ସରିୟା କୋର୍ଟ, କୋର୍ଟ ଅଫ କାଜି ଆଦିର କୌଣସି ଆଇନଗତ ମାନ୍ୟତା ନାହିଁ। ଏ କଥା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏ ସବୁ କୋର୍ଟ ଦ୍ୱାରା କୌଣସି ନିର୍ଦେଶ ଆଇନ ଅନୁସାରେ ଲାଗୁ କି କାର୍ଯ୍ୟକାରୀ କରିବାକୁ ଯୋଗ୍ୟ ନୁହଁନ୍ତି। ଜଷ୍ଟିସ ସୁଧାଂଶୁ ଧୁଳିଆ ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଏହା କହିଛନ୍ତି। ଏ ସବୁ କୋର୍ଟ ଦ୍ୱାରା କୌଣସି ନିକାହ, ଘୋଷଣା, ନିଷ୍ପତ୍ତି କାହା ଉପରେ ଲାଗୁ କରିବାକୁ ବାଧ୍ୟ କରାଯାଇପାରିବନି। ମାମଲା ଥିଲା କିଛି ଏମିତି। ସେପ୍ଟେମ୍ୱର, ୨୦୦୨ରେ ଇସଲାମ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ଏ ବିବାହ ଦ୍ୱିତୀୟ ବିବାହ ଥିଲା। ୨୦୦୫ରେ ମହିଳାଙ୍କ ସ୍ୱାମୀ ମଧ୍ୟପ୍ରଦେଶ ଭୋପାଳ ସ୍ଥିତ କୋର୍ଟ ଅଫ କାଜିରେ ତଲାକ୍ ଆବେଦନ କରିଥିଲେ। ଉଭୟ ପକ୍ଷଙ୍କ ସହମତିରେ ନଭେମ୍ୱର ୨୦୦୫ରେ ଏହାକୁ ଖାରଜ କରିଦିଆଗଲା। ୨୦୦୮ରେ ସ୍ୱାମୀ ଜଣକ ଦାରୁଲ କାଜା ଅଦାଲତରେ ଆଉ ଏକ ମକଦ୍ଦମା କଲେ। ସେହି ବର୍ଷ ପତ୍ନୀ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରିବାର ଅଦାଲତ ତଲାକକୁ ଅନୁମତି ନ ଦେଇ ୨୦୦୯ରେ ରାୟ ଶୁଣାଇଥିଲେ। ପରିବାର ଅଦାଲତ ଏଥିଲାଗି ଖାରଜ କରିଥିଲେ କି, ସ୍ୱାମୀ ଜଣକ ପତ୍ନୀଙ୍କୁ ଛାଡ଼ିବାକୁ ଚାହୁଁନଥିଲେ। ଖୋଦ୍ ମହିଳା ଜଣକ ନିଜ ସ୍ୱଭାବ ଓ ଆଚରଣରୁ ବିବାଦର ମୂଳମଞ୍ଜି ଥିଲେ। ଆଉ ବିବାହ ବନ୍ଧନ ତୁଟାଇବାକୁ ଚାହୁଁଥିଲେ। ସୁପ୍ରିମକୋର୍ଟ ବି ପରିବାର ଅଦାଲତର ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଯେହେତୁ ଦୁଇ ପକ୍ଷ ଭିତରେ ଏହା ଦ୍ୱିତୀୟ ବିବାହ ଥିଲା। ସେଥିଲାଗି ଯୌତୁକ ଦାବିର କୌଣସି ସମ୍ଭାବନା ନାହିଁ। ପରିବାର ଅଦାଲତର ଏଭଳି ତର୍କ ଓ ଆକଳନ କେବଳ ଅନୁମାନ ଆଧାରରେ ହୋଇଛି। ପରିବାର ଅଦାଲତ ଏହା କହିପାରିବନି ଯେ, ଯେହେତୁ ଦୁଇ ପକ୍ଷ ଭିତରେ ଦ୍ୱିତୀୟ ବିବାହ ଥିଲା। ସେଠି ଯୌତୁକର ସମ୍ଭାବନା ନାହିଁ ବୋଲି କୁହାଯାଇପାରିବନି। ୨୦୦୫ରେ ଛାଡ଼ପତ୍ର ମାମଲା ଏଥିଲାଗି ଖାରଜ୍ କରିଦିଆଯାଇଥିଲା ଯେ, ଉଭୟ ଆପୋଷ ସହମତିରେ ଏକାଠି ରହିବାକୁ ରାଜି ହୋଇଥିଲେ। ଏହା ସହ ପ୍ରତିମାସରେ ୪ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now