ମଣିପୁରରୁ ଉଠିଲା ରାଷ୍ଟ୍ରପତି ଶାସନ। ଫେବୃଆରୀ ୧୩, ୨୦୨୫ରୁ ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରାଯାଇଛି। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ଶାସନ ହଟିବା ସହ ମଣିପୁରରେ ନୂଆ ସରକାର ଗଠନର ପଥ ପରିଷ୍କାର ହୋଇଛି। କେନ୍ଦ୍ର ସରକାର ସମ୍ୱିଧାନର ଅନୁଛେଦ ୩୫୬ ଆଧାରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ୟୁମନାମ ଖେମଚାନ୍ଦ ସିଂଙ୍କୁ ଏନଡିଏ ବିଧାୟକ ଦଳର ନେତା ସହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଖେମଚାନ୍ଦ ହେଉଛନ୍ତି ମୈତେୟୀ ସମୁଦାୟର। ସେପଟେ କୁକି ସମୁଦାୟର ବରିଷ୍ଠ ନେତା ନେମଚା କିପଗେନଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ଉଭୟ ସମାଜରୁ ନେତୃତ୍ୱ ଦେଇ ଉଭୟ ବର୍ଗ ଭିତରେ ଥିବା ତିକ୍ତତାକୁ ଦୂର କରିବା ଓ ସାମାଜିକ ସଦ୍ଭାବନାକୁ ପୁନର୍ବାହାଲ କରିବାକୁ ଚେଷ୍ଟା ହୋଇଛି। ଖେମଚାନ୍ଦ କହିଛନ୍ତି, ମଣିପୁରରେ ବିବିଧତାକୁ ସମ୍ମାନ କରିବା ଓ ସମସ୍ତ ସମୁଦାୟ ଭିତରେ ସହାନୁଭୂତି, କରୁଣା ଭାବକୁ ଜାଗ୍ରତ କରିବା ତାଙ୍କର ହେବ ପ୍ରାଥମିକତା। ବିକଶିତ ମଣିପୁରର ଭିଜନ ସହ ଶାନ୍ତି ଓ ସମାବେଶୀ ବିକାଶର ପ୍ରତିଶୃତି ଦେଇଛନ୍ତି ଖେମଚାନ୍ଦ। ମଣିପୁର ରାଜନୀତି ଓ ବିଜେପିକୁ ଦେଖିଲେ, ବୀରେନ ସିଂଙ୍କ ପୁରୁଣା ପ୍ରତିଦ୍ୱନ୍ଦୀ ଭାବେ ଖେମଚାନ୍ଦ ଜଣାଶୁଣା। ୨୦୧୭ରୁ ୨୦୨୨ ଯାଏ ମଣିପୁର ବିଧାନସଭାର ବାଚସ୍ପତି ଥିଲେ ଖେମଚାନ୍ଦ। ୨୦୨୨ରେ ଏନ.ବୀରେନ୍ ସିଂଙ୍କ କ୍ୟାବିନେଟରେ ତାଙ୍କୁ ସାମିଲ କରାଯାଇଥିଲା। ତାଙ୍କୁ ନଗର ଉନ୍ନୟନ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଥିଲା। ସେ ଇମ୍ଫାଲ୍ ପଶ୍ଚିମର ସିଙ୍ଗଜାମେଇ ବିଧାନସଭାରୁ ବିଧାୟକ ଅଛନ୍ତି। ସେ ଲଗାତାର ୨ଥର ଏଠାରୁ ଜିତିଲେଣି। ରାଜନୀତି ବ୍ୟତୀତ ସେ ମାର୍ସାଲ ଆର୍ଟରେ ବ୍ଲାକବେଲ୍ଟ ଧାରୀ। ୨୦୨୫ ଶେଷ ଆଡ଼କୁ ସେ ଟ୍ରାଡିସନାଲ ଟାଏକୋଣ୍ଡୋରେ ବ୍ଲାକବେଲ୍ଟ ପାଇ ପ୍ରଥମ ଭାରତୀୟ ଭାବେ ଗୌରବ ହାସଲ କରିଛନ୍ତି।ସେପଟେ ୨୦୧୨ରୁ କାଙ୍ଗପୋକପି କ୍ଷେତ୍ରର ପ୍ରତିନିଧିତ୍ୱ କରିଆସୁଥିବା ନେମଚା କିପଗେନ୍ ମଣିପୁର ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା। ସେ ଗଲା ବୀରେନ ସିଂ ସରକାରରେ ସମାଜ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିଲେ। ଏବେ ବାଣିଜ୍ୟ ଓ ଉଦ୍ୟୋଗ ଭଳି ମହତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ନିର୍ଦଳୀୟ ବିଧାୟକ ନିଶିକାନ୍ତ ସିଂଙ୍କ ସମେତ ଅନେକ ନେତା ଆଶାବାଦୀ ଯେ, ଜଣେ କୁକି ମହିଳାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାରୁ ଏହା ରାଜ୍ୟର ସମୃଦ୍ଧିରେ ସହାୟକ ସାଜିବ। ନୂଆ ଦିଲ୍ଲୀରେ ହୋଇଥିବା ବୈଠକରେ ୩୭ରୁ ୩୫ ବିଧାୟକଙ୍କ ସହ ଏନପିପି, ଏନପିଏଫ ଓ ସ୍ୱାଧୀନ ବିଧାୟକ ବି ଖେମଚାନ୍ଦ କିପଗେନଙ୍କ ନାଁରେ ମୋହର ମାରିସାରିଛନ୍ତି। ବୀରେନ ସିଂ ମୁଖ୍ୟମନ୍ତ୍ରୀ ଥିଲା ବେଳେ କୁକି ଓ ମୈତେୟୀ ସମ୍ପ୍ରଦାୟ ଭିତରେ ଜାତିଆଣ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୨୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୬୦ହଜାରରୁ ଉର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇଥିଲେ। ମେ ୩, ୨୦୨୩ରେ ଜାତି ହିଂସାର ନିଆଁ ଲାଗିଥିଲା। ବିଜେପିର ସହଯୋଗୀ ବୀରେନଙ୍କୁ ବିରୋଧ କରିଥିଲେ। ଏହା ପରେ ବୀରେନ୍ଦ୍ରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଆଉ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ୨୦୨୭ ଯାଏ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now