ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ବସି ହଜାରେ କିଲୋମିଟର ଯାତ୍ରା କଲା ନାବାଳକ

ବିମାନର ଲ୍ୟାଣ୍ଡିଂ ଗିଅର ଭିତରେ ଲୁଚି ଜଣେ ନାବାଳକ କାବୁଲରୁ ଦିଲ୍ଲୀ ଚାଲିଆସିଲା। ଏ କଥା ଆଶ୍ଚର୍ଯ୍ୟ ହେଲେ ବି ସତ। ୧୩ ବର୍ଷର ଆଫଗାନ ନାବାଳକଙ୍କୁ ଦିଲ୍ଲୀ ରନଓ୍ୱେରେ ଠାବ କରାଯାଇଛି। ପଚରାଉଚୁରା ପରେ କାବୁଲକୁ ପୁଣି ପଠାଇ ଦିଆଯାଇଛି। ଗଲା ରବିବାର ଘଟଣା। ଆଭିଏସନ ଷ୍ଟାଫ୍ ଓ ସିକ୍ୟୁରିଟି କର୍ମଚାରୀ ପିଲାଟିକୁ ଲ୍ୟାଣ୍ଡିଂ ଗିଅର ପାଖରେ ଲୁଚି ବସିଥିବା ଦେଖି ତାଜୁବ୍ ହୋଇଯାଇଥିଲେ। ପ୍ରାୟ ୯୪ ମିନିଟ୍ ବିମାନ ଯାତ୍ରାରେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ଦିଲ୍ଲୀରେ ସୁରକ୍ଷିତ ପହଞ୍ଚିଲେ, ତାକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏକ କମର୍ସିଆଲ ଫ୍ଲାଇଟର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଥିଲେ ନାବାଳକ ଜଣକ। ପ୍ରାୟ ଦିନ ୧୧ଟା ରେ ତାଙ୍କୁ ଏଭଳି ଅବସ୍ଥାରେ ଠାବ କରାଯାଇଥିଲା। କେଏଏମ୍ ଏୟାର ଫ୍ଲାଇଟ୍ ୨ ଘଣ୍ଟା ବିମାନ ଉଡ଼ାଣ ଭରି ଯେତେବେଳେ କାବୁଲରୁ ଆସି ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା। ତୁରନ୍ତ ନାବାଳକଟିକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା। ନାବାଳକଟିର ଘର କୁନ୍ଦୁଜରେ। ଏହା ପରେ ଟର୍ମିନାଲ-୩କୁ ଏସକର୍ଟ କରି ନିଆଯାଇ ପଚରାଉଚୁରା କରାଯାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ, କାବୁଲର ହମିଦ୍ କାରଜାଇ ଇଣ୍ଟରନାସନାଲ ଏୟାରପୋର୍ଟକୁ ବିନା ତନଖିରେ ପ୍ରବେଶ କରିଦେଇଥିଲା। ଏହା ପରେ ଏୟାରକ୍ରାଫ୍ଟର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟକୁ ଚଢ଼ିଯାଇଥିଲା। ସେ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲା, ସେ ଭୁଲରେ କାବୁଲ-ଦିଲ୍ଲୀ ଫ୍ଲାଇଟରେ ଚଢ଼ିଯାଇଥିଲା। ତାକୁ ଆଉ କୁଆଡ଼େ ଯିବାର ଥିଲା। ତେବେ ନାବାଳକଟିର ମେଡିକାଲ ପରୀକ୍ଷା କରିବା ପରେ ସମାନ ବିମାନରେ ସାଢ଼େ ୧୨ଟାରେ ଚଢ଼ାଇ ଦିଆଯାଇଥିଲା। ଫଳରେ ପିଲାଟି କାବୁଲରେ ପହଞ୍ଚିପାରିବ। ତେବେ ଦୀର୍ଘ ସମୟ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ବସିବା ସତ୍ତ୍ୱେ କେମିତି ସୁରକ୍ଷିତ ଥିଲା। କାରଣ ସେଠାରେ ସବ୍ ଜିରୋ ତାପମାତ୍ରା ସହ କମ୍ ଅକ୍ସିଜେନ୍ ଥାଏ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *