ଦିନ ୨ଟାରୁ ଓ୍ୱାକଫ ଆଇନ ଉପରେ ସୁପ୍ରିମ୍ ଶୁଣାଣୀ

ଓ୍ୱାକଫ ଆକ୍ଟକୁ ନେଇ ଆରମ୍ଭ ହୋଇଛି ଆଇନଗତ ଲଢ଼େଇ। ସୁପ୍ରିମକୋର୍ଟ ୭୩ଟି ଆବେଦନର ଶୁଣାଣୀ କରିବେ। ୭ଟି ବିଜେପି ଶାସିତ ରାଜ୍ୟ ବି ଓ୍ୱାକଫ ସମର୍ଥନରେ ଅପିଲ୍ କରିଛନ୍ତି। ଏ ସବୁ ରାଜ୍ୟ ହେଲେ ହରିଆଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଆସାମ। ୭୩ଟିରୁ ଆଜି ୧୦ଟିର ଶୁଣାଣୀ କରିବେ ଅଦାଲତ। ଦ୍ୱିପ୍ରହର ୨ଟାରୁ ଆରମ୍ଭ ହେବ ଶୁଣାଣୀ। ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ୍ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିବେ। କୋର୍ଟରେ ଓ୍ୱାକଫ ଆଇନର ବୈଧତାକୁ ନେଇ ଚ୍ୟାଲେଞ୍ଜ ହୋଇଛି। ଆବେଦନକାରୀ ଦାବି କରିଛନ୍ତି ଯେ, ସଂଶୋଧିତ ଆଇନ ବଳରେ ଓ୍ୱାକଫ ସମ୍ପତ୍ତିର ଆକଳନ ଅବ୍ୟବସ୍ଥିତ ଭାବେ କରାଯିବ। ଏହା ମୁସଲମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଓ୍ୱାକଫ ସମ୍ପତ୍ତି ଜବତ କରିବାକୁ ପ୍ରୟାସ ହେଉଛି। ନିକଟରେ କେନ୍ଦ୍ର ସରକାର ଓ୍ୱାକଫ ଆଇନରେ ସଂଶୋଧନ କରିଥିଲେ। ରାଷ୍ଟ୍ରପତିଙ୍କ ମୋହର ପରେ ଏହାକୁ ଲାଗୁ ବି ହୋଇସାରିଛି। ଏହାକୁ ନେଇ କିଛି ଜାଗାର ବିରୋଧ ଓ ଆନ୍ଦୋଳନ ହୋଇଛି। ଅନେକ ସ୍ଥାନରେ ହିଂସା ଘଟିଛି।  ଓ୍ୱାକଫ ବୋର୍ଡର ନିର୍ବାଚନୀ ଢାଞ୍ଚାକୁ ସମାପ୍ତ କରିଦିଆଯାଇଛି। ଅଣମୁସଲିମ ଏଣିକି ବୋର୍ଡରେ ନିଯୁକ୍ତି ପାଇବେ। ଏହା ମୁସଲିମ ସମୁଦାୟର ସ୍ୱୟଂଶାସିତ ଓ ଧାର୍ମିକ ସମ୍ପତ୍ତିର ବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରିଛନ୍ତ ଆବେଦନକାରୀ। ଭବିଷ୍ୟତରେ ମନମାନିରୁ ସରକାର ଓ୍ୱାକଫ ସମ୍ପତ୍ତିକୁ ନିଜ କବଜାକୁ ନେବାକୁ ଚକ୍ରାନ୍ତ କରିପାରନ୍ତି। ଆଦିବାସୀଙ୍କୁ ଓ୍ୱାକଫ ବୋର୍ଡ ସଦସ୍ୟ ହେବାରେ ପ୍ରତିବନ୍ଧକ ଲାଗିଛି। ଓ୍ୱାକଫର ପରିଭାଷାକୁ ବଦଳାଇଦିଆଯାଇଛି। ଓ୍ୱାକଫ ବୋର୍ଡ ୟୁଜର୍ସଙ୍କ ନ୍ୟାୟିକ ପରମ୍ପରାକୁ ହଟାଇ ଦିଆଯାଇଛି। ଅନେକ ମାମଲାରେ ଏ ଡର ବି ରହୁଛି ଯେ, ମୌଖିକ ନଚେତ ଅନୌପଚାରିକ ଭାବେ ସ୍ଥାପିତ ହୋଇଥିବା ପୁରୁଣା ଓ୍ୱାକଫ ସମ୍ପତ୍ତି ନିଜର ବୈଧତା ବି ହରାଇପାରେ। ଏହି ଅଧିନିୟମ ମୁସଲିମ ସମୁଦାୟର ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅଧିକାରକୁ ଦୁର୍ବଳ କରିପାରେ ବୋଲି ଆବେଦନକାରୀ ଯୁକ୍ତି ଦର୍ଶାଉଛନ୍ତି। ସଂଶୋଧିତ ଓ୍ୱାକଫ ଆଇନ ବିରୁଦ୍ଧରେ କଂଗ୍ରେସ, ଟିଏମସି, ସିପିଆଇ, ୱାଇଏସଆରସିପି ସମେତ ଅନେକ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ଭିତରେ ଅଭିନେତା ବିଜୟ କେ ଟିବିକେ, ଆରଜେଡି, ଏଆଇଏମଆଇଏମ ଓ ଆପ୍ ଭଳି ଦଳର ପ୍ରତିନିଧି ବି ସାମିଲ୍ ଅଛନ୍ତି। ଏହା ବ୍ୟତୀତ ଦୁଇଟି ହିନ୍ଦୁ ପକ୍ଷଙ୍କ ଦ୍ୱାରା ବି ଆବେଦନ କରାଯାଇଛି। ଓକିଲ ହରିଶଙ୍କର ଜୈନ ଆବେଦନରେ କହିଛନ୍ତି ଯେ, ଅଧିନିୟମର କିଛି ଧାରାରୁ ବେଆଇନ ଭାବେ ସରକାରୀ ସମ୍ପତ୍ତି ଓ ହିନ୍ଦୁ ଧାର୍ମିକ ସ୍ଥଳ ଉପରେ କବଜା କରିବାର ଆଶଙ୍କା ରହିଛି। ନୋଏଡାର ପାରୁଲ ଖେରା ବି ସମାନ ତର୍କ ଦେଇ ପିଟିସନ ପକାଇଛନ୍ତି। ଧାର୍ମିକ ସଂଗଠନ ଭିତରେ ସାମସ୍ଥ କେରଲା ଜମିୟାଥୁଲଉଲମା, ଅଖିଳ ଭାରତୀୟ ମୁସଲିମ ପର୍ସନଲ ଲ ବୋର୍ଡ ଓ ଜମିୟତା ଉଲାମ-ଏ-ହିନ୍ଦ୍ ଭଳି ସଂଗଠନ ଆଇନ ବିରୁଦ୍ଧରେ ପିଟିସନକାରୀ ସାଜିଛନ୍ତି। ସେପଟେ କେନ୍ଦ୍ର ସରକାରଙ୍କ ଯୁକ୍ତି ଯେ, ୱାକଫ ସମ୍ପତ୍ତିକୁ ଅଧିକ ପାରଦର୍ଶିତା ଓ ଜବାବଦେହୀ ସୁନିଶ୍ଚିତ କରିବାକୁ ଏହି ଆଇନ ଆସିଛି। ଓ୍ୱାକଫ ସମ୍ପତ୍ତିର ସୁରକ୍ଷା, ଉଚିତ ରକ୍ଷଣାବେକ୍ଷଣ, ଭ୍ରଷ୍ଟାଚାରର ସମ୍ଭାବନାକୁ କମ୍ କରିବାକୁ ଏହି ସଂଶୋଧିତ ଆଇନ ଜରୁରୀ। ପ୍ରଶାସନରେ ସୁଧାର ଆସିବ ଓ ଓ୍ୱାକଫ ସମ୍ପତ୍ତିର ସଠିକ ଆକଳନ ହୋଇପାରିବ। ଏହା ବ୍ୟତୀତ ୭ଟି ରାଜ୍ୟ ଏହି ଓ୍ୱାକଫ ଆଇନ ସମର୍ଥନରେ ହସ୍ତକ୍ଷେପ କରିବାକୁ ଅପିଲ୍ କରିଛନ୍ତି। ଏହି ଅଧିନିୟମ ସମ୍ୱିଧାନର ଅନୁରୂପ ଅଟେ। ଏଥିରେ କୌଣସି ଭେଦଭାବ ନାହିଁ। ବରଂ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବ। କେନ୍ଦ୍ର ସରକାର କୋର୍ଟରେ ବି ଏକ କାଭିଏଟ ଫାଇଲ୍ କରିଛନ୍ତି। ଏବେ ଦେଖିବାର କଥା, ସୁପ୍ରିମକୋର୍ଟ ଏହା ଉପରେ ନିଜର ଆଭିମୁଖ୍ୟ କେମିତି ରଖୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *