ପୁଞ୍ଛରେ ରାହୁଲ ଗାନ୍ଧୀ। ପାକିସ୍ତାନର ଗୁଳିମାଡ଼ରେ ପୀଡ଼ିତ ପରିବାର ଓ ପିଲାଙ୍କୁ ଭେଟିଛନ୍ତି ରାହୁଲ। ଜମ୍ମୁ କଶ୍ମୀର ସୀମାର ପୁଞ୍ଛରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକିସ୍ତାନ ସୈନିକ ଗୁଳିମାଡ଼ କରିଥିଲେ। ଅପରେସନ ସିନ୍ଦୂର ପରେ ଛାନିଆ ପାକିସ୍ତାନ କ୍ରସ-ବର୍ଡର ସେଲିଂ କରିଥିଲା। ଗୁଳି, ମିସାଇଲ ଓ ଡ୍ରୋନ୍ ଆଟାକ କରିଥିଲା। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପାକିସ୍ତାନର ଗୁଳିମାଡ଼ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁଞ୍ଛ। ଶନିବାର ସକାଳେ ଜମ୍ମୁ ପହଞ୍ଚିଥିଲେ ରାହୁଲ। ସେଠାରୁ ଚୋପର ଯୋଗେ ସିଧା ପୁଞ୍ଛରେ ପହଞ୍ଚିଥିଲେ। ପୁଞ୍ଛରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ପୀଡ଼ିତ ପରିବାରକୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ସହ ମନୋବଳ ବଢ଼ାଇଛନ୍ତି ରାହୁଲ ଗାନ୍ଧୀ। ସବୁ ଜଲଦି ଠିକ୍ ହେବା ସହ ସ୍ୱାଭାବିକ ହେବ ବୋଲି କହିଛନ୍ତି ରାହୁଲ। ସ୍କୁଲ ପିଲାଙ୍କୁ ସ୍ନେହ ଦେବା ସହ ସେମାନେ ମନ ଲଗାଇ ପଢ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଲଭ ୟୁ କହି ହାତ ମିଳାଇଥିଲେ ପିଲାଙ୍କ ସହ। ବ୍ୟସ୍ତ ହୁଅନ୍ତୁନି। ସବୁ ଶୀଘ୍ର ସ୍ୱାଭାବିକ ହେବ କହି ପିଲାଙ୍କ ସହ ଭାବବିନିମୟ କରିଥିଲେ ରାହୁଲ। ଏହା ସହ ପୀଡ଼ିତ ପରିବାରର ଦୁଃଖ ଦୁର୍ଦ୍ଦଶା ଶୁଣିଛନ୍ତି ରାହୁଲ। ନିରାପଦ ଜାଗାକୁ ଯିବା ବେଳେ ଗୁଳିମାଡ଼ରେ ଅନେକ ପରିବାର ନିଜ ଲୋକଙ୍କୁ ହରାଇଦେଇଥିଲେ। ଏପ୍ରିଲ ୨୨ ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଜମ୍ମୁକଶ୍ମୀରକୁ ରାହୁଲଙ୍କ ଏହା ଥିଲା ଦ୍ୱିତୀୟ ଗସ୍ତ। ରାହୁଲ କହିଛନ୍ତି ଏହା ବଡ଼ ଟ୍ରାଜେଡି। ଜାତୀୟସ୍ତରରେ ୨ରୁ ୩ଟି ପ୍ରସଙ୍ଗକୁ ଉତଥାନ କରିବାକୁ ପୀଡିତ ପରିବାର କହିଛନ୍ତି। ଆଉ ଏହାକୁ ସେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ରାହୁଲ। ଗୀତା ଭବନ, କ୍ରିଷ୍ଟ ସ୍କୁଲ ପ୍ରମୁଖ ପରିଦର୍ଶନ କରିଛନ୍ତି ରାହୁଲ।ରାହୁଲଙ୍କ ପୁଞ୍ଛ ଗସ୍ତ ଆଗରୁ ଟିଏମସିର ୫ଜଣିଆ ପ୍ରତିନିଧି ଦଳ ବି ୩ ଦିନ ଯାଏଁ ପୁଞ୍ଚ-ରାଜୌରୀ ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ। ପୀଡ଼ିତ ପରିବାରକୁ ଭେଟି ଥିଲେ ଟିଏମସି ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ଡେରେକ ଓବ୍ରେନ, ସାଗରିକା ଘୋଷ, ମହମ୍ମଦ ନଦିମୁଲ ହକ୍, ପଶ୍ଚିମବଙ୍ଗ ମନ୍ତ୍ରୀ ମାନସ ଭୁନିଆ ଓ ପୂର୍ବତନ ସାଂସଦ ମମତା ଠାକୁର ଥିଲେ। ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ବି ଦୁଇ ସପ୍ତାହ ତଳେ ପୁଞ୍ଛ, ରାଜୌରୀ କୁ ସଡ଼କମାର୍ଗରେ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ପୀଡ଼ିତ ପରିବାର ସହ ଆହତଙ୍କୁ ଭେଟିଥିଲେ। ଯେଉଁମାନେ ଭୟରେ ଘର ଛାଡ଼ିଥିଲେ, ସେମାନଙ୍କୁ ତୁରନ୍ତ ଘରକୁ ଫେରିବାକୁ ଅପିଲ୍ କରିଥିଲେ। ପୁଞ୍ଛ ସହରରେ ୮୦ରୁ ୯୦ ପ୍ରତିଶତ ଘର ଖାଲି ହୋଇଯାଇଥିଲା। ଏଭଳି ସମୟରେ ବିଭିନ୍ନ ଦଳ ପୁଞ୍ଛ, ରାଜୌରୀ ଗସ୍ତ କରି ଲୋକଙ୍କ ମନୋବଳ ବଢ଼ାଉଥିବାରୁ ଓମାର୍ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁଞ୍ଛରେ ସର୍ବାଧିକ କ୍ଷତି ହୋଇଥିଲା। ସ୍ଥିତି ସ୍ୱାଭାବିକ ବି ହେଲାଣି। ସୀମାପାର୍ ଆତଙ୍କବାଦ ଲାଗି ସୀମାରେ ଥିବା ଏହି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ସରକାର ଏହାକୁ ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now