ମୁମ୍ୱାଇ ସମୁଦ୍ରରେ ବୋଟ୍ ଟ୍ରାଜେଡି

ଯାତ୍ରୀବାହି ବୋଟ୍ ସହ ନୌସେନାର ଏକ ସ୍ପିଡ୍ ବୋଟ୍ ପିଟିହେବାରୁ ୧୩ଜଣଙ୍କ ମୃତ୍ୟୁ। ମୁମ୍ୱାଇ ଗେଟ୍ ଓ୍ୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ପ୍ରାୟ ୧୧୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା ବୋଟ୍। ଦୁର୍ଘଟଣାରେ ନୌସେନାର ୩ କର୍ମଚାରୀଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ୨ଟି ପିଲା ଥିବା ସୂଚନା ମିଳିଛି । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ଅପରେସନରେ ନୌସେନାର ୧୧ ବୋଟ୍, ୪ ହେଲିକେପ୍ଟର, ସାମୁଦ୍ରିକ ପୁଲିସର ୩ ବୋଟ୍ ଓ ତଟରକ୍ଷୀ ବାହିନୀର ଗୋଟିଏ ବୋଟକୁ ନିୟୋଜିତ କରାଯାଇଥିଲା। ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନାଭିସ୍ ଘୋଷଣା କରିଥିଲା ବେଳେ ଅନୁକମ୍ପାମୂଳକ ସହାୟତା ରାଶି ଭାବେ ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆହତଙ୍କ ଲାଗି ୫୦ହଜାର ଟଙ୍କା ଘୋଷଣା ହୋଇଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ଆହତଙ୍କୁ ସେଣ୍ଟ୍ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାମହିମ ରାଷ୍ଟ୍ରପତିଙ୍କଠୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଏଭଳି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ସେପଟେ ନୌସେନା ସ୍ପିଡ୍ ବୋଟ୍ ଡ୍ରାଇଭରଙ୍କ ବିରୁଦ୍ଧରେ ପୁଲିସ ଏତଲା ରୁଜୁ କରିଛି। ଇଞ୍ଜିନ ପରୀକ୍ଷଣ ବେଳେ ଏତେବଡ଼ ଅଘଟଣ ଘଟିଗଲା। ଯଦି ଇଞ୍ଜିନ ପରୀକ୍ଷଣ ବେଳେ କୌଣସି ଯାନ୍ତ୍ରିକ ତୃଟି ଦେଖାଦେଇଥିବ, ତା ହେଲେ ଅଲଗା କଥା। କିନ୍ତୁ ଯଦି ମନୋରଞ୍ଜନ ପାଇଁ ସ୍ପିଡ୍ ବୋଟ୍ ଡ୍ରାଇଭିଂ ହୋଇଥାଏ, ତାହେଲେ ଆକ୍ସନ ନିଶ୍ଚିତ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ। ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ୱେକର ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ଏଭଳି ଘଟଣା କାହିଁକି ଓ କାହା ତୃଟିରୁ ଘଟିଲା, ଏହାର ସବିଶେଷ ଯାଞ୍ଚ ହେବା ଜରୁରୀ। ତା ସହ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ଠିକଣା ଯୋଜନା କରିବା ଜରୁରୀ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ନରଓ୍ୱେକର। ବିଧାନସଭାରେ ଏହାକୁ ନେଇ ବିରୋଧୀ ବି ସ୍ୱର ଉଠାଇଥିଲେ। ଘଟଣାର ମିଳିତ ତଦନ୍ତ କରୁଛି ପୁଲିସ ଓ ଭାରତୀୟ ନୌସେନା। ଏହା ଏକ ଦୁର୍ଘଟଣା। ଏହାକୁ ନେଇ କୌଣସି ପ୍ରକାର ରାଜନୀତି ଶୋଭନୀୟ ନୁହେଁ ବୋଲି କହିଛି ଶିବସେନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *