ଭୋଟ ଚୋରୀ- ନିର୍ବାଚନ କମିଶନ ବନାମ ରାହୁଲ

ଭୋଟ ଚୋରୀର ସଙ୍ଗୀନ ଆରୋପ ଲଦିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରେସମିଟରେ ନିର୍ବାଚନ କମିଶନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଏକ ବିଧାନସଭା ଆସନରେ ବଡ଼ ଧରଣର ଜାଲି ଭୋଟିଂ ହୋଇଥିବାର ତାଙ୍କ ପାଖରେ ପ୍ରମାଣ ଥିବା କହିଥିଲେ ରାହୁଲ। ମହାରାଷ୍ଟ୍ରରେ ଗୋଟିଏ ବିଲଡିଂରେ ୭ହଜାର ଭୋଟର ଓ କର୍ଣ୍ଣାଟକରେ ଗୋଟିଏ ଘରେ ୮୦ ଭୋଟର ନିର୍ବାଚନ ପରିଚାଳନାର ବଡ଼ କଳଙ୍କ ବୋଲି କହିଥିଲେ ରାହୁଲ।ତେବେ ଏହାକୁ ନେଇ ଖପ୍ପା ନିର୍ବାଚନ କମିଶନ ରାହୁଲଙ୍କୁ ଚିଠି ଲେଖି ଘୋଷଣାନାମା ଦେବାକୁ କହିଛନ୍ତି। ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ପ୍ରସଙ୍ଗ ବା ନିର୍ବାଚନ ଫଳାଫଳକୁ ନେଇ କେବଳ ହାଇକୋର୍ଟଙ୍କ ପାଖରେ ଇଲେକ୍ସନ ପିଟିସନ ଦେଇ ପ୍ରଶ୍ନ ପଚାରିହେବ ବୋଲି କହିଛନ୍ତି କମିଶନ। ଯଦି ରାହୁଲଙ୍କ ପାଖରେ ପ୍ରମାଣ ଅଛି, ସେ ସତ୍ୟପାଠ ଜରିଆରେ ଦିଅନ୍ତୁ। ନଚେତ୍ ନିଜ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି ନିର୍ବାଚନ କମିଶନ। ଆଉ ଲୋକଙ୍କୁ ଭ୍ରମିତ କରନ୍ତୁନି। ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ରାହୁଲଙ୍କୁ ସତ୍ୟପାଠ ଦେବାକୁ କହିଥିଲେ କମିଶନ। କେଉଁ ଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି ଆଉ କେଉଁ ଅଯୋଗ୍ୟ ଭୋଟର ତାଲିକାରେ ସାମିଲ୍ ହୋଇଛନ୍ତି। ଏହାର ପ୍ରମାଣ ଓ ତଥ୍ୟ ସହ ନିଜେ ରାହୁଲ ଦସ୍ତଖତ କରି ଏହି ଘୋଷଣାନାମାକୁ କମିଶନ ଅଫିସକୁ ପଠାଇବାକୁ କୁହାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଓ କଂଗ୍ରେସ ପ୍ରତିନିଧି ଦଳକୁ ଗୋଟାଏରୁ ଅପରାହ୍ନ ୩ଟା ଭିତରେ ବୈଠକକୁ ଡାକିଥିଲେ। ପ୍ରମାଣ ସହ ନିଜ କଥା କମିଶନଙ୍କ ଆଗରେ ରଖିବାକୁ କହିଥିଲେ। ଯାହାକୁ ନେଇ ରାଜନୀତି ସରଗରମ ହେଲାଣି। ବେଙ୍ଗାଲୁରୁରେ ଭୋଟ ଅଧିକାର ରାଲିରେ ଯୋଗ ଦେଇଛନ୍ତି ଖଡ଼ଗେ ଓ ରାହୁଲ। ଭୋଟ ଚୋରୀ ପ୍ରତିବାଦରେ ଫ୍ରିଡମ ପାର୍କରେ ଏହି ରାଲି ହୋଇଥିଲା। ରାହୁଲ କହିଛନ୍ତି, କମିଶନ ଯଦି ଇଲେକଟ୍ରୋନିକ୍ସ ଡାଟା ଦେବେ, ତାହେଲେ ସେ ଚୁଟକିରେ ଭୋଟ ଚୋରୀର ପ୍ରମାଣ ଦେବେ। ନିର୍ବାଚନ କମିଶନ ଆଖି ବନ୍ଦ କରିଦେଇଛନ୍ତି। ବିଜେପିର କଥା କହୁଛନ୍ତି। ବିଜେପି ଲାଗି ଭୋଟ ଚୋରୀ କରୁଛନ୍ତି। ନିର୍ବାଚନ କମିଶନ ତାଙ୍କୁ ଶପଥପାଠ ଦେବାକୁ କହୁଛନ୍ତି। ସେ ସଂସଦରେ ସମ୍ୱିଧାନର ଶପଥ ନେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ନିର୍ବାଚନ କମିଶନ ଭୋଟର ତାଲିକା ଦେଉନାହାନ୍ତି। ତଦନ୍ତ ବଦଳରେ ପାଲଟା ସତ୍ୟପାଠ ମାଗୁଛନ୍ତି। ଇଣ୍ଡିମେଣ୍ଟର ଅନ୍ୟ ସଦସ୍ୟ କହିଛନ୍ତି, ନିର୍ବାଚନ କମିଶନ ରାହୁଲଙ୍କ ବଦଳରେ ମୋଦି ଓ ଶାହାଙ୍କଠୁ ସତ୍ୟପାଠ ନେବା ଦରକାର। ଆଜିକାର ନିର୍ବାଚନ କମିଶନ ବିଜେପିର ପରିବର୍ଦ୍ଧିତ ଶାଖା।ସେପଟେ ସଂସଦର ଉଭୟ ଗୃହରେ ଭୋଟ ଚୋରୀକୁ ନେଇ ହଙ୍ଗାମା ଦେଖିବାକୁ ମିଳିଥିଲା। ଗୃହ ଭିତରେ ଓ ସଂସଦ ପରିସରରେ ଇଣ୍ଡିଆ ମେଣ୍ଟ ସଦସ୍ୟ ପ୍ରତିବାଦ କରିଥିଲେ। ଯାହା ଫଳରେ ଗୃହ ବାରମ୍ୱାର ମୁଲତବୀ ହୋଇଥିଲା। କାଉଣ୍ଟରରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ରାହୁଲ ଗାନ୍ଧୀ କେତେଦିନ ହେଲାଣି ତାଙ୍କ ପାଖରେ ଆଟମ୍ ବମ୍ୱ ଅଛି ବୋଲି କହୁଛନ୍ତି। କଂଗ୍ରେସ ଯେତେବେଳେ କ୍ଷମତାକୁ ଆସିବ, ସେତେବେଳେ ନିର୍ବାଚନ କମିଶନଙ୍କୁ ସାବାଡ଼ କରିବେ ବୋଲି କଂଗ୍ରେସର ଯୁବରାଜ ଭାଷା କହୁଛନ୍ତି ରାହୁଲ। ବିରୋଧୀ ଦଳ ନେତା ଭାବେ ଏଭଳି ଭାଷା କେତେଦୂର ଶୋଭା ପାଉଛି। ଦେଶ ଲାଗି କାମ କରୁଥିବା କମିଶନଙ୍କ ଅଫିସର ଅଧିକାରୀଙ୍କୁ ଏଭଳି ଧମକ କେତେଦୂର ଗ୍ରହଣୀୟ। ମହାରାଷ୍ଟ୍ରରେ ୧ କୋଟି ଭୋଟର ସାମିଲ ହୋଇଥିଲେ ବୋଲି ରାହୁଲ ଦାବି କରୁଛନ୍ତି। କିନ୍ତୁ ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍ ସ୍ପଷ୍ଟ କରିଛି, ୪୦ଲକ୍ଷ ଭୋଟର ସାମିଲ୍ ହୋଇଥିଲେ। ଭୋଟ ଚୋରୀର ଆରୋପ ଲଦିବା ପରେ ଚାରିଆଡ଼େ ହଙ୍ଗାମା। ବିହାରରେ ଏସଆଇଆର ପ୍ରତ୍ୟାହାର ସହ ଏହାକୁ ନେଇ ସଂସଦରେ ଆଲୋଚନା ଲାଗି ଅଡ଼ି ବସିଛନ୍ତି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *