ମାଇକ୍ରୋସଫ୍ଟ ତ୍ରୁଟି , ବିଶ୍ବ ଅଚଳ!

ମାଇକ୍ରୋସଫ୍ଟ ସଫ୍ଟଓ୍ୱରରେ ବୈଷୟିତ ତ୍ରୁଟି ଲାଗି ବିଶ୍ୱବ୍ୟାପୀ ଅଚଳାବସ୍ଥା ଦେଖାଦେଇଛି। ବିମାନ ଚଳାଚଳ, ବ୍ୟାଙ୍କ, ସ୍ୱାସ୍ଥ୍ୟସେବାରୁ ନେଇ ପୁଞ୍ଜି ବଜାର ଗୁରୁତର ପ୍ରଭାବିତ ହୋଇଛି। ଆମେରିକା, ଅଷ୍ଟ୍ରେଲିଆ ଓ ଭାରତ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିଲା ବେଳେ ବିଶ୍ୱର ଅନେକ ଦେଶରେ ବି ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ଏହି ତ୍ରୁଟି ସାଇବର ଆକ୍ରମଣ ଜନିତ ନୁହେଁ। ବରଂ ଆଣ୍ଟିଭାଇରସ ସଫ୍ଟଓ୍ୱେର କ୍ରାଉଡଷ୍ଟ୍ରାଇକ ବଗ ପ୍ରଭାବ ବୋଲି ମାଇକ୍ରୋସଫ୍ଟ ସ୍ପଷ୍ଟ କରିଛି।

କାରିଗରି କ୍ଷେତ୍ରରେ ବୈଷୟିକ ତ୍ରୁଟି ଲାଗି ସାରା ବିଶ୍ୱ ପ୍ରଭାବିତ ହେଲା। ମାଇକ୍ରୋସଫ୍ଟ  ସଫ୍ଟଓ୍ୱେରରେ ଆଣ୍ଟିଭାଇରସ କ୍ରାଉଡ୍‌ ଷ୍ଟ୍ରାଇକ ବଗ୍ ର ପ୍ରଭାବ ଲାଗି ଅଚାନକ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ସ୍କ୍ରିନରେ ବ୍ଲୁ ସ୍କ୍ରିନ୍ ଅଫ ଡେଥ୍ ଲେଖା ଆସିବା ସହ ଆଉ ଖୋଲିନଥିଲା। ଗୁରୁବାର ରାତି ୯ଟା୫୬ରୁ ଆରମ୍ଭ ହୋଇଥିବା ଏହି ତ୍ରୁଟି ଲାଗି ବିଶ୍ୱ ଅଚଳ ହୋଇଯାଇଥିଲା କହିଲେ ଭୁଲ୍ ହେବନି। ବିଶ୍ୱବ୍ୟାପୀ ବିମାନ ଚଳାଚଳ, ବ୍ୟାଙ୍କ, ସ୍ୱାସ୍ଥ୍ୟସେବା ସମେତ ପୁଞ୍ଜିବଜାର ଗୁରୁତର ପ୍ରଭାବିତ ହୋଇଥିଲା। ହସ୍ପିଟାଲ ସିଷ୍ଟମ ଅଫଲାଇନ ହୋଇଗଲା। ଅନଲାଇନ ପେମେଣ୍ଟ ସିଷ୍ଟମ ଠପ୍ ହୋଇଗଲା। ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ହଂକଂ, ସିଙ୍ଗାପୁର, ୟୁରୋପ ସମେତ ଭାରତରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ଅନେକ ଅନଲାଇନ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଲା। କର୍ପୋରେଟ ଜଗତ ତ ଦୋହଲି ଯାଇଛି।  ଲଣ୍ଡନ ପୁଞ୍ଜି ବଜାରରେ ବଡ଼ ପ୍ରଭାବ ପଡ଼ିଥିଲା। ଫାଇଭ୍ ପଇସା, ଆଇଆଇଏଫଏଲ ସିକ୍ୟୁରିଟିଜ, ଭିସା, ଏଡିଟି ସିକ୍ୟୁରିଟି ଓ ଆମାଜନ ବିଶେଷ ଭାବେ ପ୍ରଭାବିତ ହୋଇଛି।

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଡାଉନ ଲାଗି ଶୁକ୍ରବାର ସାଇବର ସିକ୍ୟୁରିଟି ପ୍ଲାଟଫର୍ମରେ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଉପୁଜିଥିଲା। ସାଇବର ଆକ୍ରମଣଜନିତ ତୃଟି ନୁହେଁ କହି କମ୍ପ୍ୟୁଟରରେ ଓ୍ୱିଣ୍ଡୋଜ୍ ପରିଚାଳନା ପାଇଁ ଦିଆଯାଇଥିବା ଏକ ତ୍ରୁଟିପୂର୍ଣ୍ଣ ସଫ୍ଟଓ୍ୱେର ଅପଡେଟ୍ ଲାଗି ଏଭଳି ସମସ୍ୟା ହୋଇଛି ବୋଲି ମାନିଛି କମ୍ପାନୀ। କ୍ରାଉଡଷ୍ଟ୍ରାଇକର ସଭାପତି ତଥା ସିଇଓ ଜର୍ଜ କୁର୍ଟଜ ଏହା ସ୍ପଷ୍ଟ କରିଛନ୍ତି ଟ୍ୱିଟରେ।

ଶନିବାର ସକାଳ ସୁଦ୍ଧା ଏହି ସମସ୍ୟାର ସମାଧାନ ବାହାରି ପାରିନଥିଲା। ମରାମତି କରି ତ୍ରୁଟି ସୁଧାରି ପରିସ୍ଥିତି ସ୍ୱାଭାବିକ କରିବାକୁ ଯଦିଓ କମ୍ପାନୀ କହିଥିଲା। ଅଫିସ- ୩୬୫ ଆପ୍‌ରେ ସମସ୍ୟା ସମାଧାନ ଲାଗି ପ୍ରୟାସ ଜାରି ରଖିଥିଲା କମ୍ପାନୀ। ମାଇକ୍ରୋସଫ୍ଟରେ ଅପରେଟିଂ ସିଷ୍ଟମରେ ଚାଲୁଥିବା କମ୍ପ୍ୟୁଟର ଆପେ ଆପେ ରିଷ୍ଟାର୍ଟ ହୋଇଯାଉଛି। ଏଭଳି ତ୍ରୁଟି ଲାଗି ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ୍ ଜେଟ୍, ଆକାଶ ଏୟାରଲାଇନ୍ସର ଅନେକ ବିମାନ ଉଡ଼ାଣ ବିଳମ୍ୱ ସହ ବାତିଲ୍ ହୋଇଥିଲା। ବିଶ୍ୱରେ ପ୍ରାୟ ୪ହଜାରରୁ ଉର୍ଦ୍ଧ୍ୱ ବିମାନ ବାତିଲ୍ ହୋଇଥିଲା। କେବଳ ଆମେରିକାରେ ୧୧ଶହ ଫ୍ଲାଇଟ୍ ବାତିଲ ହୋଇଥିଲା। ବିମାନବନ୍ଦରରେ ଡିଜିଯାତ୍ରା ଫେଲ୍ ମାରିଥିଲା। ଯାତ୍ରୀଙ୍କୁ ମାନୁଆଲ୍ ବୋର୍ଡିଂ ପାସ୍ ଇସ୍ୟୁ କରାଯାଇଥିଲା। ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟର ଡିଜିଟାଇଜେସନ କରାଯାଇଥିବାରୁ ଡାକ୍ତରଖାନାରେ ସମସ୍ୟା ଉପଜୁଥିଲା। ଅବଶ୍ୟ ଭାରତରେ ୟୁପିଆଇ କାରବାରରେ କୌଣସି ପ୍ରଭାବ ପଡ଼ିନଥିଲା। ଭାରତରେ ମାତ୍ର ୧୦ଟି ବ୍ୟାଙ୍କ ପ୍ରଭାବିତ ହୋଇଥିବା ଆରବିଆଇ କହିଛି। ବ୍ରିଟେନର ସ୍କାଏ ନ୍ୟୁଜ୍ ଓ ଅଷ୍ଟ୍ରେଲିଆର ଏବିସି ନ୍ୟୁଜର ସକାଳ ବୁଲେଟିନ୍ ଟିଭି ଓ ରେଡ଼ିଓରେ ପ୍ରସାରଣ ହୋଇପାରିଲାନି। ଶୁକ୍ରବାର ଭୋର ୫ଟାରୁ ରାତି ୮ଟା ଯାଏ, ପ୍ରାୟ ୧୫ ଘଣ୍ଟା ଧରି ମାଇକ୍ରୋସଫ୍ଟ ସିଷ୍ଟମରେ ଚାଲୁଥିବା ୯୫ ପ୍ରତିଶତ କମ୍ପ୍ୟୁଟର ଠପ୍ ହୋଇପଡ଼ିଥିଲା।

ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ଶନିବାର ଭୋର ୩ଟାରୁ ସମସ୍ତ ଏୟାରଲାଇନ୍ସ ସିଷ୍ଟମ ସ୍ୱାଭାବିକ ହେବାରେ ଲାଗିଛି। ଅନେକ ବିମାନବନ୍ଦରରେ ଡିଜିଯାତ୍ରା କାମ କରୁନାହିଁ। ସେପଟେ କ୍ରାଉଡଷ୍ଟ୍ରାଇକର ସିଇଓ ଜର୍ଜ କୁର୍ଟଜ ଲୋକଙ୍କୁ ଏଭଳି ଅସୁବିଧା ଲାଗି କ୍ଷମା ମାଗିଛନ୍ତି। କମ୍ପାନୀ ସମସ୍ୟା ପ୍ରାୟ ସମାଧାନ କରିଦେଲାଣି।

ତେବେ ମାଇକ୍ରୋସଫ୍ଟରେ ବୈଷୟିକ ତ୍ରୁଟି ଲାଗି ପୁରା ବିଶ୍ୱର ଅଚଳାବସ୍ଥା ଦେଖାଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *