ଦିଲ୍ଲୀ କୋର୍ଟର ଜଣେ ଷ୍ଟାଫ ମେମ୍ୱର ଛାତରୁ ଡେଇଁ ଆତ୍ମହତ୍ୟା କରିଦେଲେ। ତାଙ୍କ ନାଁ ହରିଶ ସିଂ ମହାର। ସେ ୬୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ। ସେ କାମ ଚାପରୁ ଆତ୍ମହତ୍ୟା କରିଥିବା କଥା ନିଜ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି। କୋର୍ଟର ଅହଲମଦ ହେବା ପରେ ତାଙ୍କୁ ନିଦ ହେଉନଥିଲା। ଅତ୍ୟଧିକ ମାନସିକ ଚାପର ସମସ୍ୟା ସହ ସେ ଜୁଝୁଛନ୍ତି। ଫଳରେ ସେ ସମୟ ପୂର୍ବରୁ ଅବସର ନେଇଯିବାକୁ ଭାବିଥିଲେ। କିନ୍ତୁ ନିୟମ ଅନୁସାରେ ୬୦ ବର୍ଷରେ ହିଁ ଅବସର ମିଳେ। ଜୀବନ ଦେବା ପୂର୍ବରୁ ଅପିଲ୍ କରିଥିଲେ, ଦିବ୍ୟାଙ୍ଗ କର୍ମଚାରୀଙ୍କ ଲାଗି କିଛି ସୁବିଧା ମିଳୁ। ଯାହା ଲାଗି ଭବିଷ୍ୟତରେ ଯେମିତି କୌଣସି ସମସ୍ୟା ନ ହୁଏ। ତେବେ ଆତ୍ମହତ୍ୟା ଲାଗି ସେ ନିଜକୁ ହିଁ ଦାୟୀ କରି ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି। କାହା ଉପରେ କୌଣସି ଦୋଷ ଲଦିନାହାନ୍ତି। ସାକେତ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୁଇସାଇଡ୍ ନୋଟରେ କାମ ଚାପର କଥା ଉଲ୍ଲେଖ କରିଛନ୍ତି। ଏ ଘଟଣାରେ ଆକ୍ରୋଶିତ କୋର୍ଟ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୋର୍ଟର କାମ ଠପ୍ ହୋଇପଡ଼ିଛି। ବ୍ୟବସ୍ଥାରେ ବ୍ୟତିକ୍ରମ ଓ ପ୍ରଶାସନିକ ଉଦାସୀନତାକୁ ଏଥିଲାଗି ଦାୟୀ କରିଛନ୍ତି କର୍ମଚାରୀ। ଅଦାଲତ ପରିସରରେ କୋର୍ଟ କର୍ମଚାରୀ ଓ ଓକିଲ ସଂଘ ଧାରଣା ଦେଇଛି। ଏ ମାମଲା କେବଳ ଜଣେ କୋର୍ଟ କର୍ମଚାରୀଙ୍କ ନୁହେଁ। ବରଂ ପୁରା ସିଷ୍ଟମର ବିଫଳତାକୁ ସୂଚାଉଛି। କାର୍ଯ୍ୟାଳୟର କର୍ମଚାରୀ ଅଭାବ ସମସ୍ୟାକୁ ଦୂର କରାଯାଉନି। ପାଲଟା କାମର ଚାପ ଲଦିଦିଆଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now