ପାକିସ୍ତାନର ପ୍ରଥମ ହିନ୍ଦୁ ଝିଅ ହେଲେ ଡିଏସପି

Spread the love

ନୂଆଦିଲ୍ଲୀ: ପାକିସ୍ତାନର ଏକ ପଛୁଆ ଓ ଛୋଟ ଜିଲ୍ଲାର ଜଣେ ହିନ୍ଦୁ ଝିଅ ଡିଏସପି ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସିନ୍ଧ ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ମନୀଷା ରୁପେତା ନାମକ ହିନ୍ଦୁ ଝିଅଟି ଡିଏସପି ହୋଇଛନ୍ତି। ତେବେ ଏହି ସଫଳତା ମନୀଷାଙ୍କ ପାଇଁ ନଥିଲା ସହଜ। ପଛୁଆ ଓ ଛୋଟିଆ ଅଞ୍ଚଳଟି ଜାକୁବାବାଦ। ଏଠାରେ ମନୀଷାଙ୍କ ଜନ୍ମ ହୋଇଥିଲା। ମନୀଷାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା, ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମନୀଷାଙ୍କ ମା’ ଏତିକିରେ ହାରି ଯାଇ ନ ଥିଲେ।

ସେ କଠିନ ପରିଶ୍ରମ କରି ନିଜ ୫ ପିଲାଙ୍କୁ ଉଚ୍ଚଶିକ୍ଷା ଦେଇଥିଲେ। ମନୀଷାଙ୍କ ଆଉ ୩ ଭଉଣୀ ତଥା ଜଣେ ଭାଇ ଅଛନ୍ତି। ଜାକୁବାବାଦରେ ଝିଅଙ୍କ ଶିକ୍ଷାକୁ ନେଇ ଲୋକଙ୍କର ରହୁଛି ସଙ୍କିର୍ଣ୍ଣ ମାନସିକତା। ସେମାନଙ୍କୁ ନିଜ ଅନୁଯାୟୀ ପଢିବାର ଅଧିକାର ନାହିଁ। ଯଦି କେହି ଉଚ୍ଚ ଶିକ୍ଷା ଚାହଁନ୍ତି ତେବେ ତାଙ୍କୁ ଡାକ୍ତରୀ ପାଠ ପଢିବାକୁ ରହିଛି ଅନୁମତି। ତେଣୁ ମନୀଷାଙ୍କ ୩ ଭଉଣୀ ଓ ଭାଇ ଏମବିବିଏସ ପଢିଛନ୍ତି। ମନୀଷାଙ୍କୁ ମଧ୍ୟ ଏମବିବିଏସ ପଢିବାକୁ ବନ୍ଧୁବାନ୍ଧବ ଚାପ ପକାଇଥିଲେ। କିନ୍ତୁ ମାତ୍ର କିଛି ନମ୍ବର ପାଇଁ ସେ ଡାକ୍ତରୀ ପଢିବାରୁ ବଞ୍ଚିତ ହୋଇଥିଲେ ଓ ଏହାପରେ ଫିଜିଓଥେରାପିରେ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ତାଙ୍କୁ ମିଳୁନଥିଲା ଖୁସି।

ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ସେ ପୁଲିସ ଅଫିସର ହେବେ। ତେଣୁ କାହାରିକୁ କିଛି ନ ଜଣାଇ ସେ ଲୋକସେବା ଆୟୋଗ ପରୀକ୍ଷା ପାଇଁ ପଞ୍ଜିକରଣ କରିବା ସହ ପରୀକ୍ଷା ଦେଇଥିଲେ ଓ ଏଥିରେ ହାସଲ କରିଥିଲେ ୧୬ ତମ ରାଙ୍କ। ତେବେ ପାକିସ୍ତାନରେ ମହିଳାଙ୍କୁ ଥାନା, କୋର୍ଟ କଚେରୀକୁ ଯିବା ଉପରେ ରହିଛି ପ୍ରତିବନ୍ଧକ। ତେବେ ସବୁ ପ୍ରତିବନ୍ଧକ, ନୀତି ନିୟମକୁ ପଛରେ ପକାଇ ନିଜ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗେଇ ଯାଇଥିଲେ ମନୀଷା।

  • ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *