ପହଲଗାମରେ ଆତଙ୍କି ଆକ୍ରମଣ ପରେ ଭାରତ ନେଇଥିବା ୫ଟି ବଡ଼ ଆକ୍ସନର ୨୪ ଘଣ୍ଟା ଭିତରେ ପାକିସ୍ତାନ୍ ବି ଅନୁରୂପ ଆକ୍ସନ ନେବାକୁ ଘୋଷଣା କରିଛି। ପାକ୍ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ୍ ସରିଫଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ ନିରାପତ୍ତା କମିଟିରେ ଅନେକ ଘୋଷଣା ହୋଇଛି। ଭାରତର ପଦକ୍ଷେପକୁ ଅନ୍ୟାୟ, ରାଜନୈତିକ ପ୍ରରୋଚିତ ଓ ବ୍ଲେମ୍ ଗେମ୍ ବୋଲି କହିଛି ପାକିସ୍ତାନ। ତୁରନ୍ତ ଓ୍ୱାଘା ସୀମାକୁ ବନ୍ଦ କରିଛି ପାକିସ୍ତାନ୍। ଭାରତରୁ ଏ ବାଟରେ ସମସ୍ତ ରୁଟ୍ କୁ ବାତିଲ କରିଦିଆଯାଇଛି। ଯେଉଁମାନେ ଓ୍ୱାଘା ସୀମା ଦେଇ ପାକିସ୍ତାନ ପ୍ରବେଶ କରିଥିଲେ, ସେମାନେ ଏପ୍ରିଲ୍ ୩୦ ସୁଦ୍ଧା ଫେରିଯିବାକୁ କୁହାଯାଇଛି। କେବଳ ଶିଖ୍ ଶ୍ରଦ୍ଧାଳୁଙ୍କ ବ୍ୟତୀତ ଭାରତୀୟଙ୍କୁ ଜାରି ହୋଇଥିବା ସମସ୍ତ ଭିସାକୁ ତତ୍କାଳ ରଦ୍ଦ କରାଯାଇଛି। ସାର୍କ ସ୍କିମରେ ଯେଉଁ ଭାରତୀୟ ନାଗରିକ ପାକିସ୍ତାନରେ ଅଛନ୍ତି, ୪୮ ଘଣ୍ଟା ଭିତରେ ପାକିସ୍ତାନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ପାକିସ୍ତାନ ଏୟାରସ୍ପେଶ୍ ବନ୍ଦ କରିଦିଆଯାଇଛି। ଭାରତୀୟଙ୍କ ମାଲିକାନାରେ ବା ଭାରତୀୟଙ୍କ ଦ୍ୱାରା ପରିଚାଳିତ ଏୟାରଲାଇନକୁ ପାକିସ୍ତାନରେ ପ୍ରବେଶରେ ରୋକ୍ ଲଗାଇ ଦିଆଯାଇଛି। ସମସ୍ତ ବାଣିଜ୍ୟିକ କାରବାରକୁ ନିଲମ୍ୱିତ କରିଦିଆଯାଇଛି। ଇସଲାମାବାଦରେ ଥିବା ଭାରତୀୟ ପ୍ରତିରକ୍ଷା, ନୌସେନା ଓ ଆକାଶମାର୍ଗର ଉପଦେଷ୍ଟାଙ୍କୁ ଏପ୍ରିଲ ୩୦ ସୁଦ୍ଧା ଦେଶ ଛାଡିବାକୁ କୁହାଯାଇଛି। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସରେ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ କରିବାକୁ କୁହାଯାଇଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଏହାକୁ ହ୍ରାସ କରାଯିବ। ୨୫୦ ମିଲିୟମ ଲୋକଙ୍କ ଜୀବନରେଖା ପାଣିକୁ ଭାରତ ଅଟକାଇଲେ ଆକ୍ଚ ଅଫ ଓ୍ୱାରରେ ପାକିସ୍ତାନ କଡ଼ା ପଦକ୍ଷେପ ନେବ। ଅର୍ଥାତ୍ ପାଣି ପାଇଁ ଯୁଦ୍ଧ କରିବାକୁ ପାକିସ୍ତାନ ପଛାଇବନି ବୋଲି ଧମକ ଦେଇଛି। ବଡ଼ କଥା ହେଲା, ଶିମଲା ବୁଝାମଣାର ଚୁକ୍ତିକୁ ରଦ୍ଦ କରିଛି ପାକିସ୍ତାନ। ଏହି ବୁଝାମଣା ୧୯୭୧ ଯୁଦ୍ଧ ପରେ ଉଭୟ ରାଷ୍ଟ୍ର ଭିତରେ ଉତ୍ତେଜନା ହ୍ରାସ କରିବା, ଶାନ୍ତିପୂର୍ଣ୍ଣ ବାଚାବରଣ ସୃଷ୍ଟି ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜୁଲିଫିକର ଭୁଟ୍ଟୋଙ୍କ ଭିତରେ ହୋଇଥିଲା। ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯୁଦ୍ଧ ପରେ ଉତ୍ପନ୍ନ ମୁଦ୍ଦା, ପଣବନ୍ଦୀଙ୍କୁ ମୁକ୍ତ, କବଜା ହୋଇଥିବା କ୍ଷେତ୍ରର ଆଦାନପ୍ରଦାନ ଓ କଶ୍ମୀର ବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା। ଏଲଓସିକୁ ଦୁଇ ଦେଶ ସମ୍ମାନ କରିବେ ବୋଲି ଚୁକ୍ତିନାମା ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now