ମଇଁଷିର ଦାମ ୨୩ କୋଟି !

ମଇଁଷିର୍ ଦାମ ୨୩ କୋଟି। ଶୁଣିଲେ କେହି ବି ବିଶ୍ୱାସ କରିବେନି। ଗୁଲିଗପ କହି ଥଟ୍ଟାରେ ଉଡ଼ାଇଦେବେ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ହରିଆଣାର ଅନମୋଲ ନାମକ ମଇଁଷିର ଦାମ୍ ହେଉଛି ୨୩ କୋଟି। ତେବେ କୋଟିପତି ମଇଁଷି ବାବଦରେ ଅନେକ ରୋଚକ କଥା ରହିଛି। ଆସନ୍ତୁ ଜାଣିବା ଅନମୋଲ ର ଦାମ ଏତେ କାହିଁକି ।

ହରିଆଣାରେ ପୁଷ୍କର ମେଳାର ସୁପରଷ୍ଟାର ଅନମୋଲ। କୌଣସି ଫିଲ୍ମ ଷ୍ଟାର ନୁହଁନ୍ତି। ଗୋଟିଏ ମଇଁଷି। ଇଏ ଏମିତି ସେମିତି ମଇଁଷି ବି ନୁହେଁ। ଏହାର ଦାମ୍ ୨୩ କୋଟି। କହିବାକୁ ଗଲେ କୋଟିପତି ମଇଁଷି। ହରିଆଣାର ଏହି ମଇଁଷିର ନାଁ ହେଉଛି ଅନମୋଲ। ଏହି ମଇଁଷି ଲାଗି ଦୈନିକ ୧୫ଶହ ଟଙ୍କା ଖର୍ଚ୍ଚ ହୁଏ। ଏହାର ବୀର୍ଯ୍ୟରୁ ମାଲିକ ପ୍ରତି ମାସରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ଏହାର ଓଜନ ୧୫ଶହ କିଲୋ। ଲମ୍ୱା ୧୩ ଫୁଟ୍ ଓ ଉଚ୍ଚତା ୫ଫୁଟ ୮ଇଞ୍ଚ। ପୁଷ୍କର ମେଳାରେ ସମସ୍ତଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ସାଜିଛି ଏହି ମଇଁଷି ଅନମୋଲ। ମେଳାରେ ଅନମୋଲର ନିଲାମୀ ୨୩ କୋଟି ଟଙ୍କା ଯାଏ ଲାଗିଛି। ଏହା ପୂର୍ବରୁ ମିରଟରେ ହୋଇଥିବା ଅଖିଳ ଭାରତୀୟ କୃଷକ ସମ୍ମିଳନୀରେ ଅନମୋଲକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଅନମୋଲର ବୀର୍ଯ୍ୟ ନେବାକୁ ମେଳାକୁ ଆସୁଥିବା ଚାଷୀଙ୍କ ଭିଡ଼ ଲାଗୁଛି। ଅନମୋଲର ବୟସ ୮ ବର୍ଷ। ହରିଆଣାର ସିର୍ସାରେ ଅନମୋଲକୁ ଡ୍ରାଏ ଫ୍ରୁଟ୍ସ ଓ କ୍ୟାଲୋରୀଯୁକ୍ତ ଖାଦ୍ୟ ବେଶ୍ ପସନ୍ଦ। ଏଥିରେ ୨୫୦ ଗ୍ରାମ୍ ବାଦାମ, ୪ କିଲୋ ଡାଳିମ୍ୱ, ୩୦ ଟି କଦଳୀ, ୫ ଲିଟର ଦୁଧ, ୨୦ ଅଣ୍ଡା ଛଡ଼ା ତେଲ କେକ୍, ସୋୟାବିନ୍, ମକ୍କା ସାମିଲ୍। ବେଶ୍ ସୌଖିନ ବି ଅନମୋଲ। ବାଦାମ ଓ ସୋରିଷ ତେଲରେ ଦିନକୁ ଦୁଇ ଥର ମାଲିସ କରି ଗାଧୋଇ ଦିଆଯାଏ ଅନମୋଲକୁ। ଦେଖାରଖା କରିବାକୁ ୪ ଜଣଙ୍କୁ ନିୟୋଜିତ କରାଯାଇଛି। ଅନମୋଲର ମାଲିକ ଗିଲ୍ ତାକୁ ବିକିବାକୁ ବିଲକୁଲ ପ୍ରସ୍ତୁତ ନୁହଁନ୍ତି। ସପ୍ତାହକୁ ଦୁ଼୍ଇ ଥର ଅନମୋଲର ବୀର୍ଯ୍ୟ ଏକାଠି କରାଯାଏ। ଅନମୋଲର ବୀର୍ଯ୍ୟକୁ ବିକି ମାସକୁ ୫ଲକ୍ଷ ରୋଜଗାର କରୁଥିବା ଗିଲ୍ କାହିଁକି ବା ବିକନ୍ତେ। ଥରେ ଏହାର ବୀର୍ଯ୍ୟରୁ ୩ଶହରୁ ୯ଶହ ଗାଇଙ୍କୁ ଗର୍ଭବତୀ କରାଯାଇପାରିବ। ପଶୁପାଳକଙ୍କୁ ୨୫୦ ଟଙ୍କାରେ ଅନମୋଲର ବୀର୍ଯ୍ୟକୁ ବିକ୍ରି କରିଥାଆନ୍ତି ଗିଲ୍। ଅନମୋଲକୁ ନେବାକୁ ବହୁ କୋଟିପତି ଗିଲଙ୍କୁ ପ୍ରଲୋଭନ ଦେଖାଇଲେଣି। କିଏ ରୋଲ୍ସ ରୋୟସ କାର ତ କିଏ ମର୍ସିଡିଜ୍‌ ଦେବାକୁ କଥା ଦେଇଛନ୍ତି। ତା ସତ୍ତ୍ୱେ ଗିଲ୍ ଅନମୋଲକୁ ବିକିବାକୁ ସଫା ସଫା ମନା କରିଦେଇଛନ୍ତି। ରାଜସ୍ଥାନର ପୁଷ୍କର ମେଳାରେ ଅନମୋଲ ଯେମିତି ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଛି। ନଭେମ୍ୱର ୧୫ ପୁଷ୍କର ମେଳାର ଶେଷ ଦିନ। ନଭେମ୍ୱର ୯ରୁ ଆରମ୍ଭ ଏହି ପୁଷ୍କର ମେଳାର ମୁଖ୍ୟ ହିରୋ ଅନମୋଲ ସାଜିଛି କହିଲେ ଭୁଲ୍ ହେବନି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *