ହାଥରସ ଟ୍ରାଜେଡ଼ିକୁ ନେଇ ଚାରିଆଡ଼େ ହଇଚଇ, ଭୋଲେ ବାବା ଫେରାର୍

Spread the love

କାନ୍ଦବୋବାଳିରେ ଫାଟିପଡ଼ୁଥିଲା ପୁଲରାଇ ପଡ଼ିଆ। ସମାବେଶ ପଡ଼ିଆ ପାଲଟିଲା କ୍ଷଣିକେ ମରଣଯନ୍ତା। ଯିଏ ଯାହା ଉପରେ ଚଢିଗଲା। ଦେଖୁ ଦେଖି ଦଳାଚକଟାରେ ଚାଲିଗଲା ଶତାଧିକ ଜୀବନ। ମଙ୍ଗଳବାର ଅପରାହ୍ନରେ ହାଥରସରେ ଆତ୍ମଘୋଷିତ ବାବା ଭୋଲେବାବାଙ୍କ ସତସଙ୍ଗରେ ସାମିଲ୍ ହୋଇଥିବା ଅନେକଙ୍କ ଅକାଳରେ ଚାଲିଗଲା ଜୀବନ। ବାବାଙ୍କ ପାଦଧୂଳି ନେବାକୁ ଚାଲିଥିବା ପ୍ରତିଯୋଗିତାରୁ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି। ଆଉ ତା ପରେ ଭିଡ଼ ଅନିୟନ୍ତ୍ରିତ ପରେ ପାଖ ନାଳ ଭୁଷୁଡ଼ି ପଡ଼ିବାରୁ ଚାଲିଯାଇଥିଲା ଅନେକଙ୍କ ଜୀବନ। ଅନେକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ। ୨୦ହଜାର ଲୋକଙ୍କ ସ୍ଥାନରେ ଦେଢ଼ ଲକ୍ଷ ଲୋକଙ୍କ ସମାଗମ ଡାକିଆଣିଥିଲା ମୃତ୍ୟୁକୁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳକୁ ଯିବା ସହ ଆହତଙ୍କୁ ଭେଟିଛନ୍ତି। ଏହାର ଉଚ୍ଚସ୍ତରୀୟ ସମୀକ୍ଷା ବି କରିଛନ୍ତି। ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ମୃତକଙ୍କ ପରିବାରକୁ ମଙ୍ଗଳବାର ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ ୟୁପି ସରକାର। ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମୃତକଙ୍କ ନାବାଳକ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ବାଲ୍ ସେବା ଯୋଜନାରେ ମାଗଣାରେ ଶିକ୍ଷା ଦିଆଯିବ। ପ୍ରତି ମୃତ ପରିବାରର ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଲେଖାଏଁ ଦିଆଯିବ। ୧୨୧ ମୃତକଙ୍କ ଭିତରେ ୬ଜଣ ହରିଆଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନର ଶ୍ରଦ୍ଧାଳୁ ଅଛନ୍ତି। ୩୧ ଜଣ ଚିକିତ୍ସିତ ହେଉଛନ୍ତି। ସମସ୍ତେ ବିପଦମୁକ୍ତ ଅଛନ୍ତି। ହାଥରସ ଘଟଣାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ କାହାର ଅବହେଳା ଲାଗି ଏଭଳି ଘଟଣା ଘଟିଲା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ବିରୋଧୀ। ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କରିବାକୁ ଅପିଲ୍ କରିଛନ୍ତି। ବଡ଼କଥା ହେଲା, ଏତଲାରେ ଭୋଲେ ବାବାଙ୍କ ନାଁ ନଥିବା ଜାଣି ଚିହିଁକି ଉଠିଥିଲେ ବିରୋଧୀ ଦଳ। ୟୁପି କଂଗ୍ରେସ ସଭାପତି ଅଜୟ ରାଏ ବି ଆହତଙ୍କୁ ଭେଟିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ଦୁଃଖଦ ଘଟଣାରେ ବି ରାଜନୀତି କରିବାକୁ ଛାଡ଼ିନାହାନ୍ତି ବିରୋଧୀ। ଏଭଳି ତଥାକଥିତ ବାବାଙ୍କ ସହ କାହାର ପଲିଟିକାଲ କନେକ୍ସନ ଅଛି, ଏହା ସମସ୍ତେ ଜାଣନ୍ତି। ଯେଉଁମାନେ ନିରୀହ ନିର୍ଦୋଷ ଲୋକଙ୍କ ଜୀବନ ସହ ଖେଳିଛନ୍ତି, ସେମାନଙ୍କୁ ଛଡ଼ାଯିବନି। ତଦନ୍ତ ଲାଗି ଏଡିଜି ଆଗ୍ରାଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି। ବିଚାରବିଭାଗୀୟ ତଦନ୍ତ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ତଦାରଖ କରିବ।

ସେପଟେ ହାଥରସ ଟ୍ରାଜେଡିକୁ ନେଇ ସଂସଦରୁ ସୁପ୍ରିମକୋର୍ଟ ଯାଏ ସ୍ୱର ଶୁଭିଛି। ସଂସଦରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଶୋକବ୍ୟକ୍ତ କରାଯାଇଛି। ହାଥରସ ଦଳାଚକଟା ଘଟଣାରେ ସୁପ୍ରିମକୋର୍ଟରେ ଜରୁରୀକାଳୀନ ଶୁଣାଣୀ ଲାଗି ଆବେଦନ କରିଥିଲେ ଆଇନଜୀବି ବିଶାଳ ତିଓ୍ୱାର। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଏକ୍ସପର୍ଟ ପ୍ୟାନେଲ କରି ଏହାର ତଦନ୍ତ ଭାର ଦିଆଯାଉ। ପୁରା ଘଟଣାର ବିସ୍ତୃତ ରିପୋର୍ଟ ଦେବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀ, ଆୟୋଜକ ଓ ଅନ୍ୟାନ୍ୟଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାକୁ କୋର୍ଟ ନିର୍ଦେଶ ଦିଅନ୍ତୁ।

ହାଥରସ ଟ୍ରାଜେଡ଼ିକୁ ନେଇ ଚାରିଆଡ଼େ ହଇଚଇ। ଆତ୍ମୋଘୋଷିତ ବାବା ଭୋଲେ ବାବା ଫେରାର୍ ହୋଇଯାଇଛନ୍ତି। ଗୁଇନ୍ଦା ବ୍ୟୁରୋର ଜଣେ ପୂର୍ବତନ କର୍ମଚାରୀ ଥିଲେ ଆତ୍ମଘୋଷିତ ଧର୍ମଗୁରୁ ନାରାୟଣ ସାକାର ହରି। ପ୍ରବଚନ ଦେବା ସକାଶେ ୨୬ ବର୍ଷ ବେଲା ସରକାରୀ ଚାକିରୀ ଛାଡ଼ିଛନ୍ତି। ସୋସିଆଲ ମିଡିଆରେ ବି ସକ୍ରିୟ ନାହାନ୍ତି ବାବା।

Leave a Reply

Your email address will not be published. Required fields are marked *