ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟର ତାଲିକାର ରିଭିଜନକୁ ବିରୋଧ କରି ଆଗତ ପିଟିସନର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଓ ଜୟମାଳା ବାଗଚିଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହୋଇଛି। ଇଲେକ୍ଟୋରାଲ ରିଭିଜନ ବିରୁଦ୍ଧରେ ଆବେଦନ କରିଥିଲେ ଇଣ୍ଡିଆ ମେଣ୍ଟରେ ଥିବା ଟିଏମସି, ଆରଜେଡି, କଂଗ୍ରେସ, ସପା, ସିପିଆଇ, ସିପିଆଇଏମ, ଏନସିପି (ଏସପି), ଶିବସେନା (ୟୁବିଟି) ଡିଏମକେ ପ୍ରଭୃତି ଦଳ। ପିଟିସନକାରୀ ଥିଲେ ଟିଏମସିର ମହୁଆ ମୈତ୍ର, ଆରଜେଡିର ମନୋଜ ଝା, କଂଗ୍ରେସର କେସି ବେନୁଗୋପାଳ, ଏନସିପି ଏସପିର ସୁପ୍ରିୟା ସୁଲେ, ସିପିଆଇର ଡି.ରାଜା, ସପାର ହରିନ୍ଦର ମଲ୍ଲିକ, ଶିବସେନା ୟୁବିଟିର ଅରବିନ୍ଦ ସାଓ୍ୱନ୍ତ, ଜେଏମଏର ସର୍ଫରାଜ ଅହମଦ, ସିପିଆଇଏମର ଦୀପଙ୍କର ଭଟ୍ଟାଚାର୍ଯ୍ୟ ଓ ଡିଏମକେ ଦଳ। ଇଣ୍ଡି ମେଣ୍ଟର ଏ ସବୁ ନେତାଙ୍କ ସମେତ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ, ପିପୁଲ୍ସ ୟୁନିଅନ ଫର୍ ସିଭିଲ ଲିବରଟିଜ୍ ଓ ଯୋଗେନ୍ଦ୍ର ଯାଦବଙ୍କ ଭଳି ଆକ୍ଟିଭିଷ୍ଟ ବି ଥିଲେ। ବିହାର ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବା ବେଳେ ନିର୍ବାଚନ କମିଶନ ଆରମ୍ଭ କରିଥିବା ସ୍ୱତନ୍ତ୍ର ମତଦାନ ସୂଚୀ ସଂଶୋଧନ ଅଭିଯାନକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ବୁଧବାର ବିରୋଧୀ ଦଳ ବିହାର ବନ୍ଦ କରିଥିଲା। ନିର୍ବାଚନ କମିଶନଙ୍କୁ ଗୋଦି ଆୟୋଗ ବୋଲି ତେଜସ୍ୱୀ କଟାକ୍ଷ କରିଥିଲେ। ସାମ୍ୱିଧାନିକ ପଦରେ ବସି ବିଜେପି ପାଇଁ କାମ କଲେ ପରିଣାମ ଭୋଗିବ ବୋଲି ଚେତାଇ ଦେଇଥିଲେ ରାହୁଲ ଗାନ୍ଧୀ। ବିଜେପି କହିଥିଲା, ଚକା ଜାମ୍ ଆଳରେ ତୁଛା ଗୁଣ୍ଡାଗିରି। ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନ କମିଶନ ଯାହା କରୁଛନ୍ତି, ତାହା ତାଙ୍କର ସାମ୍ୱିଧାନିକ ଦାୟିତ୍ୱ ଅଟେ। ଭୋଟର ତାଲିକାର ପୁନଃ ନୀରିକ୍ଷଣ କିଛି ଭୁଲ୍ ନୁହେଁ। କିନ୍ତୁ ପ୍ରସ୍ତାବିତ ନିର୍ବାଚନ ପୂର୍ବରୁ କାହିଁକି ଏମିତି ନିଷ୍ପତ୍ତି ନିଆଗଲା ବୋଲି ପଚାରିଥିଲେ ଖଣ୍ଡପୀଠ। ଯଦି ଏହା କରିବାର ଥିଲା, ଏତେ ବିଳମ୍ୱ କାହିଁକି କଲେ ନିର୍ବାଚନ କମିଶନ। ଆବେଦନକାରୀ ଦର୍ଶାଇଥିଲେ ଯେ, ଭୋଟର ତାଲିକା ପୁନଃ ନୀରିକ୍ଷଣ କାମରେ ନିର୍ବାଚନ କମିଶନଙ୍କ ମନମାନି ଚାଲିଛି। ଭୋଟର ତାଲିକାରେ ନାଁ ସାମିଲ ପାଇଁ ୧୧ଟି ଦସ୍ତାବିଜ ଗ୍ରହଣ କରୁଛନ୍ତି କମିଶନ। ଆଧାର ଓ ଭୋଟର କାର୍ଡକୁ କାହିଁକି ତାହେଲେ ସ୍ୱୀକାର କରୁନାହାନ୍ତି। ଦେଶତମାମ ପରିଚୟ ଲାଗି ସବୁଠୁ ବିଶ୍ୱସନୀୟ ଦସ୍ତାବିଜ୍ ଭାବେ ଆଧାର ଓ ଭୋଟର କାର୍ଡକୁ ଗ୍ରହଣ କରାଯାଉଛି। ବିହାରରେ ଏହାକୁ ପ୍ରକ୍ରିୟାର ବାହାରେ ରଖିବା କେତେଦୂର ଯୁକ୍ତିସଙ୍ଗତ। ସେପଟେ କମିଶନଙ୍କ ଓକିଲ କହିଛନ୍ତି, ଆଗ ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ଦିଆଯାଉ। ଏହା ପରେ କୋର୍ଟ ପୁରା ତାଲିକାକୁ ଦେଖିପାରିବେ। ଏହାକୁ ନେଇ ଜଷ୍ଟିସ ଧୁଲିଆ କହିଥିଲେ, ଥରେ ଭୋଟର ତାଲିକା ସମ୍ପୂର୍ଣ୍ଣ ହୋଇଗଲେ ଓ ଏହାକୁ ନେଇ ବିଜ୍ଞପ୍ତି ଜାରି ପରେ କୋର୍ଟ ବି ଏହାକୁ ଛୁଇଁପାରିବେନି। ବିଚାରପତିଙ୍କ ଏଭଳି ପ୍ରଶ୍ନରେ କମିଶନଙ୍କ ଓକିଲ କହିଥିଲେ, ଅନ୍ତିମ ରୂପ ଦେବା ପୂର୍ବରୁ କୋର୍ଟକୁ ଦେଖାଇବେ। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, କମିଶନ ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ନାଁରେ ନୂଆ ଶବ୍ଦ ଯୋଡ଼ିଛନ୍ତି। ୨୦୦୩ରେ ଏମିତି ହୋଇଥିଲା ବୋଲି ଆୟୋଗ କହୁଛନ୍ତି। କିନ୍ତୁ ସେତେବେଳେ ମତଦାତାଙ୍କ ସଂଖ୍ୟା କମ୍ ଥିଲା। ଏବେ ବିହାରରେ ୭କୋଟିରୁ ଉର୍ଦ୍ଧ୍ୱ ଭୋଟର ଅଛନ୍ତି ଓ ପୁରା ପ୍ରକ୍ରିୟାକୁ ଏତେ ଦ୍ରୁତ ଗତିରେ କରାଯାଉଛି। ଯାହା ଚିନ୍ତାର ବିଷୟ। କମିଶନଙ୍କ ଅଧିକାର ଥିଲେ ସୁଦ୍ଧା ଏହା ଆଇନସମ୍ମତ, ପାରଦର୍ଶୀ ଓ ବ୍ୟବହାରିକ ହେବା ଜରୁରୀ। କିଏ ନାଗରିକ ଓ କିଏ ଅଣନାଗରିକ, ଏହା ସ୍ଥିର କରିବାକୁ କମିଶନଙ୍କ କ୍ଷମତା ନାହିଁ। ଫର୍ମ ନ ଭରିଲେ ଭୋଟ ଦେଇପାରିବନି ବୋଲି କୁହାଯାଉଛି। କୌଣସି ବ୍ୟକ୍ତିଙ୍କୁ ମତାଧିକାର ସାବ୍ୟସ୍ତରୁ ବଞ୍ଚିତ କରିବାର ଅର୍ଥ ଲୋକତନ୍ତ୍ରକୁ ଆଘାତ ଓ ଦୁର୍ବଳ କରିବା ସଦୃଶ। ଭୋଟର ତାଲିକା ରିଭିଜନରେ ଆଧାର, ରାସନ ଓ ଭୋଟର କାର୍ଡକୁ ସାମିଲ୍ କରିବାକୁ କମିଶନ ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ତିନୋଟି ମୁଦ୍ଦା ଉପରେ ଜବାବ ଦାଖଲ କରିବାକୁ ଆୟୋଗଙ୍କୁ ନୋଟିସ କରିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୨୮ରେ ହେବ। ମତାଦାତା ତାଲିକା ଯାଞ୍ଚ ଲୋକତାନ୍ତ୍ରିକ କାମ ଅଟେ। ଏହା ଉପରେ ରୋକ୍ ଲଗାଇପାରିବେନି କୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now