ଜାତୀୟ ନିରାପତ୍ତା ଆଇନରେ ଅଟକ ସାଂସଦ ଅମ୍ରିତପାଲ୍ ସିଂ ସଂସଦର ଅଧିବେଶନରେ ଯୋଗ ଦେବାକୁ କୋର୍ଟ ହସ୍ତକ୍ଷେପ ଲୋଡ଼ିଛନ୍ତି। ତାଙ୍କୁ ଜେଲରୁ ରିଲିଜ କରିବାକୁ ଏ ସନ୍ଦର୍ଭରେ କେନ୍ଦ୍ରକୁ ନିର୍ଦେଶ ଦିଅନ୍ତୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଯେମିତିକୁ ସେ ଗଣତନ୍ତ୍ର ଦିବସ ଓ ସଂସଦର ଅଧିବେଶନରେ ଯୋଗ ଦେଇପାରିବେ। ଯଦି ଜଣେ ସାଂସଦ ସଂସଦ ଅଧିବେଶନରେ ୬୦ ଦିନ କ୍ରମାଗତ ଅନୁପସ୍ଥିତ ରୁହନ୍ତି, ତାହେଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବ। ଏମିତି ଦେଖିବାକୁ ଗଲେ ୪୬ ଦିନ ହେଲା ସେ ସଂସଦ ଅଧିବେଶନରେ ଯୋଗ ଦେଇନାହାନ୍ତି ବୋଲି ପିଟିସନରେ ଉଲ୍ଲେଖ କରିଛନ୍ତି ଅମ୍ରିତପାଲ୍ ସିଂ। ପଞ୍ଜାବର ଖଦୁର ସାହିବ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅମ୍ରିତପାଲ୍। ଓ୍ୱାରିସ୍ ପଞ୍ଜାବ୍ ଦେ ନାମକ ସଂଗଠନର ମୁଖ୍ୟ ବି ଅଟନ୍ତି ଅମ୍ରିତପାଲ୍। ଶୀତକାଳୀନ ଅଧିବେଶନରେ ଯୋଗ ଦେବାକୁ ନଭେମ୍ୱର ୩୦ରେ ସେ ବାଚସ୍ପତିଙ୍କୁ ବି ଔପଚାରିକ ଅନୁରୋଧ କରି ଅନୁମତି ଲୋଡ଼ିଥିଲେ। ଏହା ସହ ଦିଲ୍ଲୀ ଡେପୁଟି କମିଶନରଙ୍କୁ ବି ଅନୁରୋଧ କରି ରିପ୍ରେଜେଣ୍ଟେସନ ଦେଇଥିଲେ। କିନ୍ତୁ ଏ ଯାଏଁ କୌଣସି ପ୍ରତ୍ୟୁତ୍ତର ମିଳିଲାନି। ନିଜ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଭାବେ ସଂସଦରେ ସ୍ୱର ଉଠାଇବା ତାଙ୍କର ମୌଳିକ କର୍ତ୍ତବ୍ୟ ଓ ସାମ୍ୱିଧାନିକ ଦାୟିତ୍ୱ। ଏଥିରୁ ତାଙ୍କୁ ବଞ୍ଚିତ କରାନଯାଉ ବୋଲି ଅପିଲ୍ କରିଛନ୍ତି ଅମ୍ରିତପାଲ୍। ଖଲିସ୍ତାନୀ ଅମ୍ରିତପାଲ ସିଂଙ୍କ ସମେତ ୯ ଜଣ ଆସାମର ଦିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି। ଜାତୀୟ ନିରାପତ୍ତା ଆଇନରେ ଗଲା ବର୍ଷ ମାର୍ଚ୍ଚରୁ ବନ୍ଦୀ ଅଛନ୍ତି ଅମ୍ରିତପାଲ୍। ତାଙ୍କ ସମେତ ତାଙ୍କର ୩ ସହଯୋଗୀଙ୍କର ଏହି ବନ୍ଦୀ ଅବଧି ଜୁଲାଇ ୨୪ରେ ସରୁଥିଲା। ବାକି ଅନ୍ୟ ୬ ଜଣଙ୍କର ଜୁନ୍ ୧୮ରେ ସରିବାର ଥିଲା। କିନ୍ତୁ ଉପଦେଷ୍ଟା ବୋର୍ଡର ରିପୋର୍ଟ, ମାମଲାର ତଥ୍ୟ ଓ ପରିସ୍ଥିତି ଉପରେ ବିଚାର କରି ଏପ୍ରିଲ ୨୨, ୨୦୨୫ ଯାଏ ଅର୍ଥାତ ବର୍ଷକ ପର୍ଯ୍ୟନ୍ତ ଜେଲ୍ ଅବଧି ବୃଦ୍ଧି କରାଯାଇଥିଲା। ବିଛିନ୍ନତାବାଦୀ ଆକ୍ଟିଭିଟିକୁ କ୍ରମାଗତ ଉସୁକାଉଥିବାରୁ ଏହା ରାଜ୍ୟ ପ୍ରତି ବିପଦର ଆଧାର ଦର୍ଶାଇ ପଞ୍ଜାବ ସରକାର ଅଟକ ଅବଧିକୁ ବଢାଇଥିଲେ। ଅମ୍ରିତପାଲ୍ ପ୍ରାୟ ୨ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now