ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କ ପରଲୋକ। ୯୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଲମ୍ୱା ସମୟ ଧରି ସେ ବେମାର ଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ ଲାଟୁରରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଲାଟୁର ଲୋକସଭା ଆସନରୁ ସେ ୭ଥର ଜିତିଥିଲେ। ନିଜର ୪ ଦଶନ୍ଧିର ଲମ୍ୱା ରାଜନୈତିକ କ୍ୟାରିଅରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ। ଲୋକସଭାର ଦଶମ ବାଚସ୍ପତି ଥିଲେ ପାଟିଲ୍। ରାଜ୍ୟପାଳ ଭାବେ ବି ଦାୟିତ୍ୱ ନିର୍ବାହ କରିଛନ୍ତି। ରାଷ୍ଟ୍ରୀୟ ରାଜନୀତିକୁ ଆସିବା ଆଗରୁ ସେ ୧୯୭୨ରୁ ୧୯୮୦ ଯାଏ ଦୁଇଥର ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ଥିଲେ। ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ଓ ବାଚସ୍ପତି ଭଳି ପ୍ରମୁଖ ପଦରେ ବସିଥିଲେ। ୨୦୧୦ରୁ ୨୦୧୫ ପଞ୍ଜାବର ରାଜ୍ୟପାଳ ଓ ଚଣ୍ଡିଗଡ଼ର ପ୍ରଶାସକ ଥିଲେ। ତାଙ୍କର ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ଶିବରାଜ ପାଟିଲ ୧୯୬୦ରେ ରାଜନୀତିରେ ପାଦ ଥାପିଥିଲେ। ୧୯୮୦ରୁ ୨୦୦୪ ଯାଏଁ ସେ ୭ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୧୯୯୬ ଯାଏ ଲୋକସଭାର ବାଚସ୍ପତି ଥିଲେ। ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳରେ ସେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୦୪ରୁ ୨୦୦୮ ଉପା ସରକାର ଅମଳରେ ଦେଶର ଗୃହମନ୍ତ୍ରୀ ଥିଲେ। ୨୦୦୭ରେ ରାଷ୍ଟ୍ରପତି ରେସରେ ତାଙ୍କ ନାଁ ଥିଲା। କିନ୍ତୁ ପ୍ରତିଭା ପାଟିଲଙ୍କୁ ଚୟନ କରାଯାଇଥିଲା। ୨୬/୧୧ ମୁମ୍ୱାଇ ଆତଙ୍କି ଆକ୍ରମଣ ପରେ ସେ ନୈତିକତା ଦୃଷ୍ଟିରୁ ନଭେମ୍ୱର ୩୦, ୨୦୦୮ରେ ଦେଶର ସୁରକ୍ଷାର ହୋଇଥିବା ତୃଟିରୁ ଇସ୍ତଫା ଦେଇଥିଲେ। ଏହି ଆକ୍ରମଣ ବେଳେ ବାରମ୍ୱାର ପୋଷାକ ପରିବର୍ତ୍ତନ ନେଇ ସେ ଟିଭି ପରଦା ଆଗକୁ ଆସି ବିବାଦୀୟ ହୋଇପଡ଼ିଥିଲେ। ଏହି କାରଣରୁ ପାଟିଲଙ୍କ ଛବି ମଳିନ ପଡ଼ିଥିଲା। ଦେଶ ସଙ୍କଟ ବଳେ ଏଭଳି ପୋଷାକ ପରିଧାନରୁ ଲୋକେ ତାଙ୍କୁ ସିରିଏଲ ଡ୍ରେସର କହିବାକୁ ଲାଗିଲେ। ସେତେବେଳେ ଲୋକସଭା ନିର୍ବାଚନ ହାରିଯାଇଥିଲେ ସୁଦ୍ଧା ସୋନିଆ ଗାନ୍ଧୀଙ୍କ ପାଖ ଲୋକ ଥିବାରୁ ତାଙ୍କୁ ଏଭଳି ମହତ୍ତ୍ୱପୂର୍ଣ୍ଣ ପଦ ମିଳିଥିଲା। ରାଜନୀତିରେ ସକ୍ରିୟ ଥିବା ବେଳେ ପାଟିଲଙ୍କ ଅନେକ ବିବାଦୀୟ ବୟାନ ଦଳକୁ ଅଡ଼ୁଆରେ ପକାଇଥିଲା। ୨୦୨୨ରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଗବତ ଗୀତାକୁ ଜିହାଦ୍ ସହ ତୁଳନା କରିଥିଲେ। ଜିହାଦ କେବଳ କୁରାନରେ ନୁହେଁ। ବରଂ ଗୀତା ଓ ବାଇବେଲର ଶିକ୍ଷାରେ ବି ଅଛି। ମହାଭାରତରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଜିହାଦର ସନ୍ଦେଶ ଦେଇଥିଲେ। ଏହି ବୟାନରୁ କଂଗ୍ରେସ ହିନ୍ଦୁ ବିରୋଧୀ ବୋଲି ବିବାଦ ଉଠିଥିଲା। ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଚାକୁର ଗାଁରେ ଅକ୍ଟୋବର ୧୨, ୧୯୩୫ରେ ଜନ୍ମଗ୍ରହଣ କରିଥିଲେ। ଅତ୍ୟନ୍ତ ସରଳ ସ୍ୱଭାବର ଥିଲେ ପାଟିଲ୍। ଶିବରାଜଙ୍କ ପରଲୋକରେ ସଂସଦରେ ଶୋକବ୍ୟକ୍ତ କରାଯାଇଛି। ରାଷ୍ଟ୍ରସେବାରେ ଶିବରାଜଙ୍କ ଯୋଗଦାନକୁ ସ୍ମରଣ କରାଯାଇଛି। କଂଗ୍ରେସ ୨ ମିନିଟ ନୀରବ ପ୍ରାର୍ଥନା କରି ଶୋକବ୍ୟକ୍ତ କରିଛି। ଶିବରାଜଙ୍କ ଅକାଳ ବିୟୋଗ ରାଜନୈତିକ ମହଲରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ମହାରାଷ୍ଟ୍ର ଓ ରାଷ୍ଟ୍ରୀୟ ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ପାଟିଲ୍। ପାଟିଲଙ୍କ ପରିବାର ରାଜନୀତି ସହ ଜଡ଼ିତ। ତାଙ୍କ ପତ୍ନୀ ବିଜୟା ପାଟିଲ ବିଧାୟକ ଥିଲେ। ଶିବରାଜଙ୍କ ଶେଷକୃତ୍ୟ ଅପରାହ୍ନରେ ଲାଟୁରରେ ସମ୍ପନ୍ନ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now