SIR- ସଂସଦରୁ ସୁପ୍ରିମକୋର୍ଟ ଯାଏଁ ଲଢ଼େଇ

ଏସଆଇଆରକୁ ନେଇ ଥମୁନି ହଙ୍ଗାମା କି କମୁନି ବିବାଦ। ବିହାରରେ ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ନାଁରେ ଦଳିତ, ପଛୁଆ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଭୋଟକୁ କଟାଯାଉଛି। ପ୍ରବାସୀ ଶ୍ରମିକଙ୍କ ହକ୍ ଛଡ଼ାଯାଉଛି। ଭୋଟ ଚୋରୀକୁ ବରଦାସ୍ତ କରାଯିବନି। ଏହା ଉପରେ ସଂସଦରେ ଆଲୋଚନା ଲାଗି ଯେତେ କହିଲେ ବି ସରକାର ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ସଂସଦ ପରିସରରେ ମାର୍ଚ୍ଚ କରିଛନ୍ତି ବିରୋଧୀ ଦଳ। ସରକାର ନ ଶୁଣିଲେ, ସରକାର ସମ୍ୱିଧାନ ଓ ଲୋକତନ୍ତ୍ରରେ ବିଶ୍ୱାସ କରନ୍ତିନି ବୋଲି ଧରାଯିବ ବୋଲି କହିଛନ୍ତି ବିରୋଧୀ। ନିର୍ବାଚନ କମିଶନ ଏକପାଖିଆ ସାଧାରଣ ଲୋକଙ୍କ ଭୋଟ ଅଧିକାରକୁ ଛଡ଼ାଇପାରିବେନି। ସରକାର ସୁପ୍ରିମକୋର୍ଟ କଥା ବି ଶୁଣୁନାହାନ୍ତି। ସଂସଦରେ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି। ଆସନ୍ତା ୧୧ରେ ଇଣ୍ଡିଆ ମେଣ୍ଟର ସମସ୍ତ ସାଂସଦ ନିର୍ବାଚନ କମିଶନଙ୍କ ଅଫିସ ଘେରାଓ କରିବେ। ନିର୍ବାଚନ କମିଶନଙ୍କଠୁ ସ୍ପଷ୍ଟ ଉତ୍ତର ଦରକାର। ସଂସଦ ଅଧିବେଶନର ଅଧା ଦିନ ବେକାରରେ ଚାଲିଗଲାଣି। ଗୃହ ଚଳାଇବାକୁ ବିରୋଧୀ ପୂରା ସହଯୋଗ କରୁଥିବା ବେଳେ ସରକାର ଜାଣିଶୁଣି ଚଳାଇ ଦେଉନାହାନ୍ତି। ଲୋକତନ୍ତ୍ର ଲଢ଼େଇରେ ରାଜନୈତିକ ଦଳ, ସାମ୍ୱାଦିକ ଓ ସାଧାରଣ ନାଗରିକ ଆଗେଇ ଆସନ୍ତୁ ବୋଲି ଅପିଲ୍ କରିଛନ୍ତି ବିରୋଧୀ ଦଳ। ମିଳିତ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଥିଲେ ଖଡ଼ଗେ, କେସି ବେନୁଗୋପାଳ, ସନ୍ଦୀପ ପାଠକ ଓ ଜାଭେଦ ଅଲ୍ଲୀ ପ୍ରମୁଖ। ସେପଟେ ନିର୍ବାଚନ କମିଶନ କହିଛନ୍ତି, କୌଣସି ରାଜନୈତିକ ଦଳରୁ ଗୋଟିଏ ବି ଦାବି କି ଆପତ୍ତି ଆଜିଯାଏ କମିଶନଙ୍କ ପାଖରେ ଦାଖଲ ହୋଇନି। ଏହା ସହ ସ୍ପଷ୍ଟ କରିଛନ୍ତି, ଅଗଷ୍ଟ ପହିଲାରେ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ କୌଣସି ନାମ ବାଦ୍ ପଡ଼ିନି। ଅଗଷ୍ଟ ୧୨ରେ ନିର୍ବାଚନ କମିଶନଙ୍କ ଏସଆଇଆର ବିରୁଦ୍ଧରେ ଆଗତ ପିଟିସନର ଶୁଣାଣୀ କରିବେ ସୁପ୍ରିମକୋର୍ଟ। ବିହାର ଭୋଟର ତାଲିକାରୁ ୬୫ଲକ୍ଷ ନାଁ ଡିଲିଟ୍ ହୋଇଥିବାର ଆରୋପ ରହିଛି। ଯେଉଁମାନଙ୍କ ନାଁ ହଟାଇଦିଆଯାଇଛି, ସେମାନଙ୍କ ବିସ୍ତୃତ ବିବରଣୀ ଦେବାକୁ ଏଡିଆର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଟିଏମସି ବି ଏଭଳି ଅଭିଯାନକୁ ସମର୍ଥନ କରିଛି। ଗ କୁକୁର, ଟ୍ରାକ୍ଟର ପରେ ଏବେ ଟ୍ରମ୍ପଙ୍କ ନାଁରେ ବି ଭୋଟର ତାଲିକା ଲାଗି ଆବେଦନ ହୋଇଛି। ଟ୍ରମ୍ପଙ୍କ ନାଁରେ ବି ଆବାସିକ ପ୍ରମାଣପତ୍ର ଜାରି ହୋଇଛି।  ଯେବେକି ଲକ୍ଷ ଲକ୍ଷ ଯୋଗ୍ୟ ଭୋଟର ବାଦ୍ ପଡ଼ୁଛନ୍ତି। ଏସଆଇଆର ବାସ୍ତବରେ କୁଆଡ଼କୁ ଯାଉଛି। ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। କିନ୍ତୁ ଗୃହର ବିଧିବ୍ୟବସ୍ଥା ଅନୁସାରେ ଏହା ହେବା କଥା। ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗ ବିଚାରାଧୀନ ରହିଛି। ନିର୍ବାଚନ କମିଶନ ବି ସ୍ୱୟଂଶାସିତ ସାମ୍ୱିଧାନିକ ସଂସ୍ଥା। ନିର୍ବାଚନ କମିଶନଙ୍କ କାମ ବାବଦରେ ବି ଗୃହରେ ଆଲୋଚନା ହୋଇପାରିବନି। ବିରୋଧୀ କଅଣ ନିୟମ ଭାଙ୍ଗିବାକୁ ଚାହୁଁଛନ୍ତି କି ବୋଲି ପଚାରିଛନ୍ତି ରିଜୁ। ଏସଆଇଆରକୁ ନେଇ ଅଧିବେଶନ ଆରମ୍ଭରୁ ହିଁ ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ। ସଡ଼କରୁ ନେଇ ସଂସଦ ଯାଏ ଏ ଲଢ଼େଇ ଜାରି ରଖିଛନ୍ତି। ଆଗକୁ ଏ ଘଟଣା କି ମୋଡ଼ ନେଉଛି, ତାକୁ ସମସ୍ତଙ୍କ ଅପେକ୍ଷା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *