ଓ୍ୱାନ ନେସନ ଓ୍ୱାନ୍ ଇଲେକ୍ସନ- ମେ ୧୭ରୁ ରାଜ୍ୟ ଗସ୍ତ କରିବ ଜେପିସି

() ଓ୍ୱାନ୍ ନେସନ, ଓ୍ୱାନ୍ ଇଲେକ୍ସନ। ଗୋଟିଏ ଦେଶ, ଗୋଟିଏ ପରିଚୟ। ଯାହା ଭାରତର ଲୋକତନ୍ତ୍ରକୁ ମଝଭୁତି ଦେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାକୁ ନେଇ ଜଏଣ୍ଟ ପାର୍ଲିଆମେଣ୍ଟ୍ରି କମିଟି ବା ଜେପିସିର ବୈଠକ ଆଜିଠୁ ଆରମ୍ଭ ହୋଇଛି। ମେ ୧୭ରୁ ଜେପିସି ବିଭିନ୍ନ ରାଜ୍ୟ ଗସ୍ତ କରିବ। ମହାରାଷ୍ଟ୍ରରୁ ଆରମ୍ଭ ହେବ ଏହି ଗସ୍ତ। ଏହା ପରେ ଉତ୍ତରାଖଣ୍ଡ, ଜମ୍ମୁ କଶ୍ମୀର, ଚଣ୍ଡୀଗଡ଼ ଓ ପଞ୍ଜାବ ଯିବ କମିଟି। ଜେପିସି ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି, କମିଟି ସମସ୍ତ ରାଜ୍ୟକୁ ଗସ୍ତ କରିବ। ଦେଶର ଲୋକଙ୍କ ବିଚାର ଜାଣିବାକୁ ସବୁ ପକ୍ଷର କଥା ଶୁଣାଯିବ। ଜେପିସିର ଶେଷ ବୈଠକ ମାର୍ଚ୍ଚ ୨୫ରେ ହୋଇଥିଲା। ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ଭାରତ ଯେଭଳି ଅର୍ଥନୈତିକ ପ୍ରଗତିରେ ଚାଲିଛି। ଦେଶରେ ଗୋଟିଏ ନିର୍ବାଚନ ହେଲେ ସମୟ ବଞ୍ଚିବ, ଅର୍ଥ ବି ବଞ୍ଚିବ। ଏହା ରାଷ୍ଟ୍ରହିତରେ ଲାଗିବ। ଆଦର୍ଶ ଆଚରଣ ବିଧି କମ୍ ସମୟ ଲାଗୁ ରହିବ। ୫ ବର୍ଷରେ ଥରେ ନିର୍ବାଚନ କରିବାକୁ ପଡ଼ିବ। ନିର୍ବାଚନରେ ନିୟୋଜିତ ଶିକ୍ଷକ, ସରକାରୀ କର୍ମଚାରୀ, ପାରାମିଲିଟାରୀ ଫୋର୍ସଙ୍କ ସମୟ ଅପଚୟ ହେବନି। ୧୯୫୨ରୁ ୧୯୬୭ ଯାଏଁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିଲା। କିନ୍ତୁ କଂଗ୍ରେସ ବାରମ୍ୱାର ସରକାର ଭାଙ୍ଗିବା ତଥା ଅନ୍ୟ କାରଣରୁ ଅଲଗା ଅଲଗା ସମୟରେ ନିର୍ବାଚନ କରିବାକୁ ପଡ଼ୁଛି। ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ ପାଇଁ ନିର୍ବାଚନ କମିଶନ, ୧୯୮୩ରେ ଇନ୍ଦିରା ସରକାର, ୧୯୮୯ରେ ଲ କମିଶନ, ଏବେ ଉଚ୍ଚସ୍ତରୀୟ କମିଟି ବି ଏହା ସପକ୍ଷରେ କହିସାରିଲେଣି। ବିଜେପି ଯୁବମୋର୍ଚ୍ଚା ଏହା ସପକ୍ଷରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଦେଲେଣି। ସେପଟେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଏହାକୁ ବିରୋଧ କରିଛନ୍ତି। ଓ୍ୱାକଫ ବିଲ୍ ନେଇ ଯେମିତି ସୁପ୍ରିମକୋର୍ଟ ଯିବାକୁ ବାଧ୍ୟ ହେଲୁ। ସେମିତି ସଂସଦରେ ବିନା ଆଲୋଚନାରେ ଥୋପିଦିଆଗଲେ ବିରୋଧ ହେବ। ଓ୍ୱାନ୍‌ ନେସନ, ଓ୍ୱାନ୍‌ ଇଲେକ୍ସନ ନେଇ ବୁଲଡୋଜର ଚଳାଇବାକୁ ପ୍ରୟାସ କରି ଆଇନ ଥୋପିଲେ ସୁପ୍ରିମକୋର୍ଟ ଯିବୁ। ଆପ୍ କହିଛି, ଏହା ଲାଗୁ ହେଲେ ନେତାଙ୍କୁ ଜବାବଦେହୀ କେମିତି ସ୍ଥିର ହେବ। ଦେଶରେ ଏକ ରାଷ୍ଟ୍ର-ଏକ ଶିକ୍ଷା ଓ ଏକ ହେଲଥ କେୟାରର ଆବଶ୍ୟକତା ଅଛି। କଂଗ୍ରେସ କହିଛି, ଦେଶର ସମ୍ୱିଧାନକୁ ଏହା ବୁଡ଼ାଇବ। ସେପଟେ ଜେପିସି ବୈଠକକୁ ବିଜେପି ସାଂସଦ ବାଂସୁରୀ ସ୍ୱରାଜ ନାସନାଲ ହେରାଲ୍ଡର ଲୁଟ୍ ପ୍ରିଣ୍ଟ୍ ହୋଇଥିବା ଏକ ବ୍ୟାଗକୁ ନେଇ ଯାଇଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରି ଏଭଳି ବ୍ୟାଗ୍ ନେଇଯାଇଥିଲେ ସ୍ୱରାଜ। ପାଲେଷ୍ଟାଇନଙ୍କୁ ସମର୍ଥନରେ ପ୍ରିୟଙ୍କା ଅତୀତରେ ଏମିତି ପ୍ରିଣ୍ଟେଡ୍ ବ୍ୟାଗ୍ ନେଇକି ଯାଇଥିଲେ। ସେବା ଆଳରେ ସତ୍ତାର ଦୁରୁପଯୋଗ କରିଛି କଂଗ୍ରେସ ବୋଲି କହିଛନ୍ତି ବାଂସୁରୀ। ସେପଟେ କଂଗ୍ରେସ କହିଛି, ବିଜେପି ସବୁବେଳେ ଲୋକତନ୍ତ୍ର ବିରୁଦ୍ଧରେ କାମ କରି ଆସୁଛି। କଂଗ୍ରେସ ନା ଡରିଛି ନା କାହା ଆଗରେ ନଇଁବ। ଭାରତରେ ବାରମ୍ୱାର ନିର୍ବାଚନରୁ ୪ରୁ ୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯଦି ଓ୍ୱାନ ନେସନ ଓ୍ୱାନ ଇଲେକ୍ସନ ଲାଗୁ ହୁଏ। ତାହେଲେ ଦେଶର ଜିଡିପିର ପ୍ରାୟ ଦେଢ଼ ପ୍ରତିଶତ ଅର୍ଥାତ୍ ପ୍ରାୟ ସାଢ଼େ ୪ଲକ୍ଷ କୋଟି ଟଙ୍କା ସଞ୍ଚିତ ହୋଇପାରିବ। ଏହି ରାଶିକୁ ସ୍ୱାସ୍ଥ୍ୟ ଓ ଶିକ୍ଷା ବଜେଟରେ କେନ୍ଦ୍ର ସରକାର ଲଗାଇପାରିବେ। ଏହି ପ୍ରକ୍ରିୟା ଲାଗୁ ପରେ ଦେଶର ସମସ୍ତ ବିଧାନସଭା ଓ ଲୋକସଭାର କାର୍ଯ୍ୟକାଳ ୨୦୨୯ରୁ ୨୦୩୪ ଯାଏଁ ସମାନ ରହିବ। ଯଦି କୌଣସି ସରକାର ମଝିରୁ ଭାଙ୍ଗିଯାଏ, ତେବେ ମଧ୍ୟବର୍ତ୍ତୀ ନିର୍ବାଚନ ହେବ। କିନ୍ତୁ ଏହାର କାର୍ଯ୍ୟକାଳ ଶେଷ ଅବଧିରୁ ଅଧିକ ହେବନି। ମତାଦାତାଙ୍କ ଭାଗିଦାରୀ ବୃଦ୍ଧି, ସ୍ଥିର ଶାସନ ଓ ଲମ୍ୱା ଅବଧି ପର୍ଯ୍ୟନ୍ତ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିହେବ ବୋଲି ସରକାରଙ୍କ ଯୁକ୍ତି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *