ବ୍ରିଟେନରେ ରାଜନୈତିକ ଅସ୍ଥିରତା। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନେତୃତ୍ବକୁ ଅସ୍ବିକାର କରି ପଦ ଛାଡିଛନ୍ତି ବୋରିସ ସରକାରର ଦୁଇ ମନ୍ତ୍ରୀ। ଜଣେ ସାଂସଦଙ୍କୁ ପଦୋନ୍ନତି ଦେବା ପରେ ଦଳରେ ଦେଖା ଦେଇଛି ବିବାଦ। ସେପଟେ ନିକଟ ଅତିତରେ ହୋଇଥିବା ନିର୍ବାଚନରେ ଦଳକୁ ନିରାଶ ହେବାକୁ ହୋଇଛି, ଯାହାକୁ ନେଇ ବୋରିସଙ୍କ ସରକାରର ସ୍ଥିରତା ଉପରେ ଉଠିଛି ପ୍ରଶ୍ନବାଚୀ।
ସାଂସଦ କ୍ରିସ ପିଞ୍ଚରଙ୍କୁ ପଦୋନ୍ନତି ଦେଇ ଅଡୁଆରେ ବୋରିସ। ଏହି ପଦୋନ୍ନତିକୁ ନେଇ ବୋରିସ ସରକାରର ଅର୍ଥ ମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାବିଦ ପଦରୁ ଦେଇଛନ୍ତି ଇସ୍ତଫା। ଉଭୟ ବୋରିସଙ୍କ ନେତୃତ୍ୱ ଉପରେ ଉଠାଇଛନ୍ତି ପ୍ରଶ୍ନ। ଉଭୟ କହିଛନ୍ତି, ସେମାନେ ଆଉ ଅଧିକ ଦିନ ଏହି ଦୁର୍ନୀତିକୁ ସହ୍ୟ କରି ପାରବେ ନାହିଁ, ଯାହାକୁ ମାସ ମାସ ଧରି ବୋରିସ କରି ଆସୁଛନ୍ତି। ଋଷି ସୁନକ ନିଜ ଇସ୍ତଫାରେ ଉଲ୍ଲେଖ କରିଛନ୍ତି କି, ମୁଁ ସରକାର ଛାଡିବାକୁ ନେଇ ଦୁଃଖିତ। ତେବେ ବହୁ ଚିନ୍ତା ପରେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। କାରଣ ଏବେ ସରକାର ସହ ରହିବା ମୋ ପକ୍ଷରେ ଅସମ୍ଭବ ହୋଇ ପଡିଛି। ହୁଏତ ଏହା ମୋର ଶେଷ ମନ୍ତ୍ରୀପଦ ହେଇପାରେ। କିନ୍ତୁ ଏକ ମୁଖ୍ୟ ମୁଦ୍ଦାକୁ ନେଇ ଲଢିବା ବର୍ତ୍ତମାନ ସ୍ଥିତିରେ ଜରୁରୀ ହୋଇ ପଡିଛି।
ସେହିପରି ଜାବିଦ ଇସ୍ତଫାର କାରଣ ଦର୍ଶାଇଥିଲେ କି, ମୁଁ ମୋର ଅନ୍ତରାତ୍ମାର ସ୍ୱରକୁ ଅଟକାଇ ପାରୁ ନାହିଁ। କ୍ରିସଙ୍କ ପଦୋନ୍ନତିକୁ ନେଇ ବୋରିସ କ୍ଷମା ମାଗି ସାରିଛନ୍ତି। ସେ ସ୍ୱୀକାର କରିଛନ୍ତି, କ୍ରିସଙ୍କୁ ବର୍ଷର ପ୍ରାରମ୍ଭରେ ଡେପୁଟି ହ୍ବିପ ଚିଫ ନିଯୁକ୍ତି ଦେଇ ବଡ ଭୁଲ କରିଛି। ତେବେ ଏହି ରାଜନୈତିକ ଘମାସାନ ମଧ୍ୟରେ ନାଦିମ ଜହାବୀଙ୍କୁ ଅର୍ଥମନ୍ତ୍ରୀର ଦାୟିତ୍ବ ଦିଆଯାଇଛି ଓ ସାଜିଦ ଜାବିଦଙ୍କ ସ୍ଥାନରେ ଡାଉନିଂ ଷ୍ଟ୍ରିଟର ଚିଫ ଅଫ ଷ୍ଟାଫ ଷ୍ଟିଭ ବାର୍ସଲିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ମିଶେଲ ଡୋନେଲନଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି।
କ୍ରିସଙ୍କୁ ବିରୋଧ କରିବାର କାରଣ ସାଂସଦ କ୍ରିସଙ୍କ ନାମରେ ରହିଛି ନିଶା ସେବନ କରି ଯୌନ ଉତ୍ପୀଡନ ମାମଲା ସହ ଲୋକଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ସେହିପରି ପାର୍ଟି ଗେଟ ସ୍କାଣ୍ଡଲକୁ ନେଇ ମଧ୍ୟ ବୋରିସ ବିବାଦରେ ରହି ଆସିଛନ୍ତି। ପାର୍ଟି ଗେଟ ବିବାଦ ୨୦୨୦ ଜୁନରେ ବୋରିସଙ୍କୁ କାଠଗଡାରେ ଠିଆ କରିଥିଲା। କଞ୍ଜରଭେଟିବ ପାର୍ଟିର ୫୦ରୁ ଅଧିକ ସାଂସଦ ବୋରିସଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ସେହି ସମୟରେ ବୋରିସ ଆସ୍ଥା ଭୋଟ ହାସଲ କରିବାରେ ସକ୍ଷମ ହୋଇଥିଲେ। ସଦନରେ ତାଙ୍କୁ ମିଳିଥିଲା ୨୧୧ ଭୋଟ। ସେତେବେଳେ ଅଭିଯୋଗ ହୋଇଥିଲା କି, ବୋରିସ କରୋନା କାଳରେ ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ଜନ୍ମଦିନ ପାଳନ କରିଥିଲେ। ୧୯ ଜୁନ ୨୦୨୦ରେ ଥିଲା ଜନସନଙ୍କ ଜନ୍ମ ଦିନ। ସେ ୫୬ ବର୍ଷରେ ସେତେବେଳେ ପଦାର୍ପଣ କରିଥିଲେ।
ସେହି ସମୟରେ ବ୍ରିଟେନରେ କରୋନା ଗ୍ରାଫ ଉପରମୁହାଁ ଥିଲା ଓ ଦେଶରେ ଲକଡାଉନ ଜାରି କରାଯାଇଥିଲା। କୌଣସି କାର୍ଯ୍ୟକ୍ରମରେ ୨ରୁ ଅଧିକ ଲୋକଙ୍କୁ ଏକାଠି ହେବାର ଅନୁମତି ନ ଥିଲା। କିନ୍ତୁ ବୋରିଙ୍କ ପତ୍ନୀ କେରୀ ଏକ ଭୋଜି ବା ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ୩୦ ଜଣ ସାମିଲ ହୋଇଥିଲେ। ତେଣୁ ବିରୋଧୀ ଏହାକୁ ପାର୍ଟି ଗେଟ ନାମ ଦେଇ ସରକାରକୁ ଘେରିବାକୁ ଚେଷ୍ଟା କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ବିବାଦରେ ବୋରିସଙ୍କ ଦଳର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now