ବେଙ୍ଗାଲୁରୁ ଜିଟି ମଲରେ ଧୋତି ମନା , ହେଲା କାର୍ଯ୍ୟାନୁଷ୍ଠାନ

ଧୋତି ପିନ୍ଧିଥିବାରୁ ମଲ୍‌କୁ ପ୍ରବେଶ ଅନୁମତି ମିଳିଲାନି। ବେଙ୍ଗାଲୁରୁର ଏକ ମଲ୍ ଏଭଳି କରିବାରୁ ଏହାର ପରିଣାମ ଭୋଗିଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଲ୍‌କୁ ୭ ଦିନ ଲାଗି ସିଲ୍ କରିଦିଆଯାଇଛି। ଜଣେ ଚାଷୀ ଧୋତି ପିନ୍ଧି ମଲ୍‌କୁ ଆସିଥିବାରୁ ସୁରକ୍ଷାକର୍ମୀ ମନା କରିବା ସହ ଯଦି ପ୍ୟାଣ୍ଟ୍ ପିନ୍ଧିକି ଆସିବେ ତେବେ ଯାଇ ଅନୁମତି ଦେବି ବୋଲି କହି ଅଡ଼ୁଆରେ ପଡ଼ିଛି ମଲ୍ କର୍ତ୍ତୃପକ୍ଷ।

ଧୋତି ପିନ୍ଧିଥିବାରୁ ଚାଷୀଙ୍କୁ ମଲ୍ ଭିତରକୁ ଛାଡ଼ିଲେନି ମଲ୍ କର୍ତ୍ତୃପକ୍ଷ। ପ୍ୟାଣ୍ଟ ପିନ୍ଧିକି ଆସ। ନଚେତ୍ ମଲକୁ ପ୍ରବେଶ ମିଳିବନି। ବେଙ୍ଗାଲୁରୁରେ ଥିବା ଜିଟି ମଲର ସିକ୍ୟୁରିଟି ସୁପରଭାଇଜର ଚାଷୀଙ୍କୁ ମଲକୁ ଛାଡିଲେନି। ଏହା ସହ ଚାଷୀଙ୍କ ସହ ଅଯଥା ଯୁକ୍ତିରେ ମାତିଥିଲେ। ଚାଷୀଙ୍କ ସହ ଥିବା ତାଙ୍କ ପୁଅ ଉଭୟ ବାପା ଓ ସୁରକ୍ଷା ଅଧିକାରୀଙ୍କ ଭିତରେ ଥିବା କଥୋପକଥନକୁ ମୋବାଇଲରେ ରେକର୍ଡ କରିଥିଲେ। ମଲର ଏହା ନିୟମ। ନିୟମକୁ ନ ମାନିଲେ ଏଣ୍ଟ୍ରି ନାହିଁ ବୋଲି ସୁରକ୍ଷା ସୁପରଭାଇଜର ତାଗିଦ୍ କରିଥିଲେ ସଂପୃକ୍ତ ଚାଷୀଙ୍କୁ। ମଲ ଭିତରେ ଫିଲ୍ମ ଦେଖିବାକୁ ଟିକଟ କାଟିଥିଲେ ଚାଷୀ ଓ ତାଙ୍କ ପୁଅ। କିନ୍ତୁ ମଲ ଭିତରକୁ ଧୋତି ପିନ୍ଧା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ନାହିଁ ବୋଲି ରୋକଠୋକ କହିଥିଲେ ସୁରକ୍ଷା ଅଧିକାରୀ।

ସେପଟେ ଏହି ଭିଡ଼ିଓ ଭାଇରାଲ ପରେ ଅକଳରେ ପଡ଼ିଛି ସଂପୃକ୍ତ ମଲ୍। ଚାଷୀ ସଂଗଠନ ବି ସଂପୃକ୍ତ ମଲ ଆଗରେ ବିକ୍ଷୋଭ କରିଥିଲା। ଏହାକୁ ନେଇ ବିଧାନସଭାରେ କଥା ଉଠିଥିଲା। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଲକୁ ୭ ଦିନ ଲାଗି ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ବି. ସୁରେଶ। ଏହା ପରେ ସଂପୃକ୍ତ ମଲକୁ ବନ୍ଦ କରିଦିଆଯାଇଛି। ସଂପୃକ୍ତ ମଲ୍ କର୍ତ୍ତୃପକ୍ଷ ବି ନିଜର ଭୁଲ୍ ସ୍ୱୀକାର କରିଛନ୍ତି।

ପୂର୍ବରୁ ବି ପ୍ରୋପର୍ଟି ଟାକ୍ସ ପୈଠ କରିନଥିବାରୁ ଡିସେମ୍ୱର ୨୦୨୩ରେ ଜିଟି ମଲକୁ ନୋଟିସ ହୋଇଥିଲା। ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଲକୁ ସିଲ୍ କରିଥିଲା ପ୍ରଶାସନ। ବିବିଏମପି ଆକ୍ଟ ୨୦୨୦ର ସେକ୍ସନ ୧୫୬ ଆଧାରରେ ୨୦୨୩-୨୪ରେ ୧କୋଟି ୭୮ ଲକ୍ଷ ଓ ଚଳିତ ଆର୍ଥିକ ବର୍ଷରେ ବି ୧ କୋଟି ୭୮ ଲକ୍ଷ ଟଙ୍କାର ଟିକସ ପୈଠ କରିନାହିଁ ସଂପୃକ୍ତ ମଲ୍। ବେଙ୍ଗାଲୁରୁ ମହାନଗର ନିଗମର ସାଉଥ ଜୋନରେ ଥିବା ଜିଟି ମଲ୍ ବାରମ୍ୱାର ପ୍ରଶାସନର ନୋଟିସକୁ ବେଖାତିର କରିଥିବାରୁ ଏମିତି ପରିଣାମ ଭୋଗିଛି।

ଚାଷୀ ଫକିରପା ନିଜ ପୁଅ ନାଗରାଜଙ୍କୁ ଦେଖା କରିବାକୁ ବେଙ୍ଗାଲୁରୁ ଆସିଥିଲେ। ନାଗରାଜ ଜଣେ ଏମବିଏ ଗ୍ରାଜୁଏଟ ଓ କନ୍ନଡ଼ ଫିଲ୍ମରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ। ମଙ୍ଗଳବାର ନିଜ ବାପାଙ୍କୁ ମଲ୍‌ ବୁଲାଇନେବା ସହ ସଂଧ୍ୟା ୬ଟାରୁ ଆରମ୍ଭ ଫିଲ୍ମ ସୋ ଦେଖାଇବାକୁ ନେଇଥିଲେ। କିନ୍ତୁ ପ୍ରବେଶ ଗେଟ୍‌ରେ ଧୋତି ପିନ୍ଧିଥିବାରୁ ଫକିରପାଙ୍କୁ ଅଟକାଇଥିଲେ ସିକ୍ୟୁରିଟି ସୁପରଭାଇଜର। ଏପରିକି ଯେଉଁ ମହିଳା ନାଇଟି ବି ପିନ୍ଧିକି ଆସନ୍ତି, ମଲକୁ ଛଡ଼ାଯାଉନି କହି ନିଜ ଯୁକ୍ତିକୁ ଅଧିକ ଶାଣିତ କରିଥିଲେ ସୁରକ୍ଷା କର୍ମୀ। ଆଉ ଶେଷରେ ଏଭଳି ଆଚରଣ ଲାଗି ମଲକୁ ଡବଲ ଝଟକା ଲାଗିଛି। ଯାହାକି ସମାଜକୁ ବି ଭଲ ସନ୍ଦେଶ ଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *