ପିଲାଙ୍କ ସୁଖ ସମୃଦ୍ଧି ପାଇଁ ମହିଳାମାନେ ରଖିଥାଆନ୍ତି ବ୍ରତ। ବିହାରରେ ଜୀବିତପୁତ୍ରିକା ଉତ୍ସବ କିନ୍ତୁ ଏଥର ଶୋକର ସାଗରରେ ଭସାଇଦେଇଛି ଅନେକଙ୍କୁ। ନିର୍ଜଳା ଉପବାସ କରି ଏହି ବ୍ରତ ପାଳନ କରାଯାଏ। ଉଭୟ ମାଆ ଓ ସନ୍ତାନ ବୁଡ଼ ପକାନ୍ତି। କିନ୍ତୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ବଡ଼ ଧରଣର ଅଘଟଣ ଘଟିଯାଇଛି। ବିଭିନ୍ନ ନଦୀ ଓ ପୋଖରୀରେ ବୁଡ଼ ପକାଇ ବୁଡ଼ିଗଲେ ୪୮ ଜଣ। ପୂର୍ବ ଓ ପଶ୍ଚିମ ଚମ୍ପାରଣ, ନାଲନ୍ଦା, ଔରଙ୍ଗାବାଦ, ପାଟନା, ସାରନ୍, ମୁଜାଫରପୁର, ସମସ୍ତିପୁର, ଗୋପାଳଗଞ୍ଜ ଆଦି ଜିଲ୍ଲାରେ ବୁଡ଼ ପକାଇ ଶିଶୁ ଓ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ଭିତରେ ୩୭ ଶିଶୁ ଅଛନ୍ତି। ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।
ବିହାରରେ ଜୀବତପୁତ୍ରିକା ଓ ଛଟ ପର୍ବରେ ହିନ୍ଦୁ ଧର୍ମାବଲମ୍ୱୀ ବଡ଼ ସଂଖ୍ୟାରେ ନଦୀ ଓ ପୋଖରୀରେ ବୁଡ଼ ପକାଇଥାଆନ୍ତି। ଗାଧୋଇବା ବେଳେ ପାଣିର ଗଭୀରତାକୁ ଅସାବଧାନତାବଶତଃ ଚାଲିଯାଆନ୍ତି ନଚେତ କାହାର ଗୋଡ଼ ଖସିଯାଇ ଜୀବନ ହରାଇବାର ଅନେକ ନଜିର ରହିଛି। କିନ୍ତୁ ଏଥର ଅଘଟଣ ସବୁ ବର୍ଷଠୁ ବଳିଗଲା। ପୁଅ ଜିଉଁତିଆ ପର୍ବରେ ବିହଚାରେ ପିଲାଙ୍କୁ ବଞ୍ଚାଇବାକୁ ଯାଇ ୩ ଜଣ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ପାଟନାର ବିହଟା ଥାନା ଅନ୍ତର୍ଗତ ସୋନ ନଦୀରେ ମା ସହ ୧୪ ବର୍ଷୀୟ ପୁଅ ଭାସିଯାଉଥିଲା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ପାଖରେ ଗାଧୋଉଥିବା ଜଣେ ମହିଳା ଓ ଦୁଇ ଯୁବତୀ ନଦୀର ପ୍ରବଳ ସୁଅକୁ ଡେଇଁଥିଲେ। କିନ୍ତୁ ସମସ୍ତେ ବୁଡ଼ିଗଲେ। ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ଏଭଳି ସ୍ଥିତିର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ଦେବେ। ବୁଡ଼ ପକାଇବା ସ୍ଥାନରେ ନିରାପତ୍ତା ପ୍ରତି ବଡ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ବିରୋଧୀ ଆରୋପ ଲଦିଛନ୍ତି। ବିହାରରେ ବୁଡ଼ ପକାଇ ଚାଲିଯାଇଛି ୪୮ ଜୀବନ। ଔରଙ୍ଗାବାଦରେ ସର୍ବାଧିକ ୧୦ଜଣଙ୍କ ଜୀବନ ଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now