ମୁଁହ ଖୋଲିଲେ ପ୍ରବଚକ ଜୟା କିଶୋରୀ

ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀ ପୁ଼୍ଣି ଚର୍ଚ୍ଚାରେ। ତାଙ୍କ ଭଜନ କଥା, ପ୍ରବଚନକୁ ଅନେକ ପସନ୍ଦ କରନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ। କିନ୍ତୁ ସେ ୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍ ବ୍ୟବହାର କରନ୍ତି। ଡିଓର ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍ ସହ ତାଙ୍କର ଭିଡ଼ିଓ ଭାଇରାଲ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଜୋରଦାର ଟ୍ରୋଲ୍ କରାଯାଇଛି। ପଶୁ ଚମଡ଼ାରେ ନିର୍ମିତ ବ୍ୟାଗ୍ ବ୍ୟବହାର ନେଇ ତାଙ୍କୁ ୟୁଜର୍ସ ସମାଲୋଚନା କରିଥିଲେ। ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ କହୁଛନ୍ତି ଜୟା। କିନ୍ତୁ ତାଙ୍କ ହାତରେ ୨ ଲକ୍ଷ ଟଙ୍କାର ଚମଡ଼ା ବ୍ୟାଗ୍ କହି ୟୁଜର୍ସ ଟ୍ରୋଲ୍ କରିଥିଲେ। ଆଉ କିଛି ୟୁଜର୍ସ ଜୟା ବ୍ୟବହାର କରୁଥିବା ଦାମୀ ଫୋନ୍, ରୋଲେକ୍ସ ଘଣ୍ଟା, ମହଙ୍ଗା ପୋଷାକକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ତେବେ ସମାଲୋଚନା ପରେ ଜୟା ସ୍ପଷ୍ଟିକରଣ ଦେଇଛନ୍ତି ଯେ, ସେ ସାଧ୍ୱୀ ନୁହଁନ୍ତି। ଅନ୍ୟମାନଙ୍କ ଭଳି ସେ ବି ଜଣେ ସାଧାରଣ ଝିଅ। ଯେତେବେଳେ କୌଣସି ଜିନିଷ ବା ବସ୍ତୁ ପସନ୍ଦ ଆସିଥାଏ, ସେ ଅନ୍ୟମାନଙ୍କ ଭଳି କିଣିବାକୁ ଚାହିଁଥାଆନ୍ତି। ଭାଇରାଲ ଭିଡ଼ିଓରେ ତାଙ୍କ ସହ ଥିବା ବ୍ୟାଗଟି ଚମଡ଼ାର ନୁହେଁ। ଏହା ଏକ କଷ୍ଟମାଇଜଡ୍ ବ୍ୟାଗ୍। ସେ କେବେ କୌଣସି ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରନ୍ତିନି। ତାଙ୍କର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବି ସେ ଦର୍ଶକଙ୍କୁ ସବୁକିଛି ତ୍ୟାଗ କରିବାରକୁ କେବେ କୁହନ୍ତିନି। ବରଂ ଯୁବପୀଢିଙ୍କୁ କଠିନ ପରିଶ୍ରମ କରି ରୋଜଗାର କରି ନିଜର ସ୍ୱପ୍ନ ପୂରଣ କରିବାକୁ ପ୍ରୋତ୍ସାହିତ କରିଥାଆନ୍ତି। ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରିବା ଭଳି ଏଥର ବି ତାଙ୍କୁ ଯୋଡ଼ି ଟାର୍ଗେଟ ହୋଇଛି ବୋଲି କହିଛନ୍ତି ଜୟା।

ଜୟାଙ୍କ ଅସଲ ନାମ ଜୟା ଶର୍ମା। ଶ୍ରୀକୃଷ୍ଣଙ୍କ ପ୍ରତି ଗଭୀର ଆସ୍ଥା ଓ ପ୍ରେମ ପାଇଁ ତାଙ୍କ ଗୁରୁ ଗୋବିନ୍ଦ ରାମ ମିଶ୍ରା ତାଙ୍କୁ ଜୟାକିଶୋରୀ ଉପାଧି ଦେଇଥିଲେ। ଆଉ ସେବେଠୁ ସେ ଜୟା କିଶୋରୀ ନାଁରେ ପରିଚିତ। ସେ ଗୃହସ୍ଥ ଜୀବନ ଜିଇଁବାକୁ ଚାହାନ୍ତି। ୨୯ ବର୍ଷୀୟ ମୋଟିଭେସନାଲ ସ୍ପିକର ଜୟା କହିଛନ୍ତି, କଠିନ ପରିଶ୍ରମ କର, ରୋଜଗାର କର ଓ ଅନ୍ୟକୁ ଟ୍ରୋଲ କରନି। ଏକ ସାକ୍ଷାତକାରରେ ଏ ସବୁ କଥାର ସ୍ପଷ୍ଟିକରଣ ଦେଇଛନ୍ତି ଜୟା। ପୂର୍ବରୁ ଜୟା ସ୍ପଷ୍ଟ କରିଥିଲେ ଯେ, ସେ ଦାମୀ ଫୋନର ବି ସଉକ ରଖନ୍ତି। ଯେହେତୁ ସେ କିଛି ତ୍ୟାଗ କରିନାହାନ୍ତି, ଅନ୍ୟକୁ ପୁଣି କେମିତି ତ୍ୟାଗ କରିବାକୁ କହିବେ।

ରାଜସ୍ଥାନର ସୁଜାନଗଡ଼ରେ ବ୍ରାହ୍ମଣ ପରିବାରରେ ଜନ୍ମିତ ଜୟା ୭ ବର୍ଷରୁ ଆଧ୍ୟାତ୍ମିକତାରେ ରୁଚି ରଖିଥିଲେ। ଆଉ ଏହି ରୁଚିରୁ ଆଜି ତାଙ୍କର ପ୍ରବଚନ ଶୁଣିବାକୁ ଲକ୍ଷ ଲକ୍ଷ ଅନୁଗାମୀ ସୃଷ୍ଟି ହୋଇପାରିଛନ୍ତି। ଜୟା ଆରମ୍ଭରୁ ଡ୍ୟାନ୍ସର ହେବାକୁ ଚାହୁଁଥିଲେ। ବୁଗି ବୁଗି ରିଅଲିଟି ସୋ ରେ ବି ଭାଗ ନେଇଥିଲେ। କିନ୍ତୁ ତାଙ୍କ ଜୀବନରେ ଭିନ୍ନ ମୋଡ଼ ଆସିଥିଲା ୭ ବର୍ଷରୁ। ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବା ଜୟାଙ୍କ ୟୁଟ୍ୟୁବରେ ୩.୬୧ ମିଲିୟନ ସବସ୍କ୍ରାଇବର ଅଛନ୍ତି। ଇନଷ୍ଟାଗ୍ରାମରେ ୧୨.୩ ମିଲିୟନ ଓ ଫେସବୁକରେ ୮.୯ ମିଲିୟନ ଫଲୋଅର୍ସ ଅଛନ୍ତି। ତାଙ୍କର ଲୋକପ୍ରିୟ ଗୀତ ଭିତରେ ଶିବସ୍ତ୍ରୋତ, ମେରେ କାହ୍ନା ଓ ସାଜନ ମେରା ଗିରିଧାରୀ ପ୍ରମୁଖ ଅଟେ। ତାଙ୍କର ଫଲୋଅର୍ସ ଜୟାଙ୍କୁ ଏବେକାର ମୀରା ବାଇ ଭାବେ ତୁଳନା କରନ୍ତି। ପୋଡକାଷ୍ଟରେ ଆଧ୍ୟାତ୍ମିକ ପ୍ରବଚନ, ଧର୍ମ, ଜୀବନ କୋଚିଂ ଓ ସମ୍ପର୍କକୁ ନେଇ ଚର୍ଚ୍ଚା କରିଥାଆନ୍ତି ଜୟା। ଚଳିତ ବର୍ଷ ମାର୍ଚ୍ଚରେ ସାମାଜିକ ପରିବର୍ତ୍ତନ ପାଇଁ ଜୟାଙ୍କୁ ରାଷ୍ଟ୍ରୀୟ କ୍ରିଏଟର୍ସ ଆଓ୍ୱାର୍ଡ କେନ୍ଦ୍ର ସରକାର ଦେଇଥିଲେ। ନିଜ ରୋଜଗାରର ଅଧା ସେ ନାରାୟଣ ସେବା ସଂସ୍ଥାନକୁ ଦାନ କରନ୍ତି। ଯେଉଁ ସଂସ୍ଥା ବଞ୍ଚିତ ଓ ଦିବ୍ୟାଙ୍ଗ ପିଲାଙ୍କୁ ସାହାଯ୍ୟ କରିବାକୁ ସମର୍ପିତ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *