନ ପାଖରୁ ଗିରଫ କରାଯାଇଥିଲା। କେତେବେଳେ ସୁପ୍ରିମକୋର୍ଟ ଜଷ୍ଟିସଙ୍କୁ ଓବାମା ଜଜ୍ ବୋଲି ସମାଲୋଚନା ହେଉଛି ତ ପୁଣି କେତେବେଳେ ବାଇଡେନଙ୍କ ପୋଷା ବୋଲି କୁହାଯାଉଥିଲା। ୨୦୧୮ରେ ଡୋନାଲ୍ଡ ଓ ରୋବର୍ଟଙ୍କ ଭିତରେ ତିକ୍ତତା ବଢ଼ିଥିଲା।
ଦେଶର ସର୍ବୋଚ୍ଚ ଅଦାଲତଙ୍କର ନୈତିକ ମୂଲ୍ୟବୋଧ ରହିବା ଜରୁରୀ। କିନ୍ତୁ କ୍ରମାଗତ ଚାପ, ଧମକ, ହିଂସାର ଭୟ ଦେଖାଇ ବିଚାର କରିବାର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ଆଞ୍ଚ ଅଣାଯାଉଛି ବୋଲି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ବେଶ୍ ଗୁରୁତ୍ୱବହନ କରୁଛି ଆମେରିକା ନ୍ୟାୟ ପ୍ରକ୍ରିୟାରେ। ଫେଡେରାଲ ଜୁଡିସିଆରୀର ବାର୍ଷିକ ରିପୋର୍ଟରେ ପ୍ରଧାନ ବିଚାରପତିଙ୍କ ଏହି ଟିପ୍ପଣୀ ନ୍ୟାୟାଳୟ ସଂସ୍କାରରେ କେତେ ପ୍ରଭାବୀ ରହିବ, ତାକୁ ନଜର। ଜୋନ୍ ଏଥର ଟ୍ରମ୍ପ, ବାଇଡେନ କି କୌଣସି ନିର୍ଦିଷ୍ଟ ନେତାଙ୍କ ନାଁ ବାର୍ଷିକ ବିବରଣୀରେ ନେଇନାହାନ୍ତି। ଯଦି କୋର୍ଟଙ୍କ କୌଣସି ନିଷ୍ପତ୍ତି ପ୍ରେସିଡେନ୍ସିଆଲ ପ୍ରଶାସନ ବିରୁଦ୍ଧରେ ଥାଏ ବା ଏହାକୁ ଲୋକ ଗ୍ରହଣ କରିପାରୁନାହାନ୍ତି। ସରକାରଙ୍କ ଅନ୍ୟ ଶାଖା ରୁଲ୍ସ ଅଫ ଲ ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବା ଜରୁରୀ ବୋଲି ମତ ଦେଇଛନ୍ତି ଜଷ୍ଟିସ ଜୋନ୍। ସମସ୍ତଙ୍କୁ ଖୁସି କରିବା ନ୍ୟାୟାଳୟର କାମ ନୁହେଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now