ଏପଟେ ଅପରେସନ ସିନ୍ଦୂରରେ ମହାବିତର୍କ- ସେପଟେ ଅପରେସନ ମହାଦେବରେ ଆତଙ୍କବାଦୀ ନିପାତ

ଅପରେସନ ସିନ୍ଦୂରକୁ ନେଇ ସଂସଦରେ ଆରମ୍ଭ ହେଲା ଆଲୋଚନା। ଲୋକସଭାରେ ଏଥିଲାଗି ୧୬ ଘଣ୍ଟା ମାରାଥନ ବିତର୍କ ଲାଗି ସମୟ ସ୍ଥିର ହୋଇଛି। ଲୋକସଭା ଆରମ୍ଭ ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ। ପ୍ରଶ୍ନୋତ୍ତର କାଳ ବାତିଲ୍ କରି ଆଲୋଚନା ଲାଗି ଅଡ଼ି ବସିଥିଲେ ବିରୋଧୀ। ଭୋଟର ତାଲିକା ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ ବିରୋଧୀ। ପ୍ରଶ୍ନୋତ୍ତର କାଳ କାହିଁକି ସୁରୁଖୁରୁରେ ଚଳାଇ ଦେଉନାହାନ୍ତି ବୋଲି ବାଚସ୍ପତି କ୍ଷୋଭ ଝାଡ଼ିଥିଲେ। ଯେହେତୁ ଅପରେସନ ସିନ୍ଦୂର ଉପରେ ବିତର୍କକୁ ଅନୁମତି ମିଳିସାରିଛି। ପ୍ରଶ୍ନକାଳକୁ ପୂର୍ବ ପ୍ରାୟୋଜିତ ଭଳି ଭଣ୍ଡୁର କରୁଛ। ଗୃହ ଭିତରେ ସ୍ଲୋଗାନ କାହିଁକି ଦେଇ ହଟ୍ଟଗୋଳ କରୁଛ କହି ରୋଷ ଝାଡ଼ିଥିଲେ ବାଚସ୍ପତି। ଆଉ ଆଗ ଦିନ ୧୨ଟା ଯାଏ ଓ ପରେ ଗୃହକୁ ଗୋଟାଏ ଓ ଅପରାହ୍ନ ଦୁଇଟା ଯାଏ ତିନି ତିନି ଥର ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ଏହା ପରେ ଦୁଇଟା ପରେ ଗୃହ ସ୍ୱାଭାବିକ ହୋଇଥିଲା। ଆଉ ଅପରେସନ ସିନ୍ଦୂରକୁ ନେଇ ଆରମ୍ଭ ହୋଇଥିଲା ମହା ବିତର୍କ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅପରେସନ ସିନ୍ଦୂର ଉପରେ ଆଗ ଆଲୋଚନା ଆରମ୍ଭ କରିଥିଲେ। ଦେଶର ବୀରସେନାନୀଙ୍କୁ ନମନ କରି ସେମାନଙ୍କ ବଳିଦାନ ଓ ସମର୍ପଣ ପ୍ରତି କୃତଜ୍ଞତା ଜ୍ଞାପନ କରି ଆଲୋଚନା ଆରମ୍ଭ କରିଥିଲେ ରାଜନାଥ। ଅପରେସନ ସିନ୍ଦୂରରେ ଭାରତ କୌଣସି ମହତ୍ତ୍ୱପୂର୍ଣ୍ଣ ଆସେଟ୍ ହରାଇନି। ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଲା ଭାରତ। ଭାରତର କୌଣସି ଗୋଟିଏ ହିଟ୍‌କୁ ବି ଟାର୍ଗେଟ କରିବାରେ ଅସଫଳ ହେଲା ପାକିସ୍ତାନ। ସାରା ବିଶ୍ୱ ଭାରତର ପରାକ୍ରମ ଦେଖିଲା। ଭୟରେ ଯୁଦ୍ଧ ରୋକିଦେବାକୁ ପାକିସ୍ତାନ ଅନୁନୟ ହୋଇଥିଲା। ତେବେ ଯୁଦ୍ଧ କିଏ ରୋକିଲା ଆଉ କାହା ଚାପରେ ବୋଲି ପଚାରିଥିଲେ ମଝିରୁ ଉଠି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ମଝିରୁ ଉଠି ପଚାରିବାରୁ ରାଜନାଥ କହିଥିଲେ, ତାଙ୍କ ପାଳି ଆସିଲେ ସେ କହିବେ। ଯୁଦ୍ଧ କାହାରି ଚାପରେ ରୋକିବା କଥା, ସମ୍ପୂର୍ଣ୍ଣ ଭୁଲ୍। ଟ୍ରମ୍ପଙ୍କ କୌଣସି ପ୍ରକାର ହସ୍ତକ୍ଷେପକୁ ମନା କରିଛନ୍ତି ରାଜନାଥ। ତାଙ୍କ ରାଜନୈତିକ ଜୀବନରେ ସେ କଦାପି ଅସତ୍ୟ କହିନାହାନ୍ତି ବୋଲି କହିଛନ୍ତ ରାଜନାଥ। ଯଦି ପାକିସ୍ତାନ ଏଭଳି କୌଣସି ହରକତର ପୁନରାବୃତ୍ତି କରେ, ତାହେଲସେ ଅପରେସନ ସିନ୍ଦୂର ଆଉ ଥରେ ଆରମ୍ଭ ହେବ। ପାକିସ୍ତାନ ସହ ଭାରତର କୌଣସି ସୀମା ସଂଘର୍ଷ ନାହିଁ। କିନ୍ତୁ ଦୁନିଆ ଆଗରେ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଛି ପାକିସ୍ତାନ। ଏହା ସହ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ରାଜନାଥ। ଅପରେସନ ସିନ୍ଦୂରରେ ଭାରତର କେତୋଟି ବିମାନ ଖସିଛି ବୋଲି ପଚାରୁଥିବା ବିରୋଧୀ କାହିଁକି ପଚାରୁନାହାନ୍ତି, ପାକିସ୍ତାନର କେତେ ବିମାନକୁ ମାରି ଖସାଇଛି ଭାରତ। ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ ପୁରା ଆତ୍ମରକ୍ଷା ଲାଗି ଉଦ୍ଦିଷ୍ଟ ଥିଲା। ଏହା କୌଣସି ଯୁଦ୍ଧକୁ ଉସୁକାଇବା ଲାଗି ନଥିଲା। ବରଂ ସୀମାପାର ଆତଙ୍କବାଦ ଓ ପାକ୍ ପ୍ରୋତ୍ସାହିତ ଆତଙ୍କବାଦୀକୁ ସବକ୍ ଶିଖାଇବା। ମାତ୍ର ୨୨ ମିନିଟରେ ଅପରେସନ ସିନ୍ଦୂର ସରିଥିଲା। ଧର୍ମ ପଚାରି ନିରୀହ ଲୋକଙ୍କୁ ମାରିଥିବାରୁ ଭାରତ ଶହେରୁ ଅଧିକ ଆତଙ୍କି ଠିକଣାକୁ ପାକିସ୍ତାନରେ ପଶି ଧ୍ୱସ୍ତ କରିଥିଲା।ସେପଟେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ପଚାରିଛନ୍ତି, ପହଲଗାଁଓକୁ କେମିତି ଆସିଲେ ଆତଙ୍କବାଦୀ। ବୈସାରନ ଘାଟିରେ ଖୁସି ମନାଇବାକୁ ହଜାର ହଜାର ପର୍ଯ୍ୟଟକ ଯାଇଥିଲା ବେଳେ ମାତ୍ର ୫ ଆତଙ୍କବାଦୀ କେମିତି ନରସଂହାର କଲେ। ଆତଙ୍କବାଦୀଙ୍କୁ ଖସି ପଳାଇବାରେ କିଏ ସାହାଯ୍ୟ କଲା। ଶହେ ଦିନ ବିତିଗଲା, ତା ସତ୍ତ୍ୱେ ସରକାର ଆତଙ୍କବାଦୀଙ୍କୁ ଧରିପାରିଲେନି। ପହଲଗାଁଓ ଆକ୍ରମଣ, ଅପରେସନ ସିନ୍ଦୂର ଓ ବିଦେଶ ନୀତିର ସତ ପଦାକୁ ଆସିବା ଦରକାର। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପହଲଗାଁଓ ଗଲେନି। ବରଂ ରାହୁଲ ଗାନ୍ଧୀ ଗଲେ। ବିଦେଶରୁ ଫେରି ବିହାର ନିର୍ବାଚନରେ ମୋଦି ମାତିଲେ। ଗୃହ ମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ଅଛି। ଜମ୍ମୁ କଶ୍ମୀର ଏଲଜିଙ୍କ ପଛରେ ଲୁଚିପାରିବେନି ଗୃହ ମନ୍ତ୍ରୀ ଶାହା। କାରଣ ଶାହା କିଛି ସପ୍ତାହ ତଳେ ସୁରକ୍ଷା ସମୀକ୍ଷା କରିଥିଲେ ବୋଲି କହିଛନ୍ତି ଗୋଗୋଇ। ସଂସଦରେ ମହାବିତର୍କ ଜାରି ବେଳେ ସେପଟେ ଅପରେସନ ମହାଦେବରେ ୩ ଆତଙ୍କବାଦୀଙ୍କୁ ସେନା ମାରିଛି। ଜମ୍ମୁକଶ୍ମୀରର ଲିଡଓ୍ୱାସରେ ଏହି ଏନକାଉଣ୍ଟର ହୋଇଛି। ତେବେ ମୃତ ଆତଙ୍କବାଦୀଙ୍କ ଭିତରୁ ୨ ଜଣ ପହଲଗାଁଓ ଆକ୍ରମଣକାରୀ ବୋଲି ଅନୁମାନ କରାଯାଉଥିଲା। ଡ୍ରୋନ ଫୁଟେଜରେ ଶବକୁ ଚିହ୍ନଟ ପ୍ରକ୍ରିୟା ହୋଇଥିଲା। ଶେଷରେ ସେନା ସ୍ପଷ୍ଟ କରିଛି ଯେ, ପହଲଗାଁଓ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସା ନିପାତ ହୋଇଛି। ମୁସାକୁ ଧରାଇଦେଲେ ୨୦ଲକ୍ଷ ଟଙ୍କାର ପୁରଷ୍କାର ଥିଲା।ମଙ୍ଗଳବାରଠୁ ରାଜ୍ୟସଭାରେ ଆଲୋଚନା ଆରମ୍ଭ ହେବ। ରାଜ୍ୟସଭାରେ ବି ୧୬ ଘଣ୍ଟା ଆଲୋଚନା ହେବ। ଏପ୍ରିଲ ୨୨ରେ ପହଲଗାଁଓ ଆତଙ୍କି ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ଜୀବନହାନୀ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *