ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସିପି ରାଧାକ୍ରିଷ୍ଣନ। ମହାରାଷ୍ଟ୍ର ରାଜ୍ୟପାଳ ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସଂସଦୀୟ ବୋର୍ଡ ବୈଠକ ମୋହର ମାରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଥିଲେ। ୬୮ ବର୍ଷୀୟ ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆରଏସଏସ ଓ ଜନସଂଘ ସହ ଜଡ଼ିତ ଥିଲେ। ଝାଡ଼ଖଣ୍ଡ, ତେଲେଙ୍ଗାନା, ପଣ୍ଡିଚେରୀ ରାଜ୍ୟପାଳ ଭାବେ କାମ କରିବା ପରେ ଗଲାବର୍ଷ ଜୁଲାଇ ୩୧ରୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି ରାଧାକ୍ରିଷ୍ଣନ। ୧୯୯୮ରେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। କୋଏମ୍ୱାଟୁରରୁ ୨ଥର ସାଂସଦ ହୋଇଥିଲେ। ତାମିଲନାଡ଼ୁର ବିଜେପି ସଭାପତି ଭାବେ କାର୍ଯ୍ୟ କରିଛନ୍ତି ରାଧାକ୍ରିଷ୍ଣନ। ଜଗଦୀପ ଧନକଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୨୧ରେ ନାମାଙ୍କନ ଦାଖଲର ଶେଷ ତାରିଖ। କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ସହ କଥା ହୋଇ ରାଧାକ୍ରିଷ୍ଣନଙ୍କ ସପକ୍ଷରେ ସମର୍ଥନ ମାଗିଛନ୍ତି ରାଜନାଥ ସିଂ। ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କରି କଂଗ୍ରେସ-ଡିଏମକେକୁ ଚ୍ୟାଲେଞ୍ଜ କରିଛି ଏନଡିଏ। କାରଣ ରାଧାକ୍ରିଷ୍ଣନ ତାମିଲନାଡ଼ୁର କୋଏମ୍ୱାଟୁରର ବାସିନ୍ଦା। ୨୦୨୪ ଲୋକସଭା ନିର୍ବାଚନରେ ମାତ୍ର କିଛି ଆସନକୁ ଛାଡ଼ିଦେଲେ ବିଜେପିର ପ୍ରଦର୍ଶନ ତାମିଲନାଡ଼ୁରେ ନିରାଶାଜନକ ଥିଲା। ବିଜେପି ସାଉଥ୍ କାର୍ଡ ଖେଳିବା ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟ କାହାକୁ ମୈଦାନକୁ ଛାଡ଼ିବ, ତା ଉପରେ ନଜର। ଏନଡିଏ ମେଣ୍ଟର ବଡ଼ ଅଂଶୀଦାର ଥିବା ନାଇଡୁ ଓ ନୀତିଶଙ୍କୁ ହତଚକିତ କଲା ଭଳି ଉପରାଷ୍ଟ୍ରପତି ପ୍ରାର୍ଥୀ ଇଣ୍ଡିଆ ମେଣ୍ଟ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବିହାର ନଚେତ ଆନ୍ଧ୍ରରୁ ହୋଇପାରେ। ବିଶେଷ କରି ବିଚାରାଧାରା ଉପରେ ମିଳିତ ପ୍ରାର୍ଥୀ ଦେଇପାରେ ଇଣ୍ଡିଆ ମେଣ୍ଟ। ସଂଖ୍ୟା ଗଣିତ କହୁଛି ମୋଟ୍ ୭୮୬ ଇଲେକଟ୍ରୋରାଲ ଭୋଟରୁ ଜିତିବାକୁ ୩୯୪ ଭୋଟ ଜରୁରୀ। ଏନଡିଏ ପାଖରେ ୪୨୭ ସାଂସଦଙ୍କ ସମର୍ଥନ ରହିଛି। ୫୪୨ ଲୋକସଭା ସାଂସଦ ଓ ୨୪୦ ରାଜ୍ୟସଭା ସାଂସଦ ଭୋଟ ଦେବେ। ଲୋକସଭାରେ ଏନଡିଏ ସହ ୨୯୩ ଓ ବିରୋଧୀଙ୍କ ସହ ୨୪୯ ସମର୍ଥନ ରହିଛି। ସେହିଭଳି ରାଜ୍ୟସଭାରେ ଶାସକ ଦଳ ସହ ୧୩୪ ଓ ବିରୋଧୀ ଦଳ ସହ ୧୦୫ ସାଂସଦଙ୍କ ସମର୍ଥନ ରହିଛି। ଏହି ସମୀକରଣ ଦେଖିଲେ, ଇଣ୍ଡିଆ ମେଣ୍ଟ ପାଖରେ ୩୫୪ ସାଂସଦଙ୍କ ସମର୍ଥନ ରହିଛି। ତେବେ ୧୩୩ ସାଂସଦଙ୍କ ସମର୍ଥନ ଏହି ନିର୍ବାଚନ ପରିଣତିରେ ନିର୍ଣ୍ଣାୟକ ସାଜିବ। ନମ୍ୱରଗେମ୍ ଦେଖିଲେ ଏନଡିଏ ପ୍ରାର୍ଥୀ ଜିତିବା ନିଶ୍ଚିତ। କିନ୍ତୁ ବିନା ଲଢ଼େଇରେ ମୈଦାନ ବି ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ଇଣ୍ଡିଆ ମେଣ୍ଟ। ଜଗଦୀପ ଧନକଡ଼ଙ୍କ ଭଳି ମୁଖର ରାଜନେତାଙ୍କ ଜାଗାରେ ଏବେ ସୌମ୍ୟ ଓ ଶାନ୍ତ ସ୍ୱଭାବର ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ତେବେ ଇଣ୍ଡିଆ ମେଣ୍ଟ କାହାକୁ ରାଧାକ୍ରିଷ୍ଣନଙ୍କ ସହ ଲଢ଼ାଇବ, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp
Join and get latest news update delivered to you via whatsapp
Join Now