ବିଲ୍ ପାରିତ- ରାଷ୍ଟ୍ରପତି କି ରାଜ୍ୟପାଳଙ୍କ ଲାଗି ସମୟସୀମା ସ୍ଥିର କରିପାରିବେନି ଅଦାଲତ

ଅଦାଲତ ସମୟସୀମା ସ୍ଥିର କରିପାରିବେନି। ରାଜ୍ୟ ବିଧାନସଭାରେ ପାରିତ ବିଧେୟକ ଉପରେ ରାଜ୍ୟପାଳ ବା ରାଷ୍ଟ୍ରପତି କେତେ ଦିନ ଭିତରେ ମୋହର ମାରିବେ, ସେ ନେଇ ସମୟସୀମା ସ୍ଥିର ହୋଇପାରିବନି। ଏଭଳି ବଡ଼ ଓ ସ୍ପଷ୍ଟ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏପରିକି ନ୍ୟାୟାଳୟ କୌଣସି ବିଧେୟକକୁ ମଞ୍ଜୁରୀ ଦିଆଯାଇଥିବାର ମାନ୍ୟତା ଦେଇପାରିବେନି। କାରଣ ଏହା ନ୍ୟାୟାଳୟର ଅଧିକାର ପରିସରଭୁକ୍ତ ନୁହେଁ। ସିଜେଆଇ ବି.ଆର.ଗଭାଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି, ଯଦି ରାଜ୍ୟପାଳ ଅନୁଛେଦ ୨୦୦ ପ୍ରକ୍ରିୟାକୁ ଅନୁପାଳନ ନ କରି ଲମ୍ୱା ସମୟ ଧରି ବିଧେୟକକୁ ଅଟକାଇ ରଖନ୍ତି। ତାହେଲେ ଏହା ଦେଶର ସଂଘୀୟ ଢାଞ୍ଚା ପାଇଁ ଠିକ୍ ନୁହେଁ। ସେଥିଲାଗି କୌଣସି ବିଧେୟକକୁ ଅଟକ ରଖିବା ରାଜ୍ୟପାଳଙ୍କ ଅସୀମିତ କ୍ଷମତା ବିବେଚନା କରାଯାଇପାରିବନି। ଏହି ଖଣ୍ଡପୀଠରେ ଜଷ୍ଟିସ ସୂର୍ଯ୍ୟକାନ୍ତ, ବିକ୍ରମ ନାଥ, ପିଏସ ନରସିଂହା ଓ ଜଷ୍ଟିସ ଏ.ଏସ.ଚନ୍ଦୁରକର ଥିଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ୱିଧାନର ଅନୁଛେଦ ୧୪୩(୧) ଆଧାରରେ ସୁପ୍ରିମକୋର୍ଟଙ୍କଠୁ ରାୟ ମାଗିଥିଲେ। ଏହାର ଜବାବ ଦେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ରାଜ୍ୟପାଳଙ୍କ ପାଖରେ କେବଳ ତିନୋଟି ବିକଳ୍ପ ଥାଏ। ସେ ବିଧେୟକକୁ ମଞ୍ଜୁରୀ ଦେବେ, ନଚେତ ପୁଣିଥରେ ବିଚାର କରିବାକୁ ବିଧାନସଭାକୁ ବିଲ୍ ଫେରାଇଦେବେ ଅବା ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ। ଭାରତ ଭଳି ଲୋକତନ୍ତ୍ର ଦେଶରେ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ସ୍ଥିର କରିବା ସମ୍ୱିଧାନ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ବିରୋଧୀ ହେବ। ଏହା ସହ ଏପ୍ରିଲ ୮ରେ ତାମିଲନାଡ଼ୁ ସନ୍ଦର୍ଭରେ ଦିଆଯାଇଥିବା ମାନ୍ୟତା ସ୍ୱୀକୃତିକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ଦୁଇ ଜଣିଆ ଖଣ୍ଡପୀଠ ତାମିଲନାଡ଼ୁ ମାମଲାରେ ଦେଇଥିବା ରାୟ ଅସାମ୍ୱିଧାନିକ ଥିଲା। ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଅନୁଛେଦ ୧୪୨ର ଶକ୍ତିର ପ୍ରୟୋଗ ଆଧାରରେ ତାମିଲନାଡ଼ୁର ୧୦ଟି ବିଧେୟକକୁ ମାନ୍ୟତା ପ୍ରଦାନ କରିଥିଲେ। ଆଉ ୫ ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଶକ୍ତିକୁ ସୁପ୍ରିମକୋର୍ଟ ଅସାମ୍ୱିଧାନିକ ଭାବେ ଅଧିଗ୍ରହଣ କରିପାରିବେନି। ଅଦଲାତ ଏହା ବି କହିଛନ୍ତି, ଏମିତି କରିବାର ଅର୍ଥ, ସାମ୍ୱିଧାନିକ ଅଧିକାରକୁ ଅନ୍ୟ କେହି ହାତକୁ ନେବା ଠିକ୍ ନୁହେଁ। ଅନୁଛେଦ ୨୦୦ ଆଧାରରେ ରାଜ୍ୟପାଳଙ୍କ ଅଧିକାର ନ୍ୟାୟିକ ସମୀକ୍ଷା ଅନ୍ତର୍ଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି କହିଛନ୍ତି, ଯେତେବେଳେ ରାଜ୍ୟପାଳ ମନ୍ତ୍ରିପରିଷଦର ପରାମର୍ଶରେ କାମ କରିବାକୁ ବାଧ୍ୟ। କିଛି ମାମଲାରେ ରାଜ୍ୟପାଳ ବିବେକର ପ୍ରୟୋଗ ବି କରିପାରନ୍ତି। ସେଥିଲାଗି ଅଦାଲତ ରାଜ୍ୟପାଳଙ୍କ ଭୂମିକାକୁ ଟେକଓଭର କରିପାରିବେନି। କିନ୍ତୁ ରାଜ୍ୟ ବିଧେୟକକୁ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବି ରୋକ୍ ଲଗାଇପାରିବେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *