ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

Spread the love

ସୋଫିଆ:  ବୁଲଗେରିଆରେ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର। ଏକ ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛି ଜଣେ ଶିଶୁ । ପ୍ରାରମ୍ଭିକ ତଦନ୍ତରୁ ମୃତର କାରଣ ଶ୍ବାସରୁଦ୍ଧ ବୋଲି ଜଣାଯାଇଛି। ଏହି ଘଟଣା ଜଣାପଡିବା ପରେ ଦେଶରେ ମାନବ ଚାଲାଣ ଚର୍ଚ୍ଚା ପୁଣି ତେଜ ହୋଇଛି। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ତେବେ ଦୀର୍ଘ ସମୟରୁ ବୁଲଗେରିଆ ଦେଇ ୟୁରୋପୀୟ ସଂଘକୁ ପ୍ରବେଶ କରିବାକୁ ତୁର୍କୀ, ଆଫଗାନିସ୍ତାନ ଓ ମଧ୍ୟପୂର୍ବ ରାଷ୍ଟ୍ରରୁ ବହୁ ସଂଖ୍ୟାରେ ଲୋକ ଚେଷ୍ଟା କରିବା ବେଳେ ଅନେକ ସମୟରେ ଏହିପରି ହୃଦୟବିଦାରକ ଦୃଶ୍ୟ ମଧ୍ୟ ସାରା ବିଶ୍ବକୁ କରୁଛି ସ୍ତବ୍ଧ।

ପରିତ୍ୟକ୍ତ ଟ୍ରକରୁ ୧୮ ମୃତଦେହ ଉଦ୍ଧାର। ବୁଲଗେରିଆର ରାଜଧାନୀ ସୋଫିଆଠାରୁ ୨୦ କିଲୋମିଟର ଦୂରବର୍ତ୍ତୀ ଲୋକୋର୍ସ୍କୋ ଗ୍ରାମ ନିକଟରୁ ମୃତଦେହ ଉଦ୍ଧାର। ସମସ୍ତ ମୃତକ ପ୍ରବାସୀ ହୋଇଥିବା କହିଛି ସ୍ଥାନୀୟ ପ୍ରଶାସନ । ପ୍ରବାସୀଙ୍କୁ ଚାଲାଣ କରାଯାଉଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା କହିଛି ପୁଲିସ। ପ୍ରାରମ୍ଭିକ ତଦନ୍ତ ଆଧାରାରେ ବୁଲଗେରିଆ ଗ୍ରାମାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଟ୍ରକରେ ୫ ଜଣ ଶିଶୁଙ୍କୁ ମିଶାଇ ମୋଟ ୪୦ ଜଣ ଥିଲେ। ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ସ୍ଥିତି ଗୁରୁତର ହୋଇପଡିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୦ ପ୍ରବାସୀଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଅଞ୍ଚଳରେ ଥିବା ବୁଦା ଭିତରେ ଲୁଚିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଟ୍ରକ ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବାକୁ ସର୍ଚ୍ଚ ଅପରେସନ ଚାଲିଛି। ଏସମ୍ପର୍କରେ  ସ୍ବାସ୍ଥ୍ୟ ମନ୍ତ୍ରୀ ଅସେନ ମେଡଝିଦିଭ ଟ୍ରକର ସ୍ଥିତି ସମ୍ପର୍କରେ କହିଛନ୍ତି କି, ଟ୍ରକରେ ସେମାନଙ୍କୁ ବନ୍ଦ କରି ନିଆଯାଉଥିଲା। ଟ୍ରକ ଭିତରରେ ଅମ୍ଳଜାନ ଅଭାବ ସାଙ୍ଗକୁ ଅନେକ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। ଫଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ ଭିତରୁ ମିଳିଥିବା ମୃତ ଓ ଗୁରୁତରଙ୍କ ଶରୀର ଥଣ୍ଡା ପଡିଯିବା ସହ ଓଦା ଥିବା ଦେଖିବାକୁ ମିଳିଛି।

ପ୍ରାରମ୍ଭିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି କି, ସମସ୍ତ ପ୍ରବାସୀ ଆଫଗାନିସ୍ଥାନରୁ ଆସିଥିଲେ ଓ ସେମାନଙ୍କୁ ସର୍ବିଆକୁ ବେଆଇନଭାବେ ଚାଲାଣ କରାଯାଉଥିଲା। ପୁଲିସ ଆହୁରି କହିଛନ୍ତି ଯେଉଁ ୪ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ପୂର୍ବରୁ ମାନବ ତସ୍କରୀ ମାମଲାରେ ଦଣ୍ଡିତ କରାଯାଇଥିଲା। ସେପଟେ, ୭ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି ବାଲକାନ ରାଷ୍ଟ୍ର ୟୁରୋପିଆନ ସଂଘର ସଦସ୍ୟ ତଥା ୟୁରୋପୀୟ ରାଷ୍ଟ୍ରର ଏଣ୍ଟ୍ରି ପଏଣ୍ଟରେ ରହିଛି। ତେଣୁ  ଦୀର୍ଘ ସଂଘର୍ଷରେ ଲିପ୍ତ ତୁର୍କୀ, ଆଫଗାନିସ୍ଥାନରୁ ଲୋକେ ୟୁରୋପୀୟ ରାଷ୍ଟ୍ରସମୂହକୁ ଅବୈଧ ପ୍ରବେଶ କରିବାକୁ ବୁଲଗେରିଆକୁ ବାଛିଥାନ୍ତି। ଏହି ଅବୈଧ ପ୍ରବେଶକୁ ରୋକିବାକୁ ବୁଲଗେରିଆ ମଧ୍ୟ ପଦକ୍ଷେପ ନେଇଛି। ତେଣୁ ତୁର୍କୀ ସୀମାବର୍ତ୍ତୀ ପ୍ରାୟ ୨୩୪ କିଲୋମିଟରକୁ ତାର ବାଡଦେଇଛି ବୁଲଗେରିଆ।

ସୀମା ପୁଲିସ ବଳର ସୂଚନା ଅନୁଯାୟୀ ୨୦୨୨ରେ ୧,୬୪,୦୦୦ ଓ ୨୦୨୧ରେ ୫୫,୦୦୦  ଅବୈଧ ସୀମା ପାରକାରୀଙ୍କୁ ଗିରଫ କରାଯାଇଥିଲା। ତେବେ ମାନବ ତସ୍କରୀ କାଳରେ ସୁରକ୍ଷା ବଳକୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ହେଉଥିବା ଦେଖିବାକୁ ମିଳିଛି। ୨୦୧୫ରେ ମାନବଚାଲାଣକାରୀ ଗାଡିକୁ ତୁର୍କୀ ସୀମାରେ ପୁଲିସ ପାଟ୍ରୋଲିଂ ଗାଡି ଅବରୋଧ କରିବାକୁ ଚେଷ୍ଟା କରିବା ବେଳେ ଚାଲାଣକାରୀଙ୍କ ଗୁଳିମାଡରେ ୨ ଜଣ ପୁଲିସଙ୍କର ମୃତ୍ୟୁ ହୋଇଥିଲା।  ଗତ ବର୍ଷ ମାନବ ତସ୍କରୀ କରୁଥିବା ଏକ ଗାଡି ପୁଲିସ କାରକୁ ଧକ୍କା ଦେବାକୁ ୩ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୋଫିଆ ଓ ୟୁରୋପୀୟ ସଂଘ ସୀମାକୁ ତାର ବାଡ ଦେବାକୁ ବୁଲଗେରିଆ ପକ୍ଷରୁ ଦାବି ହୋଇଥିବା ବେଳେ ଏହି ଦାବିକୁ ଏଯାବତ୍ ପୂରଣ କରାଯାଇନାହିଁ।  

କିନ୍ତୁ ଶୁକ୍ରବାରର ଏହି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବର ମାମଲାଗୁଡିକ ପୁନଃ ଚର୍ଚ୍ଚାକୁ ଆସିଛି। କାରଣ ୨୦୧୫ ଅଗଷ୍ଟରେ ଅଷ୍ଟ୍ରେଲିଆରେ ଏକ କୁକୁଡା ରେଫ୍ରିଜିରେଟର ଟ୍ରକରୁ ୭୧ ପ୍ରବାସୀଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲା ଏକ ଶିଶୁ କନ୍ୟା। ସେହିପରି ୨୦୧୯ରେ ବ୍ରିଟେନରେ ଏକ ରେଫ୍ରିଜରେଟର ଟ୍ରକ ମଧ୍ୟରୁ ୩୯ ଭିଏତନାମା ପ୍ରବସୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଟ୍ରକଟି ୟୁରୋପର ମଧ୍ୟଭାଗରୁ ବ୍ରିଟେନ ମଧ୍ୟକୁ ପ୍ରବେଶ କରିବା ପରେ ହିଁ ପୁଲିସ ଟ୍ରକକୁ ଯାଞ୍ଚ କରିବା ବେଳେ ମୃତଦେହ ମିଳିଥିଲା।  

Leave a Reply

Your email address will not be published. Required fields are marked *