ବୈଦେଶିକ ସଚିବ ବିକ୍ରମ ମିସ୍ରି ଓ ତାଙ୍କ ପରିବାରକୁ କରାଯାଉଛି ଟ୍ରୋଲ୍। ଯାହାକୁ ନେଇ କଡ଼ା ଆପତ୍ତି ଜାହିର କରିଛି ଭାରତୀୟ ଡିପ୍ଲୋମାଟ୍ସ ସଂଘ। ଏହା କଦାପି ଗ୍ରହଣୀୟ ନୁହେଁ ଓ ଘୋର ଆପତ୍ତିଜନକ। ଏଭଳି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି ସଂଘ। ବିକ୍ରମ ମିସ୍ର୍ରି ଜଣେ ଦକ୍ଷ କୂଟନୀତିଜ୍ଞ। ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବିରତି ଘୋଷଣା ପରେ ବିଦେଶ ସଚିବ ବିକ୍ରମ ଓ ତାଙ୍କ ପରିବାରକୁ ଟ୍ରୋଲ ଘଟଣାରେ ରାଷ୍ଟ୍ରୀୟ ମହିଳ ଆୟୋଗ ବି ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି। ଆୟୋଗ କହିଛନ୍ତି, ଏହା ଗୋପନୀୟତର ସଙ୍ଗୀନ ଉଲ୍ଲଂଘନ ଅଟେ। ଏହା ଦ୍ୱାରା ବିକ୍ରମ ଓ ତାଙ୍କ ପରିବାରର ସୁରକ୍ଷା ବିପଦରେ ପଡ଼ିପାରେ। ବିକ୍ରମ ଓ ତାଙ୍କ ପରିବାରକୁ ଏଭଳି ବ୍ୟକ୍ତିଗତ ଆକ୍ରମଣ ନିନ୍ଦନୀୟ। ଆମ ସମସ୍ତଙ୍କୁ ଶାଳୀନତା, ସଭ୍ୟତା ଓ ସଂଯମ ବ୍ୟବହାର କରିବା ଜରୁରୀ। ସୋସିଆଲ ମିଡିଆରେ ବିକ୍ରମ ଓ ତାଙ୍କ ପରିବାରକୁ ଟ୍ରୋଲ କରାଯାଇଛି। ଟ୍ରୋଲିଂ ପରେ ବିକ୍ରମ ନିଜ ଏକ୍ସ ଆକାଉଣ୍ଟକୁ ପୋଷ୍ଟ ପ୍ରୋଟେକ୍ସ କରିଦେଇଛନ୍ତି। ଅପରେସନ ସିନ୍ଦୂରକୁ ନେଇ ବିକ୍ରମଙ୍କ ସହ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଅପରେସନ ସିନ୍ଦୂରର ସ୍ୱର ହୋଇ ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ସେନାର ପରାକ୍ରମର କଥା କହୁଥିଲେ। କିନ୍ତୁ ଅଚାନକ ଯୁଦ୍ଧ ବିରତି ପରଠୁ ବିକ୍ରମ ମିସ୍ରିଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିବାରେ ଲାଗିଛନ୍ତି ଅନେକ ୟୁଜର୍ସ। ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ ଅସାଦୁଦ୍ଦିନ ଓଓ୍ୱେସି ବି ବେଶ୍ ଧୋଇଥିଲେ। ମିସ୍ରିଙ୍କୁ ପରିଶ୍ରମୀ ଓ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ କୂଟନୀତିଜ୍ଞ ବୋଲି ଅଭିହିତ କରିଛନ୍ତି ଓଓ୍ୱେସି। କୌଣସି ରାଜନୈତିକ ନିଷ୍ପତ୍ତି ଲାଗି କୌଣସି ଅଫିସରଙ୍କୁ ଦୋଷୀ ସଜାଇବା ଉଚିତ ନୁହେଁ। କଂଗ୍ରେସ ବି ମିସ୍ରିଙ୍କ ସମର୍ଥନରେ ବାହାରିଛି। ସଲମାନ ଅନୀସ ସୋଜ ଟ୍ରୋଲରଙ୍କୁ କଟାକ୍ଷ କରିଛନ୍ତି। ବିକ୍ରମ ମିସ୍ରି ଜଣେ କଶ୍ମୀରି ଅଟନ୍ତି। ସେ ଭାରତକୁ ଗୌରବାନ୍ୱିତ କରିଛନ୍ତି। କୌଣସି ପ୍ରକାର ଟ୍ରୋଲିଂ ତାଙ୍କର ଦେଶ ସେବାକୁ କମ୍ କରିପାରିବନି। ଯଦି ଧନ୍ୟବାଦ ଦେଇପାରୁନ, ଅନ୍ତତଃ ମୁହଁ ବନ୍ଦ କରି ରଖ। ଗଲା ବର୍ଷ ଜୁଲାଇରେ ବିକ୍ରମଙ୍କୁ ବିଦେଶ ସଚିବ ଭାବେ ନିଯୁକ୍ତି ମିଳିଛି। ଶନିବାର ସଂଧ୍ୟାରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଉପରେ ଘୋଷଣା କରିବା ପରେ ବିକ୍ରମ ମିସ୍ରିଙ୍କୁ ଦେଶଦ୍ରୋହୀ, ବିଶ୍ୱାସଘାତକ ଭଳି ଅପମାନଜନକ ଶବ୍ଦ ପ୍ରୟୋଗ କରି କଟାକ୍ଷ କରାଯାଇଥିଲା। ଆଉ କିଛି ପୋଷ୍ଟରେ ତାଙ୍କ ଝିଅଙ୍କ ନାଗରିକତ୍ୱକୁ ନେଇ ବି ଅଙ୍ଗୁଳି ଉଠିଥିଲା। ଏଭଳି ଟ୍ରୋଲ ସତ୍ତ୍ୱେ କେନ୍ଦ୍ର ସରକାର କାହିଁକି ବିକ୍ରମ ଓ ତାଙ୍କ ପରିବାରର ସମ୍ମାନ ରକ୍ଷା କରିବାକୁ ଆଗକୁ ଆସୁନାହାନ୍ତି କହି ଟାର୍ଗେଟ କରିଥିଲେ ସପା ସୁପ୍ରିମୋ ଅଖିଳେଶ ଯାଦବ। ବିକ୍ରମ ମିସ୍ରି କଅଣ କେବଳ ଜଣେ ସନ୍ଦେଶବାହକ ଥିଲେ କି। କିଛି ଅସାମାଜିକ ଓ ଅପରାଧିକ ତତ୍ତ୍ୱ ଖୋଲାରେ ତାଙ୍କ ପରିବାର ପ୍ରତି ଅଭଦ୍ର ଭାଷା ସହ ସୀମା ଉଲ୍ଲଂଘନ କରି ଆରୋପ ଲଗାଉଛନ୍ତି। ନା କେନ୍ଦ୍ର ସରକାର ଆକ୍ସନ ନେଉଛନ୍ତି ନା ଏଭଳି ତତ୍ତ୍ୱଙ୍କୁ କଡ଼ା ଜବାବ ଦେଉଛନ୍ତି। ପୂର୍ବତନ ବିଦେଶ ସଚିବ ନିରୂପମା ମେନନ ରାଓ ବି ଏଭଳି ଅନଲାଇନ ଦୁର୍ବ୍ୟବହାରକୁ ଅତି ଲଜ୍ଜାଜନକ କହି କ୍ଷୋଭ ଝାଡ଼ିଛନ୍ତି। ଏଭଳି ବିଷାକ୍ତ ଘୃଣା ବନ୍ଦ ହେବା ଦରକାର। ଦେଶବାସୀ ରାଷ୍ଟ୍ରଦୂତଙ୍କ ପଛରେ ଏକଜୁଟ ହୋଇ ଛିଡ଼ା ହେବା ଦରକାର। ସେମାନଙ୍କ ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ। ୧୯୮୯ ବ୍ୟାଚ୍ ଆଇଏଫଏସ ଅଟନ୍ତି ବିକ୍ରମ। ୟୁରୋପ, ଆଫ୍ରିକା, ଏସିଆ ଓ ନର୍ଥ ଆମେରିକାରେ ମିଶନ ଇଣ୍ଡିଆ ସକାଶେ ବେଶ୍ ଦକ୍ଷତାର ସହ କାମ କରିଛନ୍ତି। ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱର୍ଗତ ଆଇକେ ଗୁଜରାଲ ଓ ପ୍ରଣବ ମୁଖାର୍ଜୀଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେ ୩ ଜଣ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରିଛନ୍ତି। ଆଇକେ ଗୁଜରାଲ, ମନମୋହନ ସିଂ ଓ ନରେନ୍ଦ୍ର ମୋଦିଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭାବେ କାମ କରିଛନ୍ତି ବିକ୍ରମ। ସ୍ପେନ, ମିଆଁମାର, ଚାଇନାରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି ବିକ୍ରମ।

Naxatra News is now on Whatsapp
Join and get latest news update delivered to you via whatsapp
Join Now