ରାଜଧାନୀରେ ବେଆଇନ ଆପାର୍ଟମେଣ୍ଟ , ରେରା ଲଗାଇଲା କଡ଼ା ଜରିମାନା

ବେଆଇନ ଆପାର୍ଟମେଣ୍ଟ ଉପରେ ରେରା ଲଗାଇଲେ କଡ଼ା ଜରିମାନା। ପ୍ରାୟ ୭ କୋଟି ଟଙ୍କାର ଜରିମାନା ଦଣ୍ଡ ଦେଇଛନ୍ତି ୫୨ ଅନଧିକୃତ ପ୍ରକଳ୍ପକୁ। କିନ୍ତୁ ବିଡ଼ମ୍ୱନା ଜରିମାନା ଆଦାୟ ହୋଇଛି ମାତ୍ର ୨୩ଲକ୍ଷ। ଏ ସବୁ ପ୍ରକଳ୍ପରେ ନା ରେରା ପଞ୍ଜୀକରଣ ଥିଲା ନା କୌଣସି ଆନୁସଙ୍ଗିକ ଅନୁମତି। ନଜର ପକାନ୍ତୁ ଏ ତାଲିକା ଉପରେ।

ରାଜଧାନୀରେ ବେଆଇନ ଆପାର୍ଟମେଣ୍ଟ। ଆପାର୍ଟମେଣ୍ଟ ଓ ଡୁପ୍ଲେକ୍ସ ନାଁରେ ଲୋକଙ୍କୁ ବିକୁଛନ୍ତି ଓ ବୁକିଂ ବି ନେଉଛନ୍ତି ବିଲଡର। କିନ୍ତୁ ଯାହାକୁ ଦର୍ଶାଇ ବୁକିଂ ନେଉଛନ୍ତି ବା ବିକ୍ରି କରି ଚାଲିଛନ୍ତି, ସେ ପ୍ରକଳ୍ପର ନା ଅଛି ରେରା ପଞ୍ଜୀକରଣ ନା ଆନୁସଙ୍ଗିକ କର୍ତ୍ତୃପକ୍ଷଙ୍କ ଅନୁମତି। ନା ଅଛି ଲେ-ଆଉଟ୍ ଆପ୍ରୁଭାଲ। ମନ ଇଛା ପ୍ଲଟିଂ କରି ସେଠାରେ ଆପାର୍ଟମେଣ୍ଟ ଓ ଡୁପ୍ଲେକ୍ସ ନାଁରେ ଲୋକଙ୍କୁ ଚୂନ ଲଗାଉଛନ୍ତି। ଏଭଳି ପ୍ରାୟ ୬୦ ପ୍ରୋଜେକ୍ଟ ଥିଲା ରେରାର ସ୍କାନରରେ। ଆଉ ଶେଷରେ ରେରା କର୍ତ୍ତୃପକ୍ଷ ଏହା ଉପରେ କଡ଼ା ଜରିମାନା ଦଣ୍ଡ ଲଗାଇଛନ୍ତି। ୫୦ହଜାର ଟଙ୍କାରୁ ନେଇ ୧୦ଲକ୍ଷ ଟଙ୍କା ଯାଏ ବିଭିନ୍ନ ପ୍ରକଳ୍ପକୁ ଲାଗିଛି ଫାଇନ୍। ରେରା ଓ୍ୱେବସାଇଟରେ ବି ସର୍ବସାଧାରଣଙ୍କ ଅବଗତି ଲାଗି ଏହାକୁ ଉପଲବ୍ଧ କରାଯାଇଛି। ଖିଲାଫି ପ୍ରମୋଟରଙ୍କ ତାଲିକା ସହ କେତେ ଟଙ୍କାର ଜରିମାନା ଲଗାଯାଇଛି, ସେ ତାଲିକା ପ୍ରକାଶ କରାଯାଇଛି। ଅନଧିକୃତ ୫୨ ପ୍ରୋଜେକ୍ଟ ଉପରେ ମୋଟ୍‌ ୬କୋଟି୮୯ଲକ୍ଷ ୯୭ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ରେରା। କିନ୍ତୁ ବିଡ଼ମ୍ୱନା ଜରିମାନା ବାବାଦକୁ ମାତ୍ର ଆଦାୟ ହୋଇଛି ୨୩ଲକ୍ଷ। ଆହୁରି ବାକି ଅଛି ୬କୋଟି ୬୬ଲକ୍ଷ ୭୦ହଜାର।

ତାଲିକାକୁ ଦେଖିଲେ ସର୍ବାଧିକ ଜରିମାନା ହୋଇଛି ରଘୁପତି ଇଷ୍ଟେଟ୍ ଆଣ୍ଡ ହୋଲଡିଂକୁ। ଅମନା, ଅନନ୍ତପୁରରେ ପ୍ଲଟିଂ ପ୍ରୋଜେକ୍ଟ ସହ ପ୍ରିଷ୍ଟାଇନ୍ ପ୍ରିମିୟମ ନାଁରେ ପ୍ରୋଜେକ୍ଟକୁ ହୋଇଛି ୪୫ଲକ୍ଷ ଟଙ୍କାର ଜରିମାନା।  ତା ପଛକୁ ରହିଛି ବାଲିଅନ୍ତା, କୁରୁଣ୍ଟି ଓ ତ୍ରିନପଡ଼ାରେ ଥିବା ଟ୍ୱିନ୍ ସିଟି ମାନସନ ପ୍ରୋଜେକ୍ଟ। ଏହାର ତିନୋଟି ପ୍ରୋଜେକ୍ଟକୁ ଲାଗିଛି ୪୨ଲକ୍ଷ ଟଙ୍କାର ଫାଇନ୍। ଏହା ସହ ରାମଚନ୍ଦ୍ରପୁର, କୋକୋଇ ଓ ବଡ଼ଝରିଲୋରେ ଏହି ପ୍ରମୋଟରଙ୍କୁ ବେଆଇନ ପ୍ଲଟିଂ ପ୍ରୋଜେକ୍ଟ ଲାଗି ୨୨ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଦିଆଯାଇଛି। ଶ୍ରୀବିହାରରେ ଥିବା ଶ୍ରୀ ଗଣେଶ ଡେଭେଲପରକୁ ୨୪ଲକ୍ଷ ଟଙ୍କା ଫାଇନ୍ ହୋଇଛି। କିନ୍ତୁ ରିଅଲ ଇଷ୍ଟେଟ୍ ଟ୍ରିବ୍ୟୁନାଲକୁ ଶ୍ରୀଗଣେଶ ଡେଭେଲପର ଅପିଲରେ ଯାଇଥିବାରୁ ଏହା ବିଚାରାଧୀନ ଅଛି। ପଦାସାହିରେ ଥିବା ମନୋଜ ସାମଲଙ୍କ ପ୍ଲଟିଂ ପ୍ରୋଜେକ୍ଟ ୫ଲକ୍ଷ, ଶ୍ରୀକ୍ଷେତ୍ର ବିହାରର ଫେଜ୍-୪ରେ ଥିବା ସିସାନ୍ଦ ପ୍ରୋପର୍ଟିଜ ୧୦ଲକ୍ଷ, ଖୋଟପେଟାରେ ଥିବା ଏନ.ଭେଙ୍କଟ ରମଣଙ୍କ ପ୍ଲଟିଂ ପ୍ରୋଜେକ୍ଟ ୮ ଲକ୍ଷ ଟଙ୍କା ଫାଇନ୍ ଗଣିସାରିଲେଣି।

ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବି କହିଥିଲେ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଗଲା ଅଧିବେଶନରେ ଲିଖିତରେ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ କି, ବିଡିଏ ଏରିଆ ଭିତରେ ଥିବା ୧୯୧ ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର। ମୋଟ୍ ୪୯୧ କେସ୍ ପଞ୍ଜୀକୃତ ହୋଇଥିଲା। ଏଥିରୁ ୬୩ଟି ଡ୍ରପ୍ ହୋଇଥିଲା ବେଳେ ୨୩୭ ମାମଲା ବିଚାରାଧୀନ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *