ସ୍କୁଲ ଛାତ ଭୁଷୁଡ଼ି ୭ ଛାତ୍ରଛାତ୍ରୀ ମୃତ- ଦାୟୀ କିଏ?

ସ୍କୁଲ ଛାତ ଭୁଷୁଡ଼ିବାରୁ ୭ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନର ଝଲାଓ୍ୱାରର ପିପିଲୋଡ଼ି ସରକାରୀ ପ୍ରାଇମେରୀ ସ୍କୁଲରେ ଘଟିଛି ଏଭଳି ଦୁଃଖଦ ଘଟଣା। ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା। ଭଗ୍ନାବଶେଷ ତଳେ ଅନେକ ଛାତ୍ରଛାତ୍ରୀ ଚାପି ହୋଇଯାଇଥିଲେ। ଆହତଙ୍କ ଭିତରୁ ୧୧ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିଲା। ଛାତ ଭୁଷୁଡ଼ିବା ବେଳେ ସପ୍ତମ ଶ୍ରେଣୀରେ ୩୫ ପିଲା ଥିଲେ। ମୋଟ୍ ୭ଟି ଶ୍ରେଣୀଗୃହରୁ ଦୁଇଟି ଶ୍ରେଣୀଗୃହରେ ମୋଟ୍ ୭୧ ପିଲା କ୍ଲାସ୍ କରୁଥିଲେ। କିନ୍ତୁ ଦୁଇ ଶିକ୍ଷକ ସ୍କୁଲ ବିଲଡିଂ ବାହାରେ ଥିଲେ। ସେଥିଲାଗି ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଗଲେ। ମୃତକଙ୍କ ବୟସ ୬ରୁ ୧୮ ବର୍ଷ ଭିତରେ। ପିଲାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ସହାୟତା ଦେବାକୁ କଥା ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଗଭୀର ଶୋକବ୍ୟକ୍ତ ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ଜେସିବିରେ ଭଗ୍ନାବଶେଷକୁ ହଟାଯାଇଥିଲା। କାଳେ କୌଣସି ପିଲା ତା ଭିତରେ ଫସିନାହାନ୍ତି ତ। ଏହା ପରେ ପୁରା ସ୍କୁଲ ବିଲଡିଂକୁ ଭାଙ୍ଗି ଦିଆଯାଇଥିଲା। କାନ୍ଦ ବୋବାଳିରେ କମ୍ପୁଥିଲା ସ୍କୁଲ ପରିବେଶ। ହସ୍ପିଟାଲକୁ ନେବାବେଳର ଦୃଶ୍ୟ ଆଉ ଅଭିଭାବକଙ୍କ ବୁକୁଫଟା କାନ୍ଦର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। କିଛି ଛାତ୍ରଛାତ୍ରୀ କହିଛନ୍ତି, ଆଗ ଛାତରୁ କଂକ୍ରିଟ ଖସିବାକୁ ଲାଗିଥିଲା। କିନ୍ତ ଶିକ୍ଷକ ଏହାକୁ ନଜରଅନ୍ଦାଜ କରିଦେଇଥିଲେ। ଏଭଳି ଘଟଣାକୁ ନେଇ ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବ୍ୟବସ୍ଥାର ଅବହେଳାରୁ ନିରୀହ ପିଲାଙ୍କ ଜୀବନ ଚାଲିଗଲା। ପଢ଼ାଇବାକୁ ସ୍କୁଲ ଛାଡ଼ିଥିଲେ ଅଭିଭାବକ। କିନ୍ତୁ ସରକାରୀ କଳ କେବେ ବି ନିଜ ଆଡ଼ୁ ସଂଜ୍ଞାନ ନେଇନଥିଲା ଯେ, ସ୍କୁଲ ବିଲଡ଼ିଂ ପିଲାଙ୍କ ଲାଗି କେତେ ବିପଦସଙ୍କୁଳ। ଏହା ଅଘଟଣ ନୁହେଁ, ବରଂ ପ୍ରାୟୋଜିତ ହତ୍ୟା। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମଦନ ରାଠୋର କହିଛନ୍ତି, ଦୋଷୀ ଦଣ୍ଡ ପାଇବେ। ଏଥିରେ ରାଜନୀତି କରିବା ଲଜ୍ଜାଜନକ। ଜିଲ୍ଲାପାଳ କହିଛନ୍ତି, ଶିକ୍ଷା ବିଭାଗ ପୂର୍ବରୁ ନିର୍ଦେଶ ଦେଇଥିଲା କୌଣସି ଶ୍ରେଣୀଗୃହ ବିପଦସଙ୍କୁଳ ଥିଲେ, ସ୍କୁଲକୁ ଛୁଟି କରିଦିଆଯିବ। କିନ୍ତୁ ଏ ସ୍କୁଲରେ ଉଭୟକୁ ଅଣଦେଖା କରାଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଗାଁର ମୁଖ୍ୟ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳକୁ ଯିବାବେଳେ କଂଗ୍ରେସ ନେତା ନରେଶ ମିଣାଙ୍କୁ ପୁଲିସ ଛାଡ଼ିନଥିଲା। ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, ସ୍କୁଲ ଛାତରୁ ପାଣି ଗଳୁଥିଲା। ସେଥିଲାଗି ଏହା ବିପଦସଙ୍କୁଳ ଅବସ୍ଥାରେ ହିଁ ଥିଲା। ଆଉ ପ୍ରବଳ ବର୍ଷା କାରଣରୁ ସନ୍ତସନ୍ତିଆ କାନ୍ଥ ବି ଦୁର୍ବଳ ହୋଇପଡ଼ିଥିଲା। ଫଳରେ ଛାତ ଗଳିପଡ଼ିବା ସହ କାନ୍ଥ ବି ଭୁଷୁଡ଼ି ପଡ଼ିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *