ଟିପି ସ୍କିମରେ ହିଁ ସମ୍ଭବ- ସହର ସମ୍ପ୍ରସାରଣ

ବଢ଼ିବ ସହରର କଳେବର। ହେଲେ ପୁରା ଯୋଜନାବଦ୍ଧ ଭାବେ। ସହର ସମ୍ପ୍ରସାରଣକୁ ଗୁରୁତ୍ୱ ଦେଇ ୧୪୩ ରାଜସ୍ୱ ଗାଁକୁ ନିଜ ସହ ସାମିଲ୍ କରିବାକୁ ନେଇଥିବା ନିଷ୍ପତ୍ତି ନେଇଛି ବିଡିଏ। ଖୋର୍ଦ୍ଧା,ଜଟଣୀ,ପିପିଲି ଓ ବିଏମସି ଆଦି ୪ଟି ସହରାଞ୍ଚଳର ଉପକଣ୍ଠର ବିକାଶ କେମିତି ସମାନ୍ତରାଳ ଭାବେ ହେବ, ଏହାକୁ ନେଇ ତର୍ଜମା କରିଥିଲା ବିଡିଏ। ଶେଷରେ ଉନ୍ନୟନ କର୍ତ୍ତୃପକ୍ଷ ବୈଠକରେ ଦୀର୍ଘ ୧୪ ବର୍ଷ ପରେ ସହରର କଳେବରକୁ ସମ୍ପ୍ରାସାରଣ କରି ଟାଉନ ପ୍ଲାନିଂ ସ୍କିମ ଅନ୍ତର୍ଗତ ବିକାଶ କରିବାକୁ ଅଣ୍ଟା ଭିଡ଼ିଛି ବିଡିଏ। ୧୯୮୩ରେ ମାତ୍ର ୧୧୬ ରାଜସ୍ୱ ଗାଁକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା। ପରେ ୨୦୦୨, ୨୦୦୩ ଓ ୨୦୧୧ରେ ଏହାର କଳେବର ସମ୍ପ୍ରସାରଣ ହୋଇଥିଲା। ୫୬୯ ଗାଁକୁ ସାମିଲ କରିଥିଲା ବିଡିଏ। ଏ ସବୁ ଗାଁ ମିଶିଲେ, ବିଡିଏ ଅଧୀନରେ ରହିବ ମୋଟ୍ ୭୧୨ ଗାଁ। ସଂଯୋଗୀକରଣ ସହ ସମସ୍ତ ଭିତ୍ତିଭୂମିର ବିକାଶ ଉପରେ ଫୋକସ୍ କରିବ ବିଡିଏ। ବିନା ପ୍ଲାନ୍‌ରେ କୌଣସି ସହର ଉପକଣ୍ଠ ଏଣିକି ବଢ଼ିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବିଡିଏ ସହର ଭିତରେ ସିଡିପି ରାସ୍ତାର ବିକାଶ କରିବ। ପ୍ରାୟ ୨୪ଟି ସିଡିପି ରୋଡ୍ ହେବ। ଜୟଦେବ ବିହାରରୁ ଭାୟା ରଘୁନାଥପୁର ନନ୍ଦନକାନନ, ନୂଆ ଭୁବନେଶ୍ୱର ରେଳଷ୍ଟେସନକୁ ଯିବାର ଆପ୍ରୋଚ୍ ରୋଡ୍, ଟିପି ସ୍କିମ୍-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କାଟେଣୀ ରୋଡ୍, ଟିପି-୮ ପଛ ପାଖ ନ୍ୟୁ-ସିଟି ଲାଗି ଚିହ୍ନିତ ରାସ୍ତା ଆଦିର ବିକାଶ ହେବ। ରିଂ ରୋଡ୍‌ର ଭାଗ୍ୟ ବି ୪୫ଟି ଟିପି ସ୍କିମ୍ ଉପରେ ନିର୍ଭର କରୁଛି। କାରଣ ସବୁ ଟିପି ସ୍କିମ ଦେଇ ରିଂ ରୋଡ୍ ଯିବ। ସର୍ବୋପରି ଜାଗାର ୪୦ ପ୍ରତିଶତ ନେଇ ଏହା ବଦଳରେ ୬୦ ପ୍ରତିଶତର ଏକ ପ୍ଲଟ୍, ଯେଉଁଠିକି ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଦେଉଛି ବିଡିଏ। ଆଉ ଟିପି ସ୍କିମର୍ ଚାହିଦା ଦେଖି ବିନା ଜମି ଅଧିଗ୍ରହଣ ଓ ବିନା କ୍ଷତିପୂରଣ ଝାମେଲାରେ କେମିତି ବିଡିଏ ଅନ୍ତର୍ଭୁକ୍ତ ଗାଁର ବିକାଶ ହେବ, ତାକୁ ପ୍ରାଥମିକତା ଦେଇଛି ନଗର ଉନ୍ନୟନ ବିଭାଗ। ଟିପି ସ୍କିମକୁ ଅଧିକ ଆଦୃତ କରିବାକୁ ନଗର ଉନ୍ନୟନ ବିଭାଗ ଯେଉଁ ଡ୍ରାଫ୍ଟ ପ୍ଲାନ୍ ଆଣିଛି, ସେଥିରେ ବି ବହୁ ରିଲାକ୍ସ ଦେଇଛି। ଟିପି ସ୍କିମରେ ଥିବା ମୂଳ ପ୍ଲଟକୁ ପୁଣି ପାର୍ଟ କରି ବିକିବାକୁ ହେଲେ ଏଣିକି ଓପନ ସ୍ପେଶ୍ ଲାଗି ଜାଗା ସଂରକ୍ଷଣ ରଖିବା କି ସବ-ପ୍ଲଟ୍ ଲାଗି ଲେ-ଆଉଟ୍ ଆପ୍ରୁଭାଲ ଆଉ ଜରୁରୀ ନୁହେଁ। ଜନସଂଖ୍ୟା ବଢ଼ୁଛି। ସେହି ଅନୁପାତରେ ସହର ସଙ୍କୁଚିତ ହେବାରେ ଲାଗିଲାଣି।ସେଥିଲାଗି ସହର ଉପକଣ୍ଠର ବିକାଶକୁ ପ୍ରାଥମିକତା ଦେଇ ଟାଉନ ପ୍ଲାନିଂ ସ୍କିମରେ ଅଧିକରୁ ଅଧିକ ରାଜସ୍ୱ ଗାଁକୁ ସାମିଲ୍ କରି ଯୋଜନାବଦ୍ଧ ସହରର ପରିକଳ୍ପନାକୁ ସାକାର କରିବାକୁ ଫୋକସ୍ କରିଛି ବିଡିଏ। ତେବେ କେବଳ ରାଜସ୍ୱ ଗାଁ ଗୁଡ଼ିକୁ ନିଜ ଅଧୀନକୁ ନେଇଗଲେ ଚଳିବନି। ସେ ସବୁ ଗାଁର ବିକାଶ, ପ୍ଲାନ୍ ଅନୁମୋଦନରୁ ନେଇ ଆନୁସଙ୍ଗିକ ଭିତ୍ତିଭୂମି ଦେଇନପାରିଲେ ଲୋକହସା ହେବ। ବିଡିଏର ୪୧ତମ ପ୍ରତିଷ୍ଠା ଦିବସରେ ତତ୍କାଳୀନ ନଗର ଉନ୍ନୟନ ସଚିବ ଜି.ମାଥିଭଥନନ ଖୋଲା ମଞ୍ଚରେ ବିଡିଏକୁ ସମାଲୋଚନା କରିଥିଲେ। ବିଡିଏରେ ଯେତିକି ଗାଁ ସାମିଲ ହୋଇଛନ୍ତି, ସେମାନେ ଖୁସି ନାହାନ୍ତି ବୋଲି ମନେ ପକାଇଦେଇଥିଲେ ବିଡିଏକୁ। ବିଡିଏ କେବଳ ଗାଁ ଗୁଡ଼ିକୁ ନେଇଯାଉଛି। କିନ୍ତୁ ଆଶାନୁରୂପ ସେବା ଦେଇପାରୁନି। ଗାଁ ଲୋକଙ୍କୁ ପଚାରିଲେ, ବିଡିଏ ଉପରେ ଖୁସି ନାହାନ୍ତି ବୋଲି ଫିଡବ୍ୟାକ୍ ଆସୁଛି କହି ବିଡିଏ ନିଜର କାର୍ଯ୍ୟକଳାପରେ ଉନ୍ନତି ଆଣୁ ବୋଲି ଚେତାଇଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *